ଭୁବନେଶ୍ବର : ଆବର୍ଜନାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଏମ୍ସି ନିଜ ଖର୍ଚ୍ଚରେ ଗାଡ଼ି ଲଗାଇ ଆବର୍ଜନା ଉଠାଇବା ପାଇଁ ଯତ୍ପରନାସ୍ତି ଉଦ୍ୟମ କରୁଛି। ହେଲେ ସେଥିରେ ଫେଲ୍ ମାରିଛି। ସହରର ପ୍ରମୁଖ ଜାଗାରେ ଆବର୍ଜନା ଗଦା ହୋଇ ରହିଛି। ଗୋଟିଏ ପଟେ ସଫେଇ ବ୍ୟବସ୍ଥାକୁ ଘରୋଇକରଣ କରାଯାଇଛି। ଯେଉଁଥିପାଇଁ ଠିକା ସଂସ୍ଥା ମାସକୁ ୪ କୋଟି ନେଉଛି। ଏଣେ ବିଏମ୍ସି ଗାଡ଼ି ଲଗାଇ ନିଜେ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ଫଳରେ ପରିମଳ ବ୍ୟବସ୍ଥାରେ ଏବେ ଘୋଡ଼ା ଛ’କୁ ଦାନା ନ ଟଙ୍କା’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅପାରଗ ଅଧିକାରୀଙ୍କ ପାଇଁ ବିଏମ୍ସି ରାଜକୋଷ ଖାଲି ହେବାରେ ଲାଗିଛି। ମାତ୍ର ଏଯାବତ୍ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିରବ ରହିଛି। ଏହା ପଛରେ ବିଭାଗୀୟ ବରିଷ୍ଠ ଅଧକାରୀମାନଙ୍କର ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ହେଉଛି।
ବଡ଼ କଥା ହେଉଛି, ନିକଟ ଅତୀତରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ସଚିବ ମନୋଜ ଯୋଶୀ ପରିମଳ ସ୍ଥିତିର ସମୀକ୍ଷା କଲା ବେଳେ ଏହି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଥିଲେ। ଯେଭଳି ଅନାବଶ୍ୟକ ଖର୍ଚ୍ଚ ନ ହୁଏ, ତାହା ଉପରେ ନଜର ରଖିବାକୁ ବିଏମ୍ସିକୁ ତାଗିଦ୍ କରିଥିଲେ। କିନ୍ତୁ ବିଏମ୍ସି ଏହାକୁ ଗୁରୁତ୍ବର ସହ ନେଇନାହିଁ। ପୂର୍ବରୁ ଓଜନ ହିସାବରେ ଠିକା ଦିଆଯାଇଥିଲା। ଆବର୍ଜନା ଓଜନ ଅନୁସାରେ ଠିକା ସଂସ୍ଥା ପଇସା ନେଉଥିଲେ। କିନ୍ତୁ ଏବେ ପ୍ରତି ୱାର୍ଡ ପିଛା ଲୋକ ଓ ଗାଡ଼ି ହିସାବ କରାଯାଇଛି। ସେହି ଅନୁସାରେ ପଇସା ଦିଆଯାଉଛି। ଟେଣ୍ଡର ମୂଲ୍ୟ ରହିଥିଲା ବର୍ଷକୁ ୬୯ କୋଟି। ଏହାବାଦ୍ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡ଼ି ବାବଦକୁ ବର୍ଷକୁ ୨୪ କୋଟି ୧୨ ଲକ୍ଷ ଖର୍ଚ୍ଚ ହେଉଛି। ଆବର୍ଜନା ପରିଚାଳନା କରିବା ପାଇଁ ଯେଉଁ ଏମ୍ସିସି ତିଆରି ହୋଇଛି ସେଗୁଡ଼ିକୁ ପରିଚାଳନା କରିବା ପାଇଁ ଦରମା ବାବଦକୁ ୫ କୋଟି ୪୦ ଲକ୍ଷ ଖର୍ଚ୍ଚ ହେଉଛି। ଏଭଳି ହିସାବ କଲେ ବର୍ଷକୁ ୯୮ କୋଟି ୫୨ ଲକ୍ଷ ଖର୍ଚ୍ଚ ହେଉଛି।
ତା’ ଛଡ଼ା ଅଳିଆ ଘରକୁ ଘର ବୁଲି ସଂଗ୍ରହ କରିବା ପାଇଁ ବିଏମ୍ସି ଏବେ ୫ଶହ ଅଟୋ କିଣିଛି। ଏଥିରେ ୩୫ କୋଟି ଖର୍ଚ୍ଚ କରିଛି। ଏଥିରେ ଡ୍ରାଇଭର ଓ ତେଲ ଖର୍ଚ୍ଚ ହିସାବ କଲେ ଏହାର ପରିମାଣ ବଢ଼ିବ। ୪୫ଟି ଏମ୍ସିସି ପ୍ରସ୍ତୁତିରେ ଖର୍ଚ୍ଚ ହୋଇଛି ୬୭ କୋଟି ୫୦ ଲକ୍ଷ। ଅଟୋ କିଣା ଖର୍ଚ୍ଚ ଯୋଗକଲେ ୧୦୨ କୋଟି ୫୦ ଲକ୍ଷ। ଯଦି ଏମ୍ସିସି ଓ ଗାଡ଼ିଗୁଡ଼ିକର ଆୟୂଷ ୫ ବର୍ଷ ହୁଏ ତେବେ ବର୍ଷକୁ ଖର୍ଚ୍ଚ ୨୦ କୋଟି ୫୦ ଲକ୍ଷ। ପରିଚାଳନା ପାଇଁ ୯୮ କୋଟି ୫୨ ଲକ୍ଷ ଓ ଭିତ୍ତଭୂମି ଖର୍ଚ୍ଚ ୨୦ କୋଟି ୫୦ ଲକ୍ଷ। ଏଭଳି ଅଳିଆ ପିଛା ବର୍ଷକୁ ୧୧୯ କୋଟି ୨ ଲକ୍ଷ ଖର୍ଚ୍ଚ ହେଉଛି। ଅଳିଆ ଟନ୍ ପିଛା ହିସାବ କଲେ, ଦିନକୁ ଭୁବନେଶ୍ବରରୁ ୫ଶହ(ହାରାହାରି) ଟନ୍ ବାହାରୁଛି। ଏହି ହିସାବରେ ବର୍ଷକୁ ୧ ଲକ୍ଷ ୮୨ ହଜାର ୫ଶହ ଟନ୍ ବାହାରୁଛି। ଅର୍ଥାତ୍ ବର୍ଷକୁ ଅଳିଆ ଟନ୍ ପିଛା ବିଏମ୍ସି ୬୫୨୧ ଟଙ୍କା ଖର୍ଚ୍ଚ କରୁଛି। ଏଥିରେ ଏବେ ଏମ୍ସିସି ପାଇଁ କିଣା ହେବାକୁ ଥିବା ସ୍ରେଡିଂ ମେସିନ୍ ଖର୍ଚ୍ଚ ହିସାବ କରାଯାଇ ନାହିଁ। ପୂରା ପରିମଳ ବ୍ୟବସ୍ଥାରେ ନୂଆ ପୁରୁଣା କର୍ମଚାରୀଙ୍କ ଦରମା, ଗାଡ଼ି ଖର୍ଚ୍ଚ, ଏସ୍ବିଏ ସେଲ୍ ଖର୍ଚ୍ଚ, ନିୟମିତ ହେଉଥିବା ପ୍ରଶିକ୍ଷଣ ଖର୍ଚ୍ଚ ହିସାବକୁ ନିଆଯାଇ ନାହିଁ।
ଅନ୍ୟପଟେ ଟେଣ୍ଡର ଦେବା ପରେ ବି ବିଏମ୍ସି ନିଜ ପାଣ୍ଠିରୁ ଖର୍ଚ୍ଚ କରି ଗାଡ଼ି ଲଗାଇ ଅଳିଆ ଉଠାଉଛି। ପ୍ରଥମେ ଲାଗିଥିବା ୨୦ ଗାଡ଼ି ଏବେ ବଢ଼ି ବଢ଼ି ୫୦ରେ ପହଞ୍ଚିଛି। ଏଥିରେ ହାଇୱା ସହ ଟ୍ରକ୍ ଓ ଟ୍ରାକ୍ଟର ରହିଛି। ଏଗୁଡ଼ିକ ଦିନ ପିଛା ଯେତିକି କାମ କରିବେ ସେହି ଅନୁସାରେ ପଇସା ନେଉଛନ୍ତି। ଏକ ହାରହାରି ହିସାବ କଲେ ଦିନକୁ ୨.୫ ଲକ୍ଷ ହିସାବରେ ମାସକୁ ବିଏମ୍ସି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ବିଶ୍ବକପ୍ ହକି ପରେ ବା ଆସନ୍ତା ଜାନୁଆରି ଶେଷ ସୁଦ୍ଧା ଏହି ସବୁ ଗାଡ଼ିକୁ ହଟାଇ ଦେବାକୁ ଯୋଜନା ହୋଇଛି। ଟେଣ୍ଡର ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଦର୍ଶାଇ କର୍ପୋରେଟରମାନେ ହୋ ହଲ୍ଲା କରିବାରୁ ଏହି ନୂଆ ଟେଣ୍ଡରକୁ ବାତିଲ କରିବାକୁ ମଧ୍ୟ ବିଏମ୍ସି ଯୋଜନା କରୁଛି। କିନ୍ତୁ ଯେଉଁ ଅଧିକାରୀଙ୍କ ଅପାରଗତା ଯୋଗୁଁ ବିଏମ୍ସି ଏହି ଅତିରିକ୍ତ ଖର୍ଚ୍ଚ ବହନ କଲା ସେମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେବ? ଏହି ଅତିରିକ୍ତ ଖର୍ଚ୍ଚ ଉପରେ ଅଡିଟ୍ ଯେଉଁ ପ୍ରଶ୍ନ ଉଠାଇବ ତାହା ପାଇଁ କିଏ ଉତ୍ତରଦାୟୀ ରହିବ? ଏଭଳି ଅନେକ ପ୍ରଶ୍ନ ଏବେ ଅଧିକାରୀଙ୍କୁ ବିବାଦୀୟ କରିଛି।