ଭୁବନେଶ୍ବର: ବାଲେଶ୍ବରର ଯଶସ୍ବିନୀ ମିଶ୍ର। ପେଶାରେ ଜଣେ ପରିବେଶବିତ୍। ୨୦୧୮ ମସିହାରୁ ମାତୃତ୍ବ ଲାଭ ପାଇଁ ଅନେଇ ବସିଛନ୍ତି। କୋଳକୁ ଗୋଟିଏ ସନ୍ତାନ ଆସିଲେ, ସଂସାର ହସି ଉଠିବ ଓ ନାରୀ ଜୀବନର ପୂର୍ଣ୍ଣତା ମିଳିବ। ଏପରି ଭାବି ଶେଷରେ ସେ ୨୦୧୯ ମସିହାରୁ ଆଇଭିଏଫ୍(ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍) ଚିକିତ୍ସାରେ ରହିଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ, ଶାରୀରିକ ଓ ମାନସିକ ଯନ୍ତ୍ରଣା ସହ ୪ ବର୍ଷ ବିତିଗଲା ପଛେ ସେ ସନ୍ତାନର ଜନନୀ ହୋଇପାରିଲେନି। କେବଳ ଯଶସ୍ବିନୀ ନୁହନ୍ତି, ନିଜର ସନ୍ତାନ ଚାହୁଥିବା ଏଭଳି ଅନେକ ମହିଳା ଏବେ ଘରୋଇ ଆଇଭିଏଫ୍ ସେଣ୍ଟରମାନଙ୍କ ଦ୍ବାରା ଶୋଷଣର ଶିକାର ହେଉଥିବା ବେଳେ ସରକାରୀସ୍ତରରେ ଏନେଇ କୌଣସି ବ୍ୟବସ୍ଥା ହେଉନାହିଁ। ଦୁଃଖର ବିଷୟ ରାଜ୍ୟର କୌଣସି ସରକାରୀ ମେଡିକାଲ୍ କଲେଜରେ ଆଇଭିଏଫ୍ ସେଣ୍ଟର ନଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ତତ୍ପରତା ପ୍ରକାଶ କରିନାହିଁ।
ସରକାରୀ ଡାକ୍ତରଖାନାରେ ନାହିଁ ଆଇଭିଏଫ୍ ଚିକିତ୍ସା ସୁବିଧା
ଘରୋଇ ଆଇଭିଏଫ୍ ସେଣ୍ଟରଙ୍କ ପାଇଁ ନାହିଁ ଗାଇଡ୍ଲାଇନ୍
ବିଳମ୍ବିତ ବିବାହ, ଚାପଗ୍ରସ୍ତ ଜୀବନଶୈଳୀ ଓ ପ୍ରଦୂଷିତ ପରିବେଶ ପ୍ରଜନନ କ୍ଷମତା ହ୍ରାସ କରୁଛି। ଜନସଂଖ୍ୟାରେ ସ୍ଥିରତା ପାଇଁ ପ୍ରଜନନ ହାର ୨.୧% ରହିବାର ଆବଶ୍ୟକତା ଥିବାବେଳେ ଓଡ଼ିଶାରେ ଏହା ସଂପ୍ରତି ୧.୮%କୁ ହ୍ରାସ ପାଇଛି। ଏପରିକି ୨୦୩୬ ମସିହା ବେଳକୁ ଏହା ୧.୨%କୁ କମିଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପପୁଲେସନ୍ ପ୍ରୋଜେକ୍ସନ୍ ଫର୍ ଇଣ୍ଡିଆ ଆଣ୍ଡ୍ ଷ୍ଟେଟ୍ସ ୨୦୧୧-୨୦୩୬’ ଶୀର୍ଷକ ରିପୋର୍ଟରେ ପ୍ରକାଶ ପାଇଛି। ସର୍ବେକ୍ଷଣରୁ ଜଣାପଡ଼ିଛି, କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳର ମହିଳାମାନେ ବି ବନ୍ଧ୍ୟାତ୍ବର ଶିକାର ହେଉଥିବା ବେଳେ ସରକାରୀସ୍ତରରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସେମାନେ ନିସନ୍ତାନ ରହିବାକୁ ବାଧ୍ୟ ହେଉଛନ୍ତି। ଏମ୍ସ୍, ଭୁବନେଶ୍ବର ଓ କଟକ ବଡ଼ ଡାକ୍ତରଖାନା ପରି ପ୍ରତିଷ୍ଠିତ ଅନୁଷ୍ଠାନରେ ଏହି ଚିକିତ୍ସା ଆରମ୍ଭ ହୋଇନାହିଁ। ଫଳରେ କଟକ, ଭୁବନେଶ୍ବର ଭଳି ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ ଛତୁ ଫୁଟିବା ଭଳି ଆଇଭିଏଫ୍ ସେଣ୍ଟରମାନ ଖୋଲିଛି। ଚିକିତ୍ସା ଖର୍ଚ୍ଚ, ମା’ ଶରୀର ଉପରେ ବିଭିନ୍ନ ଔଷଧ, ଇଂଜେକ୍ସନ୍ର ପରୀକ୍ଷଣ ଓ ଗବେଷଣା ତଥା ଚିକତ୍ସା ସମୟ ସୀମାର ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ନ ଥିବାରୁ କେତେକ ଘରୋଇ ଆଇଭିଏଫ୍ ସେଣ୍ଟର ରୋଗୀଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ଭାବେ ଲୁଟୁଥିବା ଅଭିଯୋଗ ହେଉଛି।
ସହରାଞ୍ଚଳର ମହିଳାମାନେ ଘରୋଇ ଆଇଭିଏଫ୍ ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ଆଇଭିଏଫ୍ର ଏକ ସେସନ୍ ବା ମାସିକ ଇଞ୍ଜେକ୍ସନ୍, ଔଷଧ ଓ ଲ୍ୟାବ୍ ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ଥରେ ଆଇଭିଏଫ୍ କଲେ ମା’ ଗର୍ଭବତୀ ହେବାର ୬୦% ସମ୍ଭାବନା ରହିଥାଏ। ଫଳରେ ଏହି ପ୍ରକ୍ରିୟା ମା’ ଶରୀରରେ ବାରମ୍ବାର କରାଯାଇଥାଏ, ଯାହାକି ମା’କୁ ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଥିବା ବେଳେ ଆର୍ଥିକ ସ୍ତରରେ ବି ସେମାନେ ଶୋଷିତ ହୋଇଥାନ୍ତି। ଅଧିକାଂଶ ମହିଳା ଏହି ଚିକିତ୍ସାରେ ୩ରୁ ୪ ବର୍ଷ ରହୁଥିବା ବେଳେ ୧୦ ଲକ୍ଷରୁ ଅଧିକ ଖର୍ଚ୍ଚ କରୁଥିବା ତଥ୍ୟ କହୁଛି।
ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ହରପ୍ରୀତ୍ କୌର୍ କହିଛନ୍ତି, ଦିନକୁ ଦିନ ପ୍ରଜନନ ହାର କମୁଥିବା ବେଳେ ୧୦୦ରେ ୫ରୁ ୬ ଜଣ ରୋଗୀଙ୍କର ଆଇଭିଏଫ୍ ଦ୍ବାରା ସନ୍ତାନ ଜନ୍ମର ସମ୍ଭାବନା ରହିଥାଏ। ହେଲେ ସରକାରୀ ବ୍ୟବସ୍ଥାା ଅଭାବ ଓ ଆର୍ଥିକ ବ୍ୟୟଭାର ସହି ପାରୁନଥିବାରୁ, ଆଇଭିଏଫ୍ କରିବାକୁ ଏହି ମହିଳାମାନେ ସମର୍ଥ ହୁଅନ୍ତି ନାହିଁ। ଯନି ଏ ଦିଗରେ ସରକାରସ୍ତରରେ ଚିନ୍ତା କରାନଯାଏ, ତେବେ ୨୦୩୬ ମସିହା ବେଳକୁ ଓଡ଼ିଶାରେ ଶିଶୁ(୧୫ ବର୍ଷରୁ କମ୍ ବୟସ)ଙ୍କ ସଂଖ୍ୟା ପାଖାପାଖି ୨୩ % କମିଯିବ। ସେହିଭଳି ଯୁବପିଢ଼ି ବା ୫୦ ବର୍ଷ ବୟସ୍କଙ୍କ ସଂଖ୍ୟା ବି କମିବ। ଅନ୍ୟପକ୍ଷରେ ବୟସ୍କ (୬୦ ବର୍ଷରୁ ଅଧିକ) ବ୍ୟକ୍ତିଙ୍କ ସଂଖ୍ୟା ୨୦୩୬ ମସିହା ବେଳକୁ ୧୧୧%ରୁ ଅଧିକ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି।