ସିବିଆଇ ପଞ୍ଝାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
କୋଟାରୁ ୯୬ ଲକ୍ଷ ଟଙ୍କା ଜବତ, ଓଡ଼ିଶା ସମେତ ୩ ସ୍ଥାନରେ ଚଢ଼ଉ
ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ବ୍ରହ୍ମପୁର ଗୋପାଳପୁରସ୍ଥିତ ମିଲିଟାରି ଇଂଜିନିୟରିଂ ସର୍ଭିସ(ଏମ୍ଇଏସ୍)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ପରିବାରର ୩ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୁଲ୍କେସ୍ ମୀନା, ତାଙ୍କ ବାପା ଚତ୍ରୁଲାଲ୍ ମୀନା ଓ ଜଣେ ସମ୍ପର୍କୀୟ ରାମ୍ଅବତାର୍ ମୀନା। ସେମାନଙ୍କଠାରୁ ପାଖାପାଖି ୯୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ସୂଚନା ମୁତାବକ, ଚତ୍ରୁଲାଲ୍ ଓ ରାମ୍ଅବତାର ନଗଦ ୯୬ ଲକ୍ଷ ଟଙ୍କା ନେଇ ରାଜସ୍ଥାନ କୋଟା ଯାଉଥିଲେ। ଗତକାଲି କୋଟା ରେଳବାଇ ଥାନା ପୁଲିସ ସେମାନଙ୍କୁ ଯାଞ୍ଚ କଲା ବେଳେ ଚତ୍ରୁ ଲାଲ୍ଙ୍କ ପାଖରୁ ସମସ୍ତ ଟଙ୍କା ଜବତ କରିଥିଲା। ଏତେ ଟଙ୍କା ବାବଦରେ ସେମାନେ ରେଳବାଇ ଥାନା ପୁଲିସକୁ କିଛି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ରେଳବାଇ ପୁଲିସ ସିବିଆଇକୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ରାଜସ୍ଥାନ ସିବିଆଇ ଟିମ୍ ସେଠାରେ ପହଞ୍ଚି ଉଭୟଙ୍କୁ ହେପାଜତକୁ ନେଇଥିଲା। ସେମାନଙ୍କୁ ଜେରା କରିବା ପରେ ଜଣାପଡ଼ିଥିଲା ଯେ ଚତ୍ରୁଲାଲ୍ ଓଡ଼ିଶା ଏମ୍ଇଏସ୍ରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୁଲ୍କେସ୍ ମୀନାଙ୍କ ବାପା।
ପୁଅଠାରୁ ଏହି ଟଙ୍କା ନେଇ ସେ ଓଡ଼ିଶାରୁ ରାଜସ୍ଥାନ ଫେରୁଥିଲେ। ଘଟଣା ବିଷୟରେ ଜଣାପଡ଼ିବା ପରେ ସିବିଆଇ ଟିମ୍ ଗୁଲ୍କେସ୍ଙ୍କ ଅଫିସ୍ରେ ଚଢ଼ଉ କରି ତାଙ୍କୁ ନିଜ ହେପାଜତକୁ ନେଇଥିଲା। ସମାନ୍ତରାଳ ଭାବେ ସିବିଆଇ ପକ୍ଷରୁ ରାଜସ୍ଥାନ, ଗୋପାଳପୁର ସମେତ ୩ଟି ସ୍ଥାନରେ ଚଢ଼ଉ ହୋଇଥିଲା। ସୂଚନାଯୋଗ୍ୟ, ଗୁଲ୍କେସ୍ ୨୦୧୨ରୁ ଏହି ଚାକିରିରେ ଯୋଗଦେଇଥିଲେ। ୧୦ ବର୍ଷର ଚାକିରି କାଳ ମଧ୍ୟରେ ଗୁଲ୍କେସ୍ ଯାହା ରୋଜଗାର କରିଥିଲେ ସେଥିରୁ ଏକ କୋଟି ୩୭ ଲକ୍ଷ ଟଙ୍କା ଆୟବର୍ହିଭୂତ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଅର୍ଥାତ୍ ତାଙ୍କ ରୋଜଗାରର ୧୩୪ ପ୍ରତିଶତ ଆୟବର୍ହିଭୂତ ବୋଲି ଜଣାପଡ଼ିଛି।