ଭୁବନେଶ୍ୱର: ନିରୀହ ଆଦିବାସୀମାନଙ୍କୁ ପ୍ରଲୋଭିତ କରି ବେଆଇନ ଭାବେ ଓଡ଼ିଶାରେ ଧର୍ମାନ୍ତରୀକରଣ ଅବିରତ ଚାଲିଛି। ଓଡ଼ିଶା ଫ୍ରିଡମ୍ ଅଫ୍ ରିଲିଜିଅନ୍ ଆକ୍ଟ ୧୬୭ ଅନୁଯାୟୀ ପ୍ରଲୋଭିତ କରି କିମ୍ବା ଡରାଇ, ଧମକାଇ ଧର୍ମ ପରିବର୍ତ୍ତନ କରାଇବା ଦଣ୍ଡନୀୟ ଅପରାଧ। କିନ୍ତୁ ଓଡ଼ିଶାରେ ଏହାକୁ ଠିକ୍ ଭାବେ ପାଳନ କରାଯାଉନାହିଁ। ଧର୍ମାନ୍ତର କାର୍ଯ୍ୟ କରୁଥିବା ଏଜେନ୍ସି ବା ସଂସ୍ଥାମାନଙ୍କୁ ପରୋକ୍ଷ ସମର୍ଥନ କରାଯାଉଛି। ସଂସ୍କୃତି ଓ ପରମ୍ପରାକୁ ଲାତ ମାରି ଧର୍ମାନ୍ତରିତ ହେଉଥିବା ଜନଜାତିମାନେ ସବୁ ସରକାରୀ ସଂରକ୍ଷଣ ସୁବିଧାର ଫାଇଦା ଉଠାଉଛନ୍ତି।
ଅଥଚ ଦ୍ରାରିଦ୍ୟ ଭିତରେ ବି ନିଜ ଧର୍ମକୁ ରକ୍ଷା କରୁଥିବା ଆଦିବାସୀମାନେ ସରକାରୀ ସଂରକ୍ଷଣ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ସମ୍ବିଧାନର ୩୪୨ ଧାରାକୁ ତୁରନ୍ତ ସଂଶୋଧନ କରିବାକୁ ପଡ଼ିବ। ପ୍ରକୃତ ଜନଜାତିଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ପଡ଼ିବ। ନଚେତ୍ ସମୟ ଆସିବ ଜନଜାତି ସମ୍ପ୍ରଦାୟ ଲୋପ ପାଇଯିବ। କିନ୍ତୁ ‘ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ’ ଏହାକୁ ବରଦାସ୍ତ କରିବ ନାହିଁ। ଏଥିପାଇଁ ଲଢ଼େଇ ଚାଲିଛି ଏବଂ ଦାବି ପୂରଣ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଆଜି ଜନତା ମଇଦାନରେ ଏମିତି ଦାବି କରି ‘ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ’ର ବକ୍ତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ପ୍ରକୃତ ଜନଜାତି ଚିହ୍ନଟ ଓ ୩୪୨ ଧାରା ସଂଶୋଧନ ଜରୁରି
ପାରମ୍ପରିକ ବାଦ୍ୟ, ନୃତ୍ୟରେ ଦୁଲୁକିଲା ରାଜରାସ୍ତା
ଓଡ଼ିଶାର ୨୬ ଜିଲ୍ଲାରୁ ୬୨ ପ୍ରକାରର ଜନଜାତି ସମ୍ପ୍ରଦାୟର ହଜାର ହଜାର ପୁରୁଷ ଓ ମହିଳା ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲେ। ତିନିଟି ବିଶାଳ ଶୋଭାଯାତ୍ରା ବାହାରି ଜନତା ମଇଦାନରେ ପହଞ୍ଚିଥିଲା। ଗୋଟିଏ ଶୋଭାଯାତ୍ରା ରାମ ମନ୍ଦିର ଛକରୁ କଳିଙ୍ଗ ଷ୍ଟାଡିୟମ୍ ଦେଇ ଯାଇଥିବା ବେଳେ ଅନ୍ୟ ଦୁଇଟି ଯଥାକ୍ରମେ ସହିଦନଗର ଦୁର୍ଗାପୂଜା ମଣ୍ଡପରୁ ବାଣୀବିହାର ଦେଇ ଓ ନୂଆପଲ୍ଲୀ ଦୁର୍ଗା ମଣ୍ଡପରୁ ଜନତା ମଇଦାନରେ ପହଞ୍ଚିଥିଲା। ମହିଳା ଓ ପୁରୁଷମାନେ ପାରମ୍ପରିକ ବେଶଭୂଷାରେ ଧନୁ, ତୀର, ଫାର୍ସା ଆଦି ଅସ୍ତ୍ରଶସ୍ତ୍ର ଧାରଣ କରିଥିଲେ। ସେହିଭଳି ସେମାନେ ଢ଼ୋଲ, ମାଦଳ, ଚଡ଼ଚଡ଼ି, ତାମ୍ସା, ମହୁରୀ ଭଳି ପାରମ୍ପରିକ ବାଦ୍ୟ ଓ କୋରାପୁଟ ଦେଶିଆ, ହୋ, ସାନ୍ତାଳୀ ନୃତ୍ୟ ଓ ବଣ୍ଡା ନୃତ୍ୟ କରି ରାଜଧାନୀର ରାଜରାସ୍ତାକୁ ଦୁଲୁକାଇଥିଲେ। ବେଶ୍ ଶାନ୍ତିଶୃଙ୍ଖଳାରେ ଶୋଭାଯାତ୍ରା ସମାହିତ ହୋଇଥିଲା।
ଜନତା ମଇଦାନରେ ଆୟୋଜିତ ସଭାରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁ କହିଲେ ଯେ ଯଦି କେହି ଖୁସିରେ ଧର୍ମ ପରିବର୍ତ୍ତନ କଲା, ତାହା ଅଲଗା କଥା। କିନ୍ତୁ ପ୍ରଲୋଭିତ କରି, ଡରେଇ ଧମକାଇ ଧର୍ମାନ୍ତରୀକରଣ କରିବା ନିନ୍ଦନୀୟ ଓ ଦୁଃଖଦାୟକ। ଏହା ଦେଶଦ୍ରୋହୀ କାମ। ଏହା ଦ୍ବାରା ଧୀରେଧୀରେ ଜନଜାତି ସମ୍ପ୍ରଦାୟ ଲୋପ ପାଇଯିବ। ତେଣୁ ଏହାକୁ ବନ୍ଦ କରିବାକୁ ପଡ଼ିବ। ଯଦି କେହି ଧର୍ମ ପରିବର୍ତ୍ତନ କରୁଛି, ତାଙ୍କୁ ସରକାରୀ ସଂରକ୍ଷଣରୁ ବାଦ୍ ଦିଆଯିବା ମଧ୍ୟ ଆବଶ୍ୟକ ବୋଲି ସେ ଦାବି କରିଥିଲେ। ଏଥିପାଇଁ ସରକାର ବହୁତ ଦିନ ଆଗରୁ ଚିନ୍ତା କରିବାର ଥିଲା ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅଖିଳ ଭାରତୀୟ ଜନଜାତି ସୁରକ୍ଷା ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଗଣେଶରାମ ଭଗତ୍ କହିଲେ ଯେ ଧର୍ମାନ୍ତରିତ ଲୋକମାନେ ଆଦିବାସୀ ପରମ୍ପରାକୁ ମାନୁନାହାନ୍ତି। ତେଣୁ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧାରୁ ଧର୍ମାନ୍ତରିତଙ୍କୁ ସରକାର ବାଦ୍ ଦେବାର ଆବଶ୍ୟକତା ରହିଛି। ମୁଖ୍ୟବକ୍ତା ରାଷ୍ଟ୍ରୀୟ ସହସଂଯୋଜକ ରାଜକିଶୋର ହାଁସ୍ଦା କହିଲେ ଯେ ୨୦୦୬ ମସିହାରୁ ଜନଜାତି ସୁରକ୍ଷା ମଞ୍ଚ ସାରା ଦେଶରେ ପ୍ରକୃତ ଜନଜାତିଙ୍କ ଚିହ୍ନଟ, ସୁରକ୍ଷା ଓ ସ୍ବାର୍ଥରକ୍ଷା ପାଇଁ ଲଢ଼େଇ କରୁଛି। ସମ୍ବିଧାନର ଧାରା ୩୪୨କୁ ସଂଶୋଧନ କରି ଧର୍ମାନ୍ତରିତ ଜନଜାତିଙ୍କୁ ସରକାରୀ ସଂରକ୍ଷଣ ସୁବିଧାରୁ ବାଦ୍ ନକରିବା ଯାଏ ଜନଜାତି ସମାଜ ଶାନ୍ତ ନରହି ସଂଘର୍ଷ ଜାରି ରଖିବ ବୋଲି ସେ ଚେତାବନୀ ଦେଇଥିଲେ।
/sambad/media/post_attachments/wp-content/uploads/2023/03/35-18.jpg)
ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ଉପଦେଷ୍ଟା ପବିତ୍ର କହଁର କହିଲେ ଯେ ଯେଉଁ ଆଦିବାସୀ ନିଜର ଭାଷା ସଂସ୍କୃତି, ପରମ୍ପରା ରୀତିନୀତି ଏବଂ ପୂଜାପାଠକୁ ଛାଡ଼ି ଦେଇଛି, ସେ ଦୁଇ ପ୍ରକାର ସୁବିଧା ପାଇପାରିବ ନାହିଁ। ଷଡ଼୍ଯନ୍ତ୍ର କରି ଓଡ଼ିଶାର ଆଦିବାସୀମାନଙ୍କୁ ଭାଗଭାଗ କରାଯାଉଛି। ସରଳ ଆଦିବାସୀମାନଙ୍କୁ ମିଛ କହି, ଭୟ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଛି। ଆଗାମୀ ଦିନରେ ଏହାକୁ ଜୋର୍ଦାର ବିରୋଧ କରାଯିବ। ଜନଜାତି ସୁରକ୍ଷା ମଞ୍ଚର ପ୍ରାନ୍ତ ସଂଯୋଜକ ଶକ୍ତି ଦୟାଲ କିସ୍କୁ ଧନ୍ୟବାଦ ଦେଇଥିଲେ। କୋରା ରଇତ ଓ କବିତା କହଁର ମଞ୍ଚ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/34-18.jpg)