ଶିଖରଚଣ୍ଡୀ ହନୁମାନ ପାହାଡ଼ ଦଖଲକୁ ନେଇ ଉତ୍ତେଜନା

ଚନ୍ଦ୍ରଶେଖରପୁର: ଆଜି ଶିଖରଚଣ୍ଡୀ ପାହାଡ଼କୁ ଲାଗିଥିବା ହନୁମାନ ପାହାଡ଼କୁ ଏକ ଘରୋଇ ସଂସ୍ଥା ଦଖଲ କରୁଥିବା ନେଇ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ ଫଳରେ ଉକ୍ତ ଘରୋଇ ସଂସ୍ଥାର ଜେସିବି ଫେରିଯାଇଥିଲେ ମଧ୍ୟ ମାମଲାର ସ୍ଥାୟୀ ସମାଧାନ ଦାବି କରି ଉତ୍ତେଜନା ଲାଗିରହିଛି। ପର୍ଯ୍ୟଟନସ୍ଥଳରେ କିଭଳି ଉକ୍ତ ଜଙ୍ଗଲ ଘେରା ଜମିକୁ ଇଡ୍‌କୋ ପକ୍ଷରୁ ଲିଜ୍‌ ଦିଆଯାଇଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଜି ସକାଳେ ଏକ ଜେସିବି ହନୁମାନ ପାହାଡ଼ରେ ଜଙ୍ଗଲ ସଫା କରୁଥିବା ଦେଖିବାକୁ ମିଳିଥିଲା। ବଣବୁଦା ସଫା କରିବା ବାହାନାରେ କିଛି ଛୋଟ ଗଛ ମଧ୍ୟ ବଳିପଡ଼ିଯାଇଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ପଟିଆ ଅଞ୍ଚଳର ଶତାଧିକ ଯୁବକ ଓ ଗ୍ରାମବାସୀ ସେଠାରେ ପହଞ୍ଚି କାମ ବନ୍ଦ କରିବାକୁ କହିଥିଲେ। ମାତ୍ର ଘରୋଇ ସଂସ୍ଥା ପକ୍ଷରୁ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ବିଡିଏ ଓ ଇଡ୍‌କୋର ଅନୁମତି ଥିବା କହିଥିଲେ। ଏଥିରୁ ବିବାଦ ବଢ଼ିଥିଲା। ହନୁମାନ ପାହାଡ଼ ଭଳି ଜଙ୍ଗଲ ଜମିକୁ କିଭଳି ଏକ ଘରୋଇ ସଂସ୍ଥାକୁ ଲିଜ୍‌ ସୂତ୍ରରେ ଦିଆଯାଇଛି ବୋଲି ପ୍ରଶ୍ନ କରି ଲୋକେ ହୋ-ହଲ୍ଲା କରିଥିଲେ। ଖବର ପାଇ କର୍ପୋରେଯଣ ମିହିର ରାଉତ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ନିକଟରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଶିଖରଚଣ୍ଡୀ ପାହାଡ଼କୁ ପର୍ଯ୍ୟଟନସ୍ଥଳ କରିବା ସହ ଏହାର ଉନ୍ନତୀକରଣ ପାଇଁ ଏଠାକୁ ଗସ୍ତ କରିଥିଲେ। ମାତ୍ର ଏବେ ଏକ ଘରୋଇ ସଂସ୍ଥା କିଭଳି ଦଖଲ କରୁଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। କର୍ପୋରେଟର ଶ୍ରୀ ରାଉତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିବା ପରେ ଉତ୍ତେଜନା ନିୟନ୍ତ୍ରଣକୁ ଆସିଥିଲା।

ସମ୍ବନ୍ଧିତ ଖବର