ତେଜସ୍ବିନୀ ମିସନ୍‌ ଶକ୍ତି ମହାସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ତେଜସ୍ବିନୀ ମିସନ୍ ଶକ୍ତି ମହାସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଫରେଷ୍ଟ ପାର୍କସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଏହି ବୈଠକରେ ଏକାମ୍ର ନିର୍ବାଚନମଣ୍ଡଳୀର ୫୦ଟି ଏରିଆ ଲେବଲ୍‌ ଫେଡେରେସନ୍‌ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ ସରକାର ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମହିଳାମାନେ ୧୧୨, ୧୮୧, ୱିମେନ୍‌ ହେଲ୍ପ ଲାଇନ୍ ଓ ୱନ୍ ଷ୍ଟପ୍ ସେଣ୍ଟର୍‌ରେ ନିଜର ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ସହ ଅଧିକାର ସାବ୍ୟସ୍ତ କରିପାରିବେ। ମୁଖ୍ୟବକ୍ତା ଭାବେ ମହିଳା କମିସନ୍‌ ଅଧ୍ୟକ୍ଷା ମିନତି ବେହେରା ଯୋଗ ଦେଇ କହିଲେ ଯେ ମହିଳା ସମାଜ ଆଗକୁ ନ ବଢ଼ିଲେ ପ୍ରଗତି ରଥ ଗଡ଼ିପାରିବ ନାହିଁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଧାୟକ ପ୍ରଣବ ପ୍ରକାଶ ଦାସ ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେବା ସହ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ କର୍ପୋରେଟର୍‌ ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘ ସମ୍ପାଦିକା ସଂଯୁକ୍ତା ଭୂତିଆ ସ୍ବାଗତ ଭାଷଣ ଦେଇଥିଲା ବେଳେ ସଭାନେତ୍ରୀ ମହାମାୟା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର