ଭୁବନେଶ୍ବର: ଦୁଇ ବର୍ଷ ପରେ ବି କରୋନା କବଳରୁ ମୁକୁଳିପାରିନି ପ୍ରଦର୍ଶନୀ ଋତୁ। ଡିସେମ୍ବର ଆସିଲେ ଶୀତ ସହ ଆରମ୍ଭ ହୋଇଯାଏ ରାଜଧାନୀରେ ମେଳା ପସରା। ତୋଷାଳୀ, ଶିଶିର ସରସ, ଜାତୀୟ ହସ୍ତତନ୍ତ ମେଳା, ଆଦିବାସୀ ମେଳା, ବାଣିଜ୍ୟ ମେଳା, ୱେଡିଂ ଏକ୍ସପୋ ସହ ବିଭିନ୍ନ ପୁସ୍ତକ ମେଳା ଆଦି ଲୋକମାନଙ୍କ ବୁଲାବୁଲି, ମନୋରଞ୍ଜନ ସହ ଭଳିକିଭଳି ସାମଗ୍ରୀ କ୍ରୟ ଓ ପଠନ ପିପାସାକୁ ମେଣ୍ଟାଇବାରେ ସକ୍ଷମ ହୁଏ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ତଥା ସମ୍ଭାବ୍ୟ ତୃତୀୟ ଲହର ରାଜଧାନୀବାସୀଙ୍କୁ ମେଳାବୁଲାରୁ ନିବୃତ୍ତ ରଖିବ।
ଭଳିକିଭଳି ସାମଗ୍ରୀ, ରାଜ୍ୟ ତଥା ରାଜ୍ୟ ବାହାରର ହସ୍ତଶିଳ୍ପ, କାରିଗରୀ ସାମଗ୍ରୀ, ଘରସଜ୍ଜା ସାମଗ୍ରୀ ସହ ଭିନ୍ନ ଭିନ୍ନ ସ୍ବାଦର ଖାଦ୍ୟ ପସରାରେ ଭରି ଉଠେ ରାଜଧାନୀରେ ଥିବା ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ଓ ଆଦିବାସୀ ପଡ଼ିଆ। ଶୀତ ଋତୁ ଆସିଲେ ଭ୍ରମଣମନସ୍କ ହୋଇଯାଉଥିବା ରାଜଧାନୀବାସୀଙ୍କ ଭ୍ରମଣ ଶୋଷ ମେଣ୍ଟାଉଥିବା ପ୍ରଦର୍ଶନୀ ସବୁ ଏଥର ରାଜଧାନୀବାସୀଙ୍କୁ ଆପ୍ୟାୟିତ କରିବନାହିଁ।
ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ମେଳା ଆୟୋଜନ ପାଇଁ ଅନୁମତି ଦେଇ ନଥିବାରୁ ମେଳା ଆୟୋଜକମାନଙ୍କ ମଧ୍ୟରେ ନିରାଶା ଦେଖାଯାଇଛି। କରୋନା କଟକଣା ଓ ସାମାଜିକ ଦୂରତା ନିୟମ ଭିତରେ ପ୍ରଦର୍ଶନୀ ସବୁ ପଡ଼ିବ କି ନାହିଁ, ବ୍ୟବସାୟୀ ଓ ସହରବାସୀ ଦ୍ବନ୍ଦ୍ବରେ ଅଛନ୍ତି। ଗତବର୍ଷ ଏହାକୁ ଅନୁମତି ଦିଆଯାଇଥିଲା ଓ ତୋଷାଳୀ ମେଳା, ଆଦିବାସୀ ମେଳା ଆଦି କରୋନା କଟକଣାରେ ଆୟୋଜିତ ହୋଇଥିଲା। ଏଥର କିନ୍ତୁ ଏଯାଏ ପ୍ରଦର୍ଶନୀ ପାଇଁ ଅନୁମତି ମିଳିନାହିଁ। ତେଣୁ ଆୟୋଜକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିଭିନ୍ନ ପ୍ରଦର୍ଶନୀ ସହରବାସୀଙ୍କ ମନୋରଞ୍ଜନ ପାଇଁ ଯେତିକି ଉପଯୋଗୀ, ବୁଣାକାର, କାରିଗର ଓ ଶିଳ୍ପୀମାନଙ୍କ ରୋଜଗାର ପାଇଁ ସେତିକି ସୁଯୋଗ ସୃଷ୍ଟି କରେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଏସବୁ ବଡ଼ ବଜାର ଯୋଗାଉଥିଲା। ପାଠକମାନଙ୍କ ବୌଦ୍ଧିକ ବିକାଶ, ରାଜ୍ୟ ତଥା ରାଜ୍ୟ ବାହାରର ଲେଖକ ଓ ପ୍ରକାଶକମାନଙ୍କ ପାଇଁ ‘ପୁସ୍ତକ ମେଳା’ କେବେ ପଠନର ଶୋଷ ମେଣ୍ଟାଉଥିଲା ତ’ କେବେ ରୋଜଗାର ସୁବିଧା ଦେଉଥିଲା। କିନ୍ତୁ କରୋନା ମହାମାରୀ ମନୋରଞ୍ଜନଠାରୁ ଆରମ୍ଭ କରି ଲୋକମାନଙ୍କ ବୌଦ୍ଧିକ ବିକାଶ ଓ ରୋଜଗାରରେ ବିରାମ ଲଗାଇଛି।
ଏସବୁ ଭିତରେ ହାତ ବାନ୍ଧି ବସିଥିବା ବ୍ୟବସାୟୀମାନେ ପ୍ରଦର୍ଶନୀ ଋତୁକୁ ନେଇ ବେଶ୍ ଆଶାବାଦୀ ଥିବା ବେଳେ ପ୍ରଦର୍ଶନୀକୁ ଅନୁମତି ନ ମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟର ଅନ୍ୟତମ ବଡ଼ ପ୍ରଦର୍ଶନୀ ‘ତୋଷାଳୀ ମେଳା’ ଗତବର୍ଷ ଆୟୋଜିତ ହୋଇଥିଲା କିନ୍ତୁ ଚଳିତ ବର୍ଷ ପାଇଁ ଏଯାଏ ଅନୁମତି ମିଳିନାହିଁ। ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ବୈଠକ ବସିନାହିଁ। ଏଥିସହ ପଡ଼ିଆ ବୁକିଂ ପାଇଁ ମଧ୍ୟ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା ବିଭାଗ ପକ୍ଷରୁ କୁହାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍ମାସ୍ ପକ୍ଷରୁ ଆୟୋଜିତ ହେଉଥିବା ‘ଶିଶିର ସରସ ମେଳା’ ଗତବର୍ଷ କରୋନା ଯୋଗୁଁ ବନ୍ଦ ରହିଥିଲା। ଚଳିତ ବର୍ଷ ମଧ୍ୟ ଏହାର ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇନାହିଁ।
୨୦୧୯ ମସିହାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, କଳିଙ୍ଗ ପୁସ୍ତକ ମେଳା କମିଟି ଓ କଟକ ପବ୍ଲିସର୍ସ ଆସୋସିଏସନ୍ର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’। ଏହା ସଫଳ ହୋଇଥିବା ବେଳେ ପାଠକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ଆସିଥିଲା। କିନ୍ତୁ ଗତବର୍ଷ ସମସ୍ତ ପ୍ରସ୍ତୁତି ସତ୍ତ୍ବେ କରୋନା ମହାମାରୀ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହି ପୁସ୍ତକ ମେଳାକୁ ବାତିଲ କରିବାକୁ ପଡ଼ିଥିଲା। ଫଳରେ ଆୟୋଜକ, ପ୍ରକାଶକ, ଲେଖକ ଓ ପାଠକ ସମସ୍ତେ ନିରାଶ ହୋଇଥିଲେ। ରାଜଧାନୀ ପୁସ୍ତକ ମେଳା କମିଟିର ଆବାହକ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଗତବର୍ଷ ସମସ୍ତ ପ୍ରସ୍ତୁତି ସତ୍ତ୍ବେ ଶେଷରେ ୨ ଦିନ ପୂର୍ବରୁ ମେଳାକୁ ବାତିଲ କରାଗଲା। ଚଳିତ ବର୍ଷ ମେଳାକୁ ଅନୁମତି ମିଳିନଥିବାରୁ ଏଯାଏଁ ଆମେ ମେଳା ଆୟୋଜନ ପାଇଁ କୌଣସି ପଦକ୍ଷେପ ନେଇନାହୁଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/33-7.jpg)