ଟିକା ପହଞ୍ଚିବା ପରେ ଉତ୍ସାହ, ଉତ୍କଣ୍ଠା: ପୂର୍ବରୁ ୧୧ଟି ଟିକା ରହୁଛି, ଏବେ ରହିବ କରୋନା ଟିକା

ଅଧିକ ଟିକା ପାଇଁ ଟିକା ଭଣ୍ଡାର ପ୍ରସ୍ତୁତ, ମାସେ ଭିତରେ ଆସିବ ଟିକାକରଣ ଯନ୍ତ୍ରପାତି

ଭୁବନେଶ୍ବର: ୯ ମାସର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ କରୋନା ଆତଙ୍କ ପରେ ଆଜି ଓଡ଼ିଶାରେ ପହଞ୍ଚିଛି କରୋନା ମହୌଷଧି। ଏହାକୁ ନେଇ କେବଳ ରାଜ୍ୟବାସୀ ନୁହନ୍ତି, ଟିକାକରଣରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମନରେ ମଧ୍ୟ ଉତ୍କଣ୍ଠା ପ୍ରକାଶ ପାଇଛି। ଯଦିଓ ବର୍ଷ ବର୍ଷ ଧରି ଏସବୁ କର୍ମଚାରୀ ନିୟମିତ ଟିକାଦାନ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି ତଥାପି କରୋନା ଟିକା ସେମାନଙ୍କୁ ଏକ ନୂଆ ଉତ୍ସାହ ଆଣି ଦେଇଛି। ରାଜ୍ୟ ଔଷଧ ନିଗମ ପରିସରରେ ଥିବା ରାଜ୍ୟ ଟିକା ଭଣ୍ଡାର ଟିକା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।

ରାଜ୍ୟ ଟିକା ଭଣ୍ଡାରରେ ନିୟମିତ ଟିକାଦାନ ବା ଆରଆଇ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ରାଜ୍ୟରେ ଏବେ ଏମ୍‌ଆର, ଡାଏଲୁଏଣ୍ଟ, ବିସିଜି, ଟିଡି, ଡିପିଟି, ପେଣ୍ଟା, ହେପାଟାଇଟିସ୍ ବି, ରୋଟା, ବିଓପିଭି, ଆଇପିଭି(ଏଫ୍‌) ଓ ଜେଇ ଟିକାକରଣ ଚାଲୁ ରହିଥିବା ବେଳେ ଏଥିପାଇଁ ଆଇଏଲଆର, ୱାକ୍ ଇନ୍‌ କୁଲର, ଡିପ୍ ଫ୍ରିଜର ରହିଛି। ଏବେ କରୋନା ଟିକା ଆସୁଥିବାରୁ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଯଦିଓ ପ୍ରାଥମିକ ପର୍ଯ୍ୟାୟରେ ୪ଲକ୍ଷ ୮ହଜାର ଡୋଜ୍ ଆସୁଛି ତେଣୁ ଭଣ୍ଡାରରେ ଏଥିପାଇଁ ଜାଗାର ଅଭାବ ହେବ ନାହିଁ ବୋଲି ଜଣେ କର୍ମଚାରୀ କହିଛନ୍ତି। ରାଜ୍ୟ ଟିକା ଭଣ୍ଡାରରେ ୯ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତହିଁରୁ ୪ଜଣ ଅପରେଟ୍‌ର, ୨ଜଣ ଫାର୍ମାସିଷ୍ଟ, ଜଣେ ଲେଖାଏଁ ଟେକ୍‌ନିସିଆନ୍, ଫୋରମ୍ୟାନ୍ ଓ ଅନଲାଇନ୍‌ ରିସିଭର କର୍ମଚାରୀ ରହିଛନ୍ତି। ଭଣ୍ଡାରରେ ୫୬୦ ଆଇସ୍ ପ୍ୟାକ, ୧୧୭୫ ଭ୍ୟାକ୍ସିନ୍ କ୍ୟାରିୟର, ୫୫ କୋଲ୍‌ଡ ବକ୍ସ(ବଡ଼), ୧୩ଟି କୋଲ୍‌ଡ ବକ୍ସ(ଛୋଟ) ରହିଛି। ପୂର୍ବରୁ ଯେଉଁ ଟିକା ରହିଛି ଓ ନୂଆ କୋଭିଡ୍‌ ଟିକା କିଭଳି ରହିବ ତାହାର ସଂପୂର୍ଣ୍ଣ ବ୍ୟବସ୍ଥା ରହିଛି। ଯେହେତୁ ‘କୋଭିସିଲ୍ଡ’ ଟିକା ୨ରୁ ୮ ଡିଗ୍ରି ତାପମାତ୍ରାରେ ରହିବ ସେଥିପାଇଁ ଡିପ୍ ଫ୍ରିଜରର ବ୍ୟବହାର କରାଯିବ ନାହିଁ। ୱାକ୍ ଇନ କୁଲରରେ ଏହି ଟିକାକୁ ରଖାଯିବ। ଆସନ୍ତାକାଲି ଜିଲ୍ଲାସ୍ତରରୁ ଗାଡ଼ି ପହଞ୍ଚିବା ପରେ କରୋନା ଟିକାକୁ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯିବ। ରାଜ୍ୟରେ ଦୀର୍ଘଦିନ ଧରି ନିୟମିତ ଟିକାଦାନ ଚାଲୁଥିବାରୁ କରୋନା ଟିକାକରଣ ନେଇ ବିଶେଷ ସମସ୍ୟା ହେବ ନାହିଁ। ଟିକାଗୁଡ଼ିକ ଯେପରି ଆବଶ୍ୟକ ତାପମାତ୍ରାରେ ରହିବ ସେଥିପାଇଁ ବ୍ୟାକ୍‌ଅପ ବ୍ୟବସ୍ଥା କରାଯାଇଥିବା କର୍ମଚାରୀମାନେ ସୂଚନା ଦେଇଛନ୍ତି।

ସେହିପରି କରୋନା ଟିକାକରଣ ପାଇଁ ୦.୫ ମିଲି ସିରିଞ୍ଜ(ଏଡି)ର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ଲକ୍ଷ ସିରିଞ୍ଜ ଦିଆଯାଇଛି। ‌ଏଥିରୁ ଅନେକ ସିରିଞ୍ଜକୁ ଜିଲ୍ଲାକୁ ପଠାଇ ଦିଆଯାଇଛି। ଏବେ ଟିକା ଭଣ୍ଡାରରେ ୧୨ଲକ୍ଷ ୩୨ହଜାର ସିରିଞ୍ଜ ରହିଛି। ଏହାସହ ୫ମିଲିର ୪ଲକ୍ଷ ୮୦ହଜାର ଡିସ୍ପୋଜେବଲ ସିରିଞ୍ଜ ଓ ୮ଲକ୍ଷ ୫୧ହଜାର ୪ଶହଟି ୦.୧ ମିଲି(ଏଡି) ସରିଞ୍ଜ ମଧ୍ୟ ଭଣ୍ଡାରରେ ରହିଛି। ନିୟମିତ ଟିକାଦାନରେ ଏସବୁ ସିରିଞ୍ଜକୁ ବ୍ୟବହାର କରାଯାଉଛି।

ମାସେ ଭିତରେ ଆସିବ ଟିକାକରଣ ଯନ୍ତ୍ରପାତି
ଆସନ୍ତା ୧୬ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଆଗାମୀ ଦିନରେ ଗଣ ଟିକାକରଣ ହେବ ବୋଲି ଆଶା କରାଯାଉଛି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟିକାଦାନ ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବା ଲାଗି ଯୋଜନା ପ୍ରସ୍ତୁତି ହୋଇଛି। ରାଜ୍ୟରେ ୯୩୬ ଆଇଏଲଆର(ଛୋଟ), ୭୦(ବଡ଼), ୨ଟି ୱାକ୍ ଇନ୍ କୁଲର, ୩୦ଟି ଡିପ୍ ଫ୍ରିଜର, ୭୩୩୧ ନିଡିଲ ଡେଷ୍ଟ୍ରଏର କିଣାଯିବ। କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ୨୪ଟି ଆଇଏଲଆର ପଠାଇଛନ୍ତି। ତେଣୁ ଆଗକୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଯନ୍ତ୍ରପାତି ଆସିବ ବୋଲି ଆଶା କରାଯାଉଛି। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେତିକି ଯନ୍ତ୍ରପାତି ଆସିବ ତାହାର ହିସାବରେ ରାଜ୍ୟ ସରକାର ଅନ୍ୟ ଯନ୍ତ୍ରପାତି କିଣିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଟେଣ୍ଡର କରାଯିବ। ଆସନ୍ତା ୧ମାସ ଭିତରେ ଏସବୁର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ସବୁ ଜିଲ୍ଲାରେ ଟିକାଦାନ ପାଇଁ ଭିତ୍ତିଭୂମି ରହିଥିବାରୁ ଗଣ ଟିକାକରଣ ସମୟରେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ଟିକା ଭଣ୍ଡାର ସୁରକ୍ଷା ବଢ଼ିଲା
ରାଜ୍ୟରେ କରୋନା ଟିକା ପହଞ୍ଚିବା ପୂର୍ବରୁ ରାଜ୍ୟ ଟିକା ଭଣ୍ଡାରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସଶସ୍ତ୍ର ପୁଲିସ ବାହିନୀ ଭଣ୍ଡାରକୁ ସୁରକ୍ଷା ଯୋଗାଉଛନ୍ତି। ୪ଜଣ ଲେଖାଏଁ ପୁଲିସ କର୍ମଚାରୀ ଡ୍ୟୁଟିରେ ରହିବେ। ଆଗକୁ ପର୍ଯ୍ୟାୟକ୍ରମେ ଟିକା ଆସିବାର ଯୋଜନା ରହିଥିବାରୁ ସଶସ୍ତ୍ର ପୁଲିସ ବାହିନୀ ଟିକା ଭଣ୍ଡାରକୁ ସୁରକ୍ଷା ପ୍ରଦାନ କରିବେ। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ସଂରକ୍ଷଣ କେନ୍ଦ୍ର, ଟିକାଦାନ କେନ୍ଦ୍ର ଓ ଅନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ଜିଲ୍ଲାପାଳ ଓ ନଗର ନିଗମକୁ ନିର୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର