ପବିତ୍ର ‘ଯୋଗ ନଦୀ’ ଏବେ ପୂତିଗନ୍ଧମୟ ନର୍ଦ୍ଦମା, କଂକ୍ରିଟ୍‌ ଜଙ୍ଗଲରେ ହଜିଗଲା ଅସ୍ତିତ୍ବ

ଖଣ୍ଡଗିରି: ଏକଦା ଚିରସ୍ରୋତା କ୍ଷୁଦ୍ର ଝରଣାଟି ଥିଲା ଯୋଗୀମୁନିଙ୍କୁ ସ୍ନାନପୀଠ। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରୁଥିବା ଯୋଗ ପୁରୁଷମାନଙ୍କ ସ୍ନାନ ଶୌଚର କ୍ଷେତ୍ର। ଏହାର ଜଳ ଥିଲା ବେଶ୍ ନିର୍ମଳ ଓ ପବିତ୍ର। ଏହି ଝରଣା କୂଳେକୂଳେ ଥିଲା ଶସ୍ୟ କ୍ଷେତ। ଫଳୁଥିଲା ସୁନାର ଫସଲ। ଲୋକେ ଏହି ଝରଣାକୁ ଏକ ପବିତ୍ର ନଦୀ ଭାବେ ଗ୍ରହଣ କରିନେଇଥିଲେ। ପୂଜା କରୁଥିଲେ। ଉଦୟଗିରି ତଳେ ବରମୁଣ୍ଡା ଦେଇ ବହି ଯାଉଥିବା ଏହି ଝରଣାକୁ ଲୋକେ ଯୋଗ ନଦୀ ବୋଲି କହୁଥିଲେ। କିନ୍ତୁ ସମୟଚକ୍ରରେ ଏହି ପବିତ୍ର ନିର୍ଝରିଣୀ ଆଜି ରାଜଧାନୀର ପୂତିଗନ୍ଧମୟ ନର୍ଦ୍ଦମା। ଗତ କିଛି ବର୍ଷ ହେଲା କଂକ୍ରିଟ୍‌ ସହରରେ ନଦୀର ଅସ୍ତିତ୍ବ ହଜି ଯାଇଛି। କର୍ପୂର ଉଡ଼ି ଯାଇଛି, କପଡ଼ା ପଡ଼ିରହିଛି ନ୍ୟାୟରେ ଆଜି ସେହି ପବିତ୍ର ନଦୀ ଗୁପ୍ତ ଅବସ୍ଥାରେ ମାଟି ତଳେ ପ୍ରବାହମାନ ବୋଲି ବିଶ୍ବାସ ରହିଛି। ସହର ମାଡ଼ି ବସିଥିଲେ ବି ମାଟି ତଳୁ ତା’ର ଅସ୍ତିତ୍ବକୁ ଉପଲବ୍‌ଧି କରି ହେଉଛି।

ସ୍ଥାନୀୟ ବରମୁଣ୍ଡା, ଜାଗମରା, ଘାଟିକିଆ, ନୂଆପଲ୍ଲୀ ଓ ଗଣ୍ଡମୁଣ୍ଡା ଗ୍ରାମବାସୀଙ୍କ ସୂଚନାନୁସାରେ, ଏକ ଅର୍ଜୁନ ଗଛ ମୂଳରୁ ଏହି ଝରଣା ଉତ୍ପତ୍ତି ଲାଭ କରିଥିଲା। ଏବେ ବି ସେହି ଅର୍ଜୁନ ଗଛ ରହିଛି ଓ ତା’ ମୂଳର ଝରଣା ବି ରହିଛି। କିନ୍ତୁ ନଦୀ ଶୋଇଯାଇଛି ମାଟି ତଳେ। ଉପରେ ବହୁଛି ସହରର ନର୍ଦ୍ଦମା। ଚନ୍ଦକା ଜଙ୍ଗଲର ଉପତ୍ୟକାରୁ ସୃଷ୍ଟି ଏହି ଝରଣା ସେ‌ତେବେଳେ ଖଣ୍ଡଗିରିର ସାଧୁସନ୍ଥଙ୍କ ପାଇଁ ବେଶ୍ ଉପଯୋଗୀ ଥିଲା। ଘଞ୍ଚ ଅରଣ୍ୟ ଥିବା ବେଳେ ଉକ୍ତ ପାହାଡ଼‌ରେ ଯୋଗ ସାଧନ କରୁଥିବା ମୁନିଋଷିମାନେ ଏହି ନଦୀରେ ତିଳତର୍ପଣ ଓ ସ୍ନାନଶୌଚ ଇତ୍ୟାଦି କରୁଥିଲେ। ଯୋଗ ତଥା ତପ ସାଧକମାନଙ୍କ ପାଇଁ ଏହାକୁ ଯୋଗ ନଦୀ ବୋଲି କୁହାଯାଉଥିଲା। ବଡ଼ କଥା ହେଉଛି, ଏହା ନିଦାଘ ଗ୍ରୀଷ୍ମକାଳରେ ବି ଶୁଖୁନଥିଲା। ତେଣୁ ଏହାର କୂଳରେ ଥିବା ବରମୁଣ୍ଡା, ଜାଗମରା, ଗଣ୍ଡମୁଣ୍ଡା ଗାଁର ଲୋକେ ବର୍ଷ ସାରା ଚାଷ କରୁଥିଲେ। ତେଣୁ ଏହି ନଦୀ ଥିଲା ସ୍ଥାନୀୟ ଲୋକଙ୍କ ଜୀବନଧାରା।

କିନ୍ତୁ ଗତ ପ୍ରାୟ ୪୦ବର୍ଷ ଭିତରେ ସବୁ କିଛି ବଦଳିଗଲା। କଂକ୍ରିଟ୍‌ ଜଙ୍ଗଲ ସବୁଜ ବନାନୀକୁ ଧ୍ବଂସ କରିଦେଲା। ଆପେଆପେ ଗୁପ୍ତ ଅବସ୍ଥାକୁ ଚାଲିଗଲା ଯୋଗ ନଦୀ। ସତେ ଯେମିତି ମାଟି ତଳେ ପୋତି ହୋଇଗଲା। ଖଣ୍ଡଗିରି ପାହାଡ଼ ବି ତା’ର ଆଧ୍ୟାତ୍ମିକ ସତ୍ତା ହରାଇ ବସିଲା। ପୂର୍ବ ଭଳି ତପ ଭୂମି ରହିଲା ନାହିଁ। ସହର ଆଁରେ ଗିଳି ହୋଇଗଲା ପବିତ୍ର ବାତାବରଣ। ଚାରିକଡ଼‌ରେ ଗଢ଼ି ଉଠିଲା କଲୋନି ଓ ଆପାର୍ଟମେଣ୍ଟ। ଡ୍ରେନ୍‌ ତିଆରି ହେଲା ଯେଉଁଠି ନଦୀ ବହି ଯାଉଥିଲା। ସହରର ଆବର୍ଜନା ବହିଲା ଏହି ଡ୍ରେନ୍‌ରେ।
ସୂଚନାଯୋଗ୍ୟ ଏହି ନଦୀ କୂଳକୁ ଲାଗି ରହିଥିବା ଯୋଗ ନଦୀ ସିଦ୍ଧି ଆଶ୍ରମ ଆଜି ବି ରହିଛି। ୧୬୦୦ ମସିହାରୁ ଏହି ଆଶ୍ରମ ରହିଛି। ମଠର ମହନ୍ତ ଶ୍ରୀଗୌରଗୋବିନ୍ଦ ଦାସ କୁହନ୍ତି, ସମୟକ୍ରମେ ନଦୀ ଗୁପ୍ତ ଅବସ୍ଥାକୁ ଚାଲି ଯାଇଛି। ଯେଉଁଠି ଡ୍ରେନ୍‌ ବହୁଛି, ତା’ ତଳେ ଲୁଚି ରହିଛି ନଦୀର ସତ୍ତା। ନଦୀ ସିନା ମରିଯାଇଛି, ପବିତ୍ରତାର ମୃତ୍ୟୁ ନାହିଁ। ଏବେ ବି ଏହି ନଦୀର ସତ୍ତାକୁ ଅନୁଭବ କରିହୁଏ। ଶୀତ ଦିନେ ଏହି ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହୁଏ। ଏମିତିକି ପ୍ରଚଣ୍ଡ ଖରା ବେଳେ ଏଠାରେ ବହୁଥିବା ପବନ ବେଶ୍ ଶୀତଳ ଲାଗେ। ତେଣୁ ଏହି ପବିତ୍ର ନଦୀ ବାବଦରେ ଜାଣିଥିବା ଲୋକେ ହିଁ କେବଳ ଅନୁଭବ କରିପାରନ୍ତି। ତେଣୁ ଆଜି ଇତିହାସ ହୋଇଯାଇଥିବା ଚିରସ୍ରୋତା ଯୋଗ ନଦୀ ଚିରକାଳ ଅମର ବୋଲି ମହନ୍ତ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର