ଭୁବନେଶ୍ବର: ସ୍ଥାନୀୟ ଶିଶୁଭବନ ଛକ ଅଞ୍ଚଳର ଜଣାଶୁଣା ମହିଳା ଅନୁପମା କର(୬୩)ଙ୍କର ଗତ ବୁଧବାର ଅପରାହ୍ଣରେ ପରଲୋକ ଘଟିଛି। ସେ ଭାଇରାଲ ନିମୋନିଆ ଯୋଗୁଁ ଅସୁସ୍ଥ ହୋଇପଡ଼ିବାରୁ ପାଖାପାଖି ୩ ସପ୍ତାହ ଧରି ଏପୋଲୋ ହସପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀ ତଥା ଜଣାଶୁଣା ଅବସରପ୍ରାପ୍ତ ଗଣିତ ପ୍ରାଧ୍ୟାପକ ପ୍ରଦ୍ୟୋତ କର, କନ୍ୟା ପ୍ରତୀକ୍ଷା, ପୁତ୍ର ପ୍ରତୀକ ପ୍ରମୁଖ ଉପସ୍ଥିତ ଥିଲେ। ରାତିରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଅନୁପମା ନିଜର ଜଣେ ବଡ଼ ଭଉଣୀ ନିରୂପମା ଓ ସାନ ଭାଇ ବିଷ୍ଣୁଙ୍କୁ ହରାଇଥିବା ବେଳେ ନିକଟରେ ଆଉ ଜଣେ ସାନ ଭାଇ ରାଜେନ୍ଦ୍ରଙ୍କର ପରଲୋକ ଘଟିଥିଲା।

Advertisment

ବଲାଙ୍ଗୀରର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଗତ ବଳରାମ ନନ୍ଦଙ୍କ ତୃତୀୟ କନ୍ୟା ଅନୁପମା ଉତ୍କଳ ବିଶ୍ବବିଦ୍ୟାଳୟରୁ ମନସ୍ତତ୍ତ୍ବରେ ଉପାଧ୍ୟୁତ୍ତର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଏମ୍‌.ଇଡିରେ ଉତ୍ତୀର୍ଣ୍ଣ ହେବା ପରେ କିଛିକାଳ ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜରେ ଅଧ୍ୟାପନା କରିଥିଲେ। ଛାତ୍ରାବସ୍ଥାରେ ସଂଗୀତ ଓ ନୃତ୍ୟରେ ରୁଚି ରଖିଥିବା ମିଷ୍ଟଭାଷୀ ଓ ବନ୍ଧୁବତ୍ସଳା ଅନୁପମା ବିବାହ ପରେ ଜଣେ ସୁଗୃହିଣୀ ଭାବେ ପଡ଼ୋଶୀ ତଥା ଅତ୍ମୀୟସ୍ବଜନ, ବନ୍ଧୁପରିଜନଙ୍କ ଗହଣରେ ଖ୍ୟାତି ଲଭିଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗଭୀର ଶୋକପ୍ରକାଶ କରିଛନ୍ତି। ଅନୁପମାଙ୍କ ଏକାଦଶାହ ଅବସରରେ ପ୍ରକାଶିତ ହେଉଥିବା ସ୍ମୃତିପୁସ୍ତିକାରେ ନିଜ ଅନୁଭୂତିରୁ ୧୦୦-୧୫୦ ଶବ୍ଦ ମଧ୍ୟରେ ଶ୍ରଦ୍ଧାଂଜଳି ଆଲେଖ୍ୟ ଆସନ୍ତା ୨୭ ଫେବ୍ରୁଆରି ସୁଦ୍ଧା [email protected]କୁ ଇ-ମେଲ୍‌ ଯୋଗେ କିମ୍ବା ୯୪୩୭୧୩୨୪୫୪ ନମ୍ବରରେ ହ୍ବାଟ୍ସଆପ୍ କରିବାକୁ ତାଙ୍କ ସାନଭାଇ ତଥା ବଲାଙ୍ଗୀରର ଜଣାଶୁଣା ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦ ଅନୁରୋଧ କରିଛନ୍ତି।