ଚନ୍ଦ୍ରଶେଖରପୁର: ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ବିଦେଶରୁ ଶହ ଶହ ସଂଖ୍ୟାରେ ପ୍ରବାସୀ ଭୁବନେଶ୍ବର ଆସିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହେବେ। ଏଥିଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ସଫଳତାର ସହ ପୁଲିସ ଡିଜି/ଆଇଜି ସମ୍ମିଳନୀ ଶେଷ ହୋଇଥିବା ବେଳେ ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ତା’ପୂର୍ବରୁ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଭିଡ଼ ଚିନ୍ତାର କାରଣ ପାଲଟିଛି। ଜାଭିୟର ଛକ ପାଖରୁ କିଟ୍‌ ଛକ ପର୍ଯ୍ୟନ୍ତ ବାମପାର୍ଶ୍ବ ବିକଳ୍ପ ରାସ୍ତା ଖୋଲିଥିଲେ ମଧ୍ୟ ଏହି ରାସ୍ତାରୁ ଭିଡ଼ କମୁନାହିଁ। ବରଂ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହେଉଛି। ଅନ୍ୟ ଦିନଗୁଡ଼ିକରେ ଭିଡ଼ ଟିକିଏ କମ୍‌ ରହୁଥିଲେ ମଧ୍ୟ ଶନିବାର ଓ ରବିବାର ରାଜଧାନୀବାସୀ ନାକରେ କାନ୍ଦୁଛନ୍ତି। ଗୋଟିଏ ପାର୍ଶ୍ବରେ ବିମାନବନ୍ଦର, ଅପରପକ୍ଷେ କଟକ ଯିବା ପାଇଁ ବିକଳ୍ପ ରାସ୍ତା; ତା’ ସାଙ୍ଗ‌କୁ ରାଜଧାନୀର ବଡ଼ବଡ଼ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଏହି ରାସ୍ତାରେ ପଡ଼ୁଛି। ଅବ୍ୟବସ୍ଥିତ ଟ୍ରାଫିକ୍‌ ପରିଚାଳନା ଯୋଗୁଁ ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଅଘଟଣ ମଧ୍ୟ ଘଟୁଛି। 

Advertisment

ଜୟଦେବବିହାର-କିଟ୍‌ ଛକ ରାସ୍ତା ଚିନ୍ତାଜନକ
କିଟ୍‌-ନନ୍ଦନକାନନ ରାସ୍ତାରେ ବୁଲା ଗାଈଗୋରୁ
ଦୁଇ ଦିନରେ ୮ ଛୋଟବଡ଼ ଦୁର୍ଘଟଣା, ଏକାଧିକ ଆହତ

ଦୁଇ ଦିନ ମଧ୍ୟରେ ଏହି ରାସ୍ତାରେ ଛୋଟ ବଡ଼ ୮ଟି ଦୁର୍ଘଟଣା ହୋଇଛି। ଏକାଧିକ ଆହତ ହୋଇଛନ୍ତି। ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ବିମାନବନ୍ଦରରୁ ପଟିଆ ପର୍ଯ୍ୟନ୍ତ ରାସ୍ତାକୁ କମିସନରେଟ୍‌ ପୁଲିସ ଭିଆଇପି ରୋଡ୍‌ର ଆଖ୍ୟା ଦେଇଛି। ଦିନକୁ ଦିନ ଗହଳି ବଢ଼ୁଥିବାରୁ ଟ୍ରାଫିକ୍‌ ଜନିତ ସମସ୍ୟାରୁ ମୁକ୍ତ ରଖିବାକୁ ପାଖାପାଖି ୫ ବର୍ଷ ତଳେ କମିସନରେଟ୍‌ ପୁଲିସ ବହୁ ଯୋଜନା କରିଥିଲା। ରାସ୍ତାରେ ବେଆଇନ ପାର୍କିଂ, ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ, ଓଭରଟେକିଂ ସହ କୌଣସି ପ୍ରକାରର ଟ୍ରାଫିକ୍‌ ଉଲ୍ଲଂଘନକୁ କ୍ଷମା ଦିଆଯିବ ନାହିଁ ବୋଲି ଘୋଷଣା ହୋଇଥିଲା। କେବଳ ସେତିକି ନୁହେଁ, ପ୍ରଥମ କରି ପରୀକ୍ଷାମୂଳକ ଭାବେ ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଥିଲା। ଲାଗୁ ହେବାର ପ୍ରଥମ କିଛି ଦିନ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରାଗଲା। ବେଆଇନ ପାର୍କିଂ କଲେ ପୁଲିସ କାର୍‌‌ ଚକ‌ରେ ଜାମର୍‌ ଛନ୍ଦି ଦେଲା। ଏପରିକି ଡ୍ରୋନ୍‌ ଉଡ଼ାଇ ଉଲ୍ଲଂଘନକାରୀଙ୍କୁ ଧରିଲା। ପୁଲିସର ଏପରି ତତ୍ପରତା ଦେଖି ରାଜଧାନୀବାସୀ ଆଶ୍ବସ୍ତ ହୋଇଗଲେ ଯେ ଅନ୍ତତଃ ଏହି ରାସ୍ତାରେ ଆଉ ଟ୍ରାଫିକ୍‌ ସମସ୍ୟା ଦେଖିବାକୁ ମିଳିବ ନାହିଁ। ମାତ୍ର କିଛି ଦିନ କଡ଼ାକଡ଼ି ପରେ ପୁଲିସ ଚୁପ୍‌ ବସିଯାଇଛି। 

ଗତ କିଛି ଦିନ ହେଲା ଜୟଦେବବିହାର ଛକରେ ଟ୍ରାଫିକ୍‌ ପରିଚାଳନା ଅଣାୟତ୍ତ ହୋଇଯାଇଛି। ସନ୍ଧ୍ୟା ସମୟରେ ଶହ ଶହ ଗାଡ଼ି ଜୟଦେବବିହାରଛକ ଠାରୁ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ ପର୍ଯ୍ୟନ୍ତ ଲମ୍ବୁଛି। ଜାଭିୟର ଛକରେ ମଧ୍ୟ ତଦ୍ରୂପ ଅବସ୍ଥା। ଏତେ ଭିଡ଼ ହେଉଛି ଯେ ନାଲ୍‌କୋ ଅଫିସ୍‌ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଲମ୍ବା ଧାଡ଼ିରେ ଅଟକି ରହୁଛନ୍ତି। ଡମଣା ଟ୍ରାଫିକ୍‌ ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁପାର୍ଶ୍ବ ୧୦ ସେକେଣ୍ଡ ପାଇଁ ଖୋଲୁଛି ତ ଆଉ କେଉଁଟା ଦୁଇ ମିନିଟ୍‌ ଯାଏ। ଏହି ଛକରୁ ୪ଟି ରାସ୍ତା ସଂଯୋଗ କରୁଥିବାରୁ ଟ୍ରାଫିକ୍‌ ପରିଚାଳନା ଏକପ୍ରକାର ଭୁଶୁଡ଼ି ପଡ଼ିଛି। ପଟିଆ ଓ କିଟ୍‌ ଛକ ଅବସ୍ଥା ମଧ୍ୟ ତଦ୍ରୂପ। କିଟ୍‌ରୁ ନନ୍ଦନକାନନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ବୁଲା ଗାଈଗୋରୁଙ୍କ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ଚିନ୍ତାର କାରଣ ପାଲଟିଛି। ସେପଟେ ସମ୍ମିଳନୀ ପାଇଁ ଏବେ ରାସ୍ତାପାର୍ଶ୍ବରେ ଲୁହା ବାରିକେଡ୍‌ କରାଯାଉଥିବାରୁ ତାହା ସମସ୍ୟାକୁ ଆହୁରି ବଢ଼ାଇବ। ତେଣୁ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଏହାକୁ ନ ସଜାଡ଼ିଲେ ସହରବାସୀ ଆହୁରି ଅସୁବିଧାର ସମ୍ମୁଖୀନ ହେବେ ବୋଲି ମତପ୍ରକାଶ ପାଇଛି। ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ସମ୍ମିଳନୀର ଟ୍ରାଫିକ୍‌ ପରିଚାଳନା ନେଇ ଏପର୍ଯ୍ୟନ୍ତ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ସୁରକ୍ଷା‌ ଉପରେ ପ୍ରାଥମିକତା ଦେଉଛୁ। ଖୁବ୍‌ଶୀଘ୍ର ସ୍ଥିତିକୁ ଦେଖି ଆମେ ପଦକ୍ଷେପ ନେବୁ।