ସପ୍ତମ ଦିନରେ ଖଦି ଓ ଗ୍ରା‌‌ମୋଦ୍ୟୋଗ ପ୍ରଦର୍ଶନୀ, ଚରଖାରେ ସୂତାକଟା ଦେଖିବାକୁ ଭିଡ଼

ଭୁବନେଶ୍ବର: ତନ୍ତବୁଣା ମେସିନ୍‌, ସେଥିରେ ବିଭିନ୍ନ ରଙ୍ଗର ସୂତାରେ ଲୁଗାବୁଣା ଦେଖାଉଛି ବୁଣାକାର। ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି। ତା’ ମନରେ ଥିବା ଅନେକ ପ୍ରଶ୍ନ ସେ ତନ୍ତ କାରିଗର ଉପରେ ଅଜାଡ଼ି ଦେଉଛି। ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ମେଳାରେ ତନ୍ତବୁଣାର ଲାଇଭ୍‌ ଡେମୋ ଦେଖିବା ପାଇଁ ଏମିତି ନିତି ସଂଧ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି। ଏଠାରେ ଖଦି ବୋର୍ଡ ପକ୍ଷରୁ ତନ୍ତ ସାହାଯ୍ୟରେ ଲୁଗାବୁଣା, ଚରଖାରେ ସୂତାକଟା ଓ ଖଦି ପୋଷାକ ତିଆରିର ଡେମୋ ପ୍ରଦର୍ଶିତ ହେଉଛି।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଗୀତାରାଣୀ ଏବଂ ବଚନା ସେଠୀ ମାଉସୀ। ବୟସ ୬୦ ଟପିଗଲାଣି। ଆଖିକୁ ଭଲ ଦିଶୁ ନଥିଲେ ବି ସେ ଚରଖାରୁ ସୂତା ତିଆରି କରୁଛନ୍ତି। ଏହି ସୂତା ଖଦି ପୋଷାକ ତିଆରି ହେବା ପାଇଁ ଲାଗିଥାଏ ବୋଲି ସେମାନେ କହିଛନ୍ତି। ଏହି ପ୍ରକ୍ରିୟାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏହାସହ ଏହି ଷ୍ଟଲରେ ଧୂପକାଠି ତିଆରିର ବି ପ୍ରଦର୍ଶନ କରାଯାଉଛି। ଛୋଟିଆ ମେସିନ୍‌ ସାହାଯ୍ୟରେ ଜଣେ କିପରି ଧୂପକାଠି ତିଆରି କରି ନିଜର ଉଦ୍ୟୋଗ ଆରମ୍ଭ କରିପାରିବ, ସେ ବିଷୟରେ କୁହାଯାଉଛି।

ଏହି ଖଦି ବଜାରକୁ ବୁଲିବାକୁ ଆସିଥିବା ରାଜଲକ୍ଷ୍ମୀ ରଥ କୁହନ୍ତି, ଚରଖାରୁ ସୂତା କେମିତି କଟାଯାଏ, ଆମେ କେବେ ଦେଖି ନଥିଲୁ। ଆଜି ତାହା ଆଖି ଆଗରେ ଦେଖି ଭାରି ଖୁସିି ଲାଗୁଛି। ପ୍ରଦର୍ଶନୀ ବୁଲି ଆସିଥିବା ବିଶ୍ବଜିତ୍‌ ସାହୁ ମଧ୍ୟ ଏହାକୁ ନେଇ ଉତ୍ସାହିତ ଥିବା କହିଥିଲେ।
ଆଜି ମେଳର ସପ୍ତମ ଦିନର ସାଂସ୍କୃତିକ ସଂଧ୍ୟାରେ ଓଡ଼ିଶୀ, ଗୋଟିପୁଅ, ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ନୁପୂର ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ପରିବେଷଣ କରିଥିଲେ। ସେହିପରି କବି ସଚ୍ଚି ରାଉତରାୟଙ୍କ ‘ଛୋଟମୋର ଗାଁଟି’‌ରେ ନୃତ୍ୟାଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକମାନଙ୍କ ଭିଡ଼ ଜମିଥିଲା। ଶେଷରେ ନୃତ୍ୟଶିଳ୍ପୀ ନିରଞ୍ଜନ ରାଉତଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର