ଦୋକାନରୁ ଦାମୀ ମୋବାଇଲ୍‌ ନେଇ ପଳାଇଲେ ଧୂର୍ତ୍ତ ଯୁବତୀ

ସିସିଟିଭି ଧରାଇଦେଲା, ଥାନାରେ ହେଲା ରଫାଦଫା‌

ଭୁବନେଶ୍ବର: ଦୋକାନୀକୁ ବୋକା ବନାଇ ଜଣେ ଧୂର୍ତ୍ତ ଯୁବତୀ ଲକ୍ଷେ ୪୦ ହଜାର ଟଙ୍କା ମୂଲ୍ୟର ମୋବାଇଲ୍‌ ନେଇ ପଳାଇବା ଏବଂ ପରେ ଧରାପଡ଼ି ସତ ମାନିବା ସହ ସବୁତକ ଟଙ୍କା ଶୁଝିବା ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲେ ହେଁ ପରେ ଦୁଇପକ୍ଷର ଆପୋଷ ବୁଝାମଣା ଭିତରେ ମାମଲାର ସମାଧାନ ହୋଇଛି। ତେଣୁ ଯୁବତୀଜଣଙ୍କ ଜେଲ୍‌ ଯିବାରୁ ବର୍ତ୍ତି ଯାଇଛନ୍ତି। ପୁଲିସ ତାଙ୍କୁ କଡ଼ା ତାଗିଦ୍‌ କରି ଛାଡ଼ି ଦେଇଥିବା ଜଣାଯାଇଛି।

ଘଟଣାଟି ଥିଲା ଏହିପରି; ସହିଦନଗର ଥାନା ଅଞ୍ଚଳର ଜଣେ ଯୁବତୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସହିଦନଗରସ୍ଥିତ ସେଲ୍-୭ ମୋବାଇଲ୍ ଦୋକାନକୁ ଆସିଥିଲେ। ସେଠାରେ ଦୋକାନୀଙ୍କୁ ନୀଳ ରଙ୍ଗର ଆଇ-ଫୋନ୍ ୧୧ ପ୍ରୋ’ ମ୍ୟାକ୍ସ ମୋବାଇଲ୍ ମାଗିଥିଲେ, ଯାହାର ଦାମ୍ ୧ ଲକ୍ଷ ୪୦ ହଜାର। ଯୁବତୀଜଣଙ୍କ ଏତେ ଟଙ୍କାର ମୋବାଇଲ୍‌ କିଣିବାକୁ ଆଗ୍ରହ ଦେଖାଇବାରୁ ଦୋକାନରେ ଉକ୍ତ ମଡେଲ ଷ୍ଟକ୍ ନଥିଲେ ହେଁ ଦୋକାନୀ ଅଧଘଣ୍ଟାଏ ଭିତରେ ବାପୁଜୀ ନଗରସ୍ଥିତ ଏକ ଷ୍ଟୋର୍‌ରୁ ମଗାଇ ଦେଇଥିଲେ। ଯୁବତୀଙ୍କ ମୋବାଇଲ୍‌ ପସନ୍ଦ ହେଲା ଓ ସେ ତାହାକୁ କିଣିବେ ବୋଲି କହିଲେ। କିନ୍ତୁ ନିଜ ଏଟିଏମ୍‌ କାର୍ଡ ଖରାପ ହୋଇଥିବା କହି ତାଙ୍କ ବାପାଙ୍କ ନାମରେ ବିଲ୍ କାଟିବା ପାଇଁ କହିଲେ। ଏହାସହ ପେମେଣ୍ଟ ପାଇଁ ଦୋକାନୀଙ୍କୁ ତାଙ୍କ ଘରକୁ ଯିବାକୁ ପଡ଼ିବ ବୋଲି କହିଥିଲେ। ଯୁବତୀଙ୍କ ଚାଲାକି ବୁଝି ନ ପାରି ଦୋକାନୀଜଣଙ୍କ ବି ଏଥିରେ ରାଜି ହୋଇଥିଲେ। ଦୋକାନର ଜଣେ କର୍ମଚାରୀ ସ୍ବାଇପ୍ ମେସିନ୍ ସହ ଯୁବତୀଙ୍କ ସ୍କୁଟି ପଛରେ ବସିଲେ। କିଛି ବାଟ ଯିବା ପରେ ଯୁବତୀଜଣଙ୍କ ଗାଡ଼ିରୁ ତେଲ ସରିଗଲା କହି ପଛରେ ବସିଥିବା କର୍ମଚାରୀଙ୍କୁ ଏକ ବୋତଲ ସହ ଶ‌େହ ଟଙ୍କା ଧରାଇ ପେଟ୍ରୋଲ ପମ୍ପକୁ ପଠାଇଦେଲେ। ଅାଉ ସେ ତେଲ ଆଣିବାକୁ ଯାଇଥିବାବେଳେ ଯୁବତୀ ଜଣକ ସେଠାରୁ ଚମ୍ପଟ ମାରିଥିଲେ।

ଠକାମିର ଶିକାର ହୋଇଥିବା ଜାଣିବା ପରେ ଅନ୍ୟ ୨ କର୍ମଚାରୀଙ୍କ ସହ ଦୋକାନୀ ଯୁବତୀଙ୍କୁ ଖୋଜିଖୋଜି ସହିଦନଗର ସୁଭଦ୍ରା ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ଆପାର୍ଟମେଣ୍ଟ ସାମ୍ନାରେ ଯୁବତୀଙ୍କ ସ୍କୁଟି ଥୁଆ ହୋଇଥିବା ଦେଖି ସୁରକ୍ଷାକର୍ମୀଙ୍କଠାରୁ ତାଙ୍କ ଠିକଣା ବୁଝି ନେଇଥିଲେ। ଏହାପରେ ଯୁବତୀଙ୍କ ପରିବାରଲୋକଙ୍କୁ ବାହାରକୁ ଡକାଇ ସବୁ କଥା କହିଥିଲେ। କିନ୍ତୁ ଯୁବତୀଜଣଙ୍କ ସବୁ ବାଏଁବାଏଁ ଉଡ଼ାଇ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଦୋକାନୀଜଣଙ୍କ ସହିଦନଗର ଥାନାର ଦ୍ବାରସ୍ଥ ହେବା ସହ ତାଙ୍କ ଦୋକାନର ସିସିଟିଭି ଫୁଟେଜ୍‌ ପ୍ରମାଣ ସ୍ବରୂପ ଦେଖାଇଥିଲେ। ପୁଲିସ ଜେରା କରିବାରୁ ଯୁବତୀଜଣଙ୍କ ସବୁ ସତ ମାନି ଯାଇଥିଲେ। ପରେ ଯୁବତୀଙ୍କ ପରିବାରଲୋକ ଦୋକାନୀଙ୍କୁ ତାଙ୍କ ସମସ୍ତ ପ୍ରାପ୍ୟ ଦେବା ସହ ଘଟଣାକୁ ରଫାଦଫା କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର