ଭୁବନେଶ୍ବର: ଶହ ଶହ ଲୋକଙ୍କ ସମ୍ମୁଖରେ ଦୁଇ ନାବାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଗାଁ ମଝି ପାଲାମଣ୍ଡପକୁ ନେଇ ଆଣ୍ଠେଇଦେଲେ। ଏତିକିରେ ମନଶାନ୍ତି ହେଲାନାହିଁ। ନିଜ ପିଲାଙ୍କୁ ଆକଟ କରିବାକୁ ଆସିଥିବା ବାପାଙ୍କୁ ବି ଆଣ୍ଠେଇଦେଲେ। ଗାଁ ମଝିରେ ବାପା-ପୁଅଙ୍କ ଉପରେ ହୋଇଥିବା ଏଭଳି ଅତ୍ୟାଚାର ସହିନପାରି ଜଣେ ନାବାଳକ ଘରକୁ ଯାଇ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କଲେ। ସୌଭାଗ୍ୟକୁ ପରିବାର ଲୋକେ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିବାରୁ ନାବାଳକ ବର୍ତ୍ତି ଯାଇଛନ୍ତି। ଏହା କୌଣସି ଅପହଞ୍ଚ ଅଞ୍ଚଳର କଥା ନୁହେଁ। ଖୋଦ୍ ରାଜଧାନୀରେ ଖଣ୍ଡଗିରି ଥାନାଠାରୁ ଅନତି ଦୂରରେ ବରମୁଣ୍ଡାରେ ଘଟିଛି ଏହି ଅମାନବୀୟ କାଣ୍ଡ। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଏହି କାଣ୍ଡ ଚାଲିଥିଲେ ବି ପୁଲିସ ଜାଣିପାରିଲାନାହିଁ।
ଅବଶ୍ୟ ପରେ ବିଳମ୍ବିତ ରାତିରେ ଅଭିଯୋଗ ପାଇବା ପରେ ପୁଲିସ ଗାଁରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବରମୁଣ୍ଡା ପ୍ରଧାନସାହିର ରମେଶ ପ୍ରଧାନ(୬୦) ଓ ତାଙ୍କ ପୁଅ ଦିଲ୍ଲୀପ(୪୦)। ଏହି ମାମଲାରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରିବାକୁ ପୁଲିସ ଚଢ଼ଉ ଜାରି ରହିଛି।
ସୂଚନାନୁସାରେ ଦୀର୍ଘ ଦିନ ହେବ ଦୁଇ ନାବାଳକ ସ୍ଥାନୀୟ ଅଞ୍ଚଳର ଛାତ୍ରୀ ଓ ଯୁବତୀମାନଙ୍କୁ କମେଣ୍ଟ କରୁଥିଲେ। ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗତକାଲି ପୁଣି ଉକ୍ତ ଦୁଇ ନାବାଳକ ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଅଶାଳୀନ ଭାଷାରେ କମେଣ୍ଟ କରିଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ବାରମ୍ବାର ନାବାଳକଦ୍ବୟ ଏଭଳି କାଣ୍ଡ କରୁଥିବାରୁ ଏଥର ଗାଁର କିଛି ଯୁବକ ସେମାନଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ। ରାତି ପାଖାପାଖି ୧୦ଟା ସମୟରେ ବରମୁଣ୍ଡା ଗାଁ ପଧାନ ସାହିର ଦିଲ୍ଲୀପ, ରମେଶ ଓ ଅନ୍ୟ ୫ ଜଣ ଯୁବକ ନାବାଳକଦ୍ବୟଙ୍କ ଘରକୁ ଆସି ସେମାନଙ୍କୁ ପାଲାମଣ୍ଡପ ନିକଟକୁ ଡାକିଥିଲେ। ମାତ୍ର ସେମାନେ ଯିବାକୁ ରାଜି ନହେବାରୁ ଦିଲ୍ଲୀପ ଓ ତାଙ୍କ ସହଯୋଗୀମାନେ ସେମାନଙ୍କୁ ଜୋର୍ କରି ଟାଣିନେବା ସହ ରାସ୍ତାରେ ମାଡ଼ ମାରିଥିଲେ। ନାବାଳକଦ୍ବୟ ମାଡ଼ ଭୟରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।
ଏହାପରେ ଉଭୟଙ୍କୁ ଗାଁ ମଝିରେ ଥିବା ପାଲାମଣ୍ଡପ ନିକଟକୁ ନେଇଯାଇ ସେଠାରେ ସମସ୍ତଙ୍କ ଆଗରେ ଆଣ୍ଠେଇବା ସହ ତଳେ ନାକ ଘଷାଇଥିଲେ। କେବଳ ସେତିକି ନୁହେଁ, ଏଭଳି ଅକଥନୀୟ ନିର୍ଯାତନାର ଭିଡିଓ କରି ଭାଇରାଲ୍ କରିଥିଲେ। ଏହି ସମୟରେ ଜଣେ ନାବାଳକଙ୍କ ବାପା ସେଠାରେ ପହଞ୍ଚି ଲୋକଙ୍କୁ କ୍ଷମା ମାଗିବା ସହ ନିଜ ପିଲାଙ୍କୁ ଆକଟ କରିଥିଲେ। ହେଲେ ଉତ୍ତ୍ୟକ୍ତ ଲୋକମାନେ କିଛି ବୁଝିବା ସ୍ଥିତିରେ ନଥିଲେ। ସେମାନେ ତାଙ୍କୁ ବି ସେଠାରେ ଆଣ୍ଠେଇ ଦେଇଥିଲେ। ତେବେ ଏହି ସମୟରେ ଗାଁର କିଛି ଭଦ୍ରଲୋକ ସେଠାକୁ ଆସି ମାମଲାରେ ହସ୍ତକ୍ଷେପ କରି ସମସ୍ତଙ୍କୁ ବୁଝାସୁଝା କରିଥିଲେ। ପାଲାମଣ୍ଡପରୁ ଲାଞ୍ଛିତ, ଅପମାନିତ ହୋଇ ଘରକୁ ଫେରିବା ପରେ ଜଣେ ନାବାଳକ ଫିନାଇଲ୍ ପିଇଦେଇଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଥିଲେ। ଏନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳକଙ୍କ ସମ୍ପର୍କୀୟ କୈଳାସ ପରଙ୍ଗ ରାତି ପାଖାପାଖି ୧ଟା ସମୟରେ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।
ଆଜି ଏହି ଘଟଣାକୁ ନେଇ କମିସନରେଟ୍ ପୁଲିସ ଉପରକୁ ଅଙ୍ଗୁଳି ଉଠିଛି। ଥାନାଠାରୁ ଅଳ୍ପ ଦୂରରେ ଏଭଳି ଘଟଣା ଘଟିବା ପରେ ବି ପୁଲିସ ଅଭିଯୋଗ ପାଇବା ପରେ ଯାଇ କାର୍ଯ୍ୟାନୁଷ୍ଠାନ ନେଲା। ଏହା ପୁଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରାଜଧାନୀ ଛାତି ଉପରେ ପୁଣି ଥାନା ନିକଟରେ ଘଟିଥିବା ଏଭଳି ଅଭାବନୀୟ କାଣ୍ଡ ରାଜଧାନୀର ଆଇନ୍ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/55-4.jpg)