୩ ଟେଣ୍ଡର ପ୍ୟାକେଜ୍‌ ଉପରେ ରହିତାଦେଶ

ବିଏମ୍‌ସି ପରିମଳ ବ୍ୟବସ୍ଥାରେ ପୁଣି ଅଡ଼ୁଆ

ଭୁବନେଶ୍ବର: ବିଏମ୍‌ସିର ପରିମଳ ବ୍ୟବସ୍ଥା ସବୁବେଳେ ବିବାଦରେ ରହି ଆସିଛି। କେତେବେଳେ ଠିକା ସଂସ୍ଥା ପ୍ରାପ୍ୟ ନ ପାଇବା ଯୋଗୁ ଆନ୍ଦୋଳନ କରିବା ତ କେତେବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସଫେଇ କର୍ମଚାରୀ ହରତାଳ କରିବା ଯୋଗୁ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ନଜିର ରହିଛି। ଏବେ ଏହି ବ୍ୟବସ୍ଥାରେ ପୁଣି ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ନିକଟ ଅତୀତରେ ବିଭିନ୍ନ ସଫେଇ ପ୍ୟାକେଜ୍‌ ଟେଣ୍ଡର ହୋଇଥିଲା। ଏବେ ସେଥିରୁ ତିନିଟି ପ୍ୟାକେଜ୍‌ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଅର୍ଥାତ୍‌ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଯେଭଳି ଚାଲିଥିଲା ସେଭଳି ଚାଲିବ। ଟେଣ୍ଡର ପ୍ରକ୍ରିୟାରେ ବିଏମ୍‌ସିର ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଏହି ରହିତାଦେଶ ପରେ ପୁଣି ପୂର୍ବ ଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ବିଏମ୍‌ସି ଅଞ୍ଚଳରେ ସଫେଇ କାମ କରିବା ପାଇଁ ତିନିଟି ସଂସ୍ଥା ଜାଗୃତି, ପିଏମ୍‌ଆର ଓ ରାମ୍‌କିକୁ ଦାୟିତ୍ବ ଦିଆଯାଇଥିଲା। ଗତ ମାର୍ଚ୍ଚ ମାସରେ ସେମାନଙ୍କର ଅବଧି ଶେଷ ହେବା ପରେ ବିଏମ୍‌ସି ସାନି ଟେଣ୍ଡର କରିବାକୁ ଯୋଜନା କରିଥିଲା। କିନ୍ତୁ ବିଭିନ୍ନ କାରଣରୁ ବିଏମ୍‌ସି ଟେଣ୍ଡର କରି ପାରୁନଥିଲା। ପ୍ରକ୍ରିୟା ବିଳମ୍ବିତ ହେଉଥିବା‌ରୁ ପୂର୍ବରୁ ଠିକା ନେଇଥିବା ସଂସ୍ଥାଙ୍କର ଅବଧି ବଢ଼ାଇବାକୁ ବିଏମ୍‌ସି ବାଧ୍ୟ ହୋଇଥିଲା। ଠିକା ସଂସ୍ଥାଙ୍କର ପ୍ରାପ୍ୟ ମଧ୍ୟ ବିଏମ୍‌ସି ବକେୟା ରଖିଥିଲା। ଏହି ପ୍ରାପ୍ୟ ପାଇଁ ସମ୍ପୃକ୍ତ ସଂସ୍ଥାମାନେ ବାରମ୍ବାର ବିଏମ୍‌ସିର ଦ୍ବାରସ୍ଥ ହେଉଥିଲେ ମଧ୍ୟ ବିଏମ୍‌ସି ଦେଉନଥିବାରୁ ସମ୍ପୃକ୍ତ ସଂସ୍ଥା କର୍ମଚାରୀଙ୍କୁ ଦରମା ଦେଇ ପାରୁନଥିଲେ। ଅନେକ ସମୟରେ କର୍ମଚାରୀମାନେ ଆନ୍ଦୋଳନ ଧାରଣା ଦେଉଥିବାରୁ ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଥିଲା।

ଏବେ ସମସ୍ତ ୬୭ ୱାର୍ଡର ସଫେଇ ଓ ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରିବାକୁ ୧୦ଟି ପ୍ୟାକେଜ୍‌ କରି ବିଏମ୍‌ସି ଟେଣ୍ଡର ଡାକିଥିଲା। ଟେଣ୍ଡର ପରେ ସାତ ଗୋଟି ସଂସ୍ଥାଙ୍କ ସହ ବିଏମ୍‌ସି ଚୁକ୍ତି କରିବା ପାଇଁ ପ୍ରକ୍ରିୟା ଶେଷ କରିଥିଲା। ଟେଣ୍ଡରରୁ ବାଦ୍‌ ପଡ଼ିଥିବା ରାଜ୍ୟ ବାହାରର ସଂସ୍ଥା ‘ସାଇ ଭେଞ୍ଚର’ ବିଏମ୍‌ସିର ମୂଲ୍ୟାୟନ ପ୍ରକ୍ରିୟାକୁ ଭୁଲ ଦର୍ଶାଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା। ବିଏମ୍‌ସି ଉଦ୍ଦେଶ୍ୟ ମୂଳକ ଭାବେ ଅନ୍ୟ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଇ ସାଇ ଭେଞ୍ଚରର ବିଡ୍‌ ଡକ୍ୟୁମେଣ୍ଟ ବିଚାରକୁ ନେଇନଥିବା ସଂସ୍ଥା ଆବେଦନରେ ଦର୍ଶାଇଥିଲା। ସଂସ୍ଥାର ଆବେଦନକୁ ବିଚାରକୁ ନେଇ ହାଇକୋର୍ଟ ୩, ୮ ଓ ୯ ନମ୍ବର ପ୍ୟାକେଜ୍‌ ଉପରେ ରହିତାଦେଶ ଜାରି କରିଛନ୍ତି। ଏ ନେଇ ବିଏମ୍‌ସି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଏ ନେଇ ଆମ ପାଖକୁ କୌଣସି ନୋଟିସ୍‌ ଆସିନାହିଁ। ପ୍ରକ୍ରିୟା ଯେମିତି ଚାଲିବା କଥା ଚାଲିଛି।

ସମ୍ବନ୍ଧିତ ଖବର