ବାଲିଅନ୍ତା ବଜାର: ବାଲିଅନ୍ତାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି ଏବଂ ଖୁବ୍ ଶୀଘ୍ର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଧନୁଆ ନଦୀ ବଇଁଚୁଆ କାଜ ଉପରେ ବ୍ରିଜ୍ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି। ସେହିଭଳି ଚଣାହଟ୍ଟା-ରାଜସ ରାସ୍ତା ଦେଇ ଧନୁଆ ନଦୀରେ କୃଷ୍ଣପୁରଠାରେ ଏକ ହାଇ ଲେଭଲ୍ ବ୍ରିଜ୍ ନିର୍ମାଣ ପାଇଁ ମଧ୍ୟ ମଞ୍ଜୁରି ମିଳିଛି। ଆଜି ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଜୟଦେବ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି।
ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍ ବିଭାଗୀୟ ଇଞ୍ଜିନିୟର୍ ଇନ୍ ଚିଫ୍ଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଦୁଇ ବ୍ରିଜ୍ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବଇଁଚୁଆ କାଜ ବ୍ରିଜ୍ ୩ କିମି ଲମ୍ବ ବିଶିଷ୍ଟ ହେବ ଓ ଧବଳହାର ରାସ୍ତାକୁ ସଂଯୋଗ କରିବ। ସେହିଭଳି କୃଷ୍ଣପୁର ବ୍ରିଜ୍ ୭ କିମି ଲମ୍ବ ବିଶିଷ୍ଟ ହେବ। ସରକାରୀ ମଞ୍ଜୁରି ମିଳିବା ପରେ ଏନେଇ ଖୁବ୍ ଶୀଘ୍ର ଟେଣ୍ଡର ହେବ ବୋଲି ବିଭାଗୀୟ ଯନ୍ତ୍ରୀମାନଙ୍କୁଠାରୁ ସୂଚନା ମିଳିଛି। ବଇଁଚୁଆସ୍ଥିତ କାଜ ଉପରେ କୁଶଭଦ୍ରା ନଦୀର ବନ୍ୟା ଜଳ ପ୍ରବାହିତ ହୋଇ ଧନୁଆ ନଦୀକୁ ପ୍ରବାହିତ ହୁଏ। ଫଳରେ କାଜ ତଳେ ଥିବା ରାସ୍ତାଟି ବୁଡ଼ିଯିବାରୁ ଚଳାଚଳ ବନ୍ଦ ହୋଇଯାଏ।
ତେଣୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ବନ୍ୟା ସମୟରେ ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଉଛି। ବଇଁଚୁଆ, ଭିଙ୍ଗାରପୁର, ସତ୍ୟଭାମାପୁ୍ର, ବେଣ୍ଟପୁର, କାକରୁଦ୍ରପୁର ପଞ୍ଚାୟତର ରୋଗୀମାନଙ୍କୁ ଲୋକେ କାନ୍ଧରେ ଭାରା ସାହାଯ୍ୟରେ ଅନ୍ୟ ପାର୍ଶ୍ବକୁ ପାର୍ କରନ୍ତି। ଛାତ୍ରଛାତ୍ରୀମାନଙ୍କ ସ୍କୁଲ, କଲେଜ ଯିବା ବନ୍ଦ ହୋଇଯାଏ। ତେଣୁ ଏହି କାଜ ଉପରେ ଏକ ବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ଆଜି ବ୍ରିଜ୍ ନିର୍ମାଣ ପାଇଁ ସରକାରଙ୍କ ମଞ୍ଜୁରି ମିଳିବା ପରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସାହୁ, ବିଜୟ କୁମାର ନାଥ, ଜିତେନ୍ଦ୍ର ଜେନା, କୈଳାସ ଚନ୍ଦ୍ର ବେଦାନ୍ତ, ଶରତ ଦାସ, ଟୁନିଆ ସାହୁ, ପ୍ରକାଶ ଚନ୍ଦ୍ର ବେଦାନ୍ତ, ହୃଦାନନ୍ଦ ସ୍ୱାଇଁ, ନବୀନ ଚନ୍ଦ୍ର ସାହୁ ପ୍ରମୁଖ ସରକାରଙ୍କୁ ଓ ବିଧାୟକ ଅରବିନ୍ଦ ଢାଲିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ କୃଷ୍ଣପୁର ବ୍ରିଜ୍ ନିର୍ମାଣ ହେବା ପରେ ବାଲିପାଟଣାକୁ ପିପିଲି, ନିମାପଡ଼ା ଦେଇ ପୁରୀକୁ ଯାତାୟାତ ସହଜ ହୋଇଯିବ। ରାଜସ, ଆଳିସି, ମକୁନ୍ଦଦାସପୁର, ସୋମଣାଶାସନ ଆଦି ପଞ୍ଚାୟତର ଲୋକେ ଉପକୃତ ହେବେ।