ଖଣ୍ଡଗିରି: ଭୁବନେଶ୍ବର ମହାନଗର ନିଗମ ୨୩ ନମ୍ବର ୱାର୍ଡ କଳିଙ୍ଗବିହାର କେ-୪, କେ-୫, କେ-୬, କେ-୭ ଓ କେ-୮ର ପ୍ରମୁଖ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। କେତେକ ସ୍ଥାନରେ ସ୍ବେରେଜ୍‌ ଲାଇନ୍‌ ନିର୍ମାଣ ପାଇଁ ରାସ୍ତା ଖେଳାଯାଇ ପୂରା ବିଗିଡ଼ି ଯାଇଥିବା ବେଳେ କିଛି ସ୍ଥାନରେ ନିମ୍ନମାନର କାମ ଯୋଗୁଁ ରାସ୍ତା ଖରାପ ହୋଇଥିବା ଅଭିଯୋଗ ହେଉଛି। ରାସ୍ତା ଖରାପ ଯୋଗୁଁ ଯାତାୟାତ ପାଇଁ ସ୍ଥାନୀୟ ଲୋକେ ଭାରି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଅନେକ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ଖାଲଖମା ଭର୍ତ୍ତି ଏ ଅଞ୍ଚଳର ରାସ୍ତାସବୁ ରାତିରେ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଛି। 

Advertisment

କଲୋନିରୁ ବାହାରି ମୁଖ୍ୟରାସ୍ତାରେ ମିଶୁଥିବା ଅଞ୍ଚଳର ପ୍ରାୟ ସମସ୍ତ ରାସ୍ତାର ସ୍ଥିତି ଭାରି ଶୋଚନୀୟ ହୋଇପଡ଼ିଛି। କଳିଙ୍ଗବିହାର କେ-୪ ପାଣିଟାଙ୍କି ସମ୍ମୁଖ ରାସ୍ତା, କେ-୮ ଅବ୍‌ଦୁଲ୍ କଲାମ ପାର୍କ ସମ୍ମୁଖ ରାସ୍ତା, ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ରାସ୍ତା, କେ-୬ ଗଜଲକ୍ଷ୍ମୀ ମଣ୍ଡପ ସମ୍ମୁଖ ରାସ୍ତା, କେ-୫ ବସ୍‌ ଷ୍ଟାଣ୍ଡ ସମ୍ମୁଖ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ପୁଣି ସେହି ଆବୁଡ଼ାଖାବୁଡ଼ା ରାସ୍ତାର ସ୍ଥାନେ ସ୍ଥାନେ ପାଣି ଜମି ରହୁଛି। ତେଣୁ ନିୟମିତ ଭାବେ ଦୁର୍ଘଟଣା ଘଟୁଛି। ପ୍ରାୟ ୨ବର୍ଷ ତଳେ ନିର୍ମାଣ ହୋଇଥିବା ରାସ୍ତାର ସ୍ଥିତି ଏତେ ଖରାପ ହୋଇଯିବା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ପୂର୍ବରୁ ରାସ୍ତାଟି ବେଶ୍ ଭଲ ଥିଲା। କିନ୍ତୁ ସ୍ବେରେଜ୍‌ ଲାଇନ୍‌ ନିର୍ମାଣ ପାଇଁ ରାସ୍ତାକୁ ଖୋଳି ନଷ୍ଟ କରିଦିଆଯାଇଛି। ରାସ୍ତା ଉପରେ ମାଟି ଗଦାହୋଇ ରହିଛି। କିଛି ରାସ୍ତା ଉପରେ ସ୍ବେରେଜ୍‌ ପାଣି ଜମିରହି ତା’କୁ ନଷ୍ଟ କରୁଛି।

ଠାଏଠାଏ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ବର୍ଷା ହେବାମାତ୍ରେ ଗଦା ହୋଇଥିବା ମାଟି କାଦୁଅ ରାସ୍ତାସାରା ଖେଳିଯାଉଛି। ତେଣୁ ବିଶେଷକରି ରାତିରେ ଏହି ରାସ୍ତାରେ ଯିବା ସମ୍ଭବ ହେଉନାହିଁ। ଉପରକୁ ରାସ୍ତାର ଅଧିକାଂଶ ଅଂଶ ଅନ୍ଧାର ରହୁଛି। ସ୍ଥାନୀୟ ବାସିନ୍ଦା ବିଭୂତି ନାୟକ କହିଲେ, ‘‘ଏଠି ଏଭଳି ସ୍ଥିତିରେ ରହି ନିଜକୁ ମହାନଗରବାସୀ କହିବାକୁ ଲାଜ ଲାଗୁଛି। ଆମେ ବିଚ୍ଛିନ୍ନ ଅଞ୍ଚଳରେ ନିର୍ବାସିତ ଭଳି ଜୀବନ ବିତାଉଛୁ।’’