ପରୀକ୍ଷଣ କେବଳ ବାହାନା, ଲଟକିଛି ବିନ୍ଦୁସାଗର ପ୍ରକଳ୍ପ

ପୁରୁଣା ଭୁବନେଶ୍ବର: ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ପାଇଁ ପାଖାପାଖି ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦୟାନଦୀରୁ ପାଇପ୍‌ ଯୋଗେ ୨୦ ଲକ୍ଷ ଲିଟର ଜଳ ଆସି ବିନ୍ଦୁସାଗରରେ ପଡ଼ିବ ଓ ପୁଣି ପାଇପ୍‌ ଯୋଗେ ବାହାରିଯିବ। ଫଳରେ ପୁଷ୍କରିଣୀରେ ରୀତିମତ ଜଳପ୍ରବାହ ଜାରି ରହିବ ଓ ଆଉ ଦଳ ସୃଷ୍ଟି ହେବାକୁ ସୁଯୋଗ ମିଳିବ ନାହିଁ। ଏହା ହେଉଛି ପ୍ରକଳ୍ପର ମୂଳ ଲକ୍ଷ୍ୟ। ତେଣୁ ଯୋଜନାନୁସାରେ ସବୁ କାମ ସରିଛି। ଦୟାନଦୀ ନିକଟରେ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି, ପାଇପ୍‌ ବିଛାଇବା କାମ ସରିଛି, ପୋଖରୀ ଚାରିକଡ଼ରେ ବି ପାଇପ୍‌ ବିଛାଇବା ଶେଷ ହୋଇଛି, ଆବଶ୍ୟକ ସ୍ଥାନରେ ମଟର ଲଗାଯାଇଛି ଓ ମୋଟରେ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ପରୀକ୍ଷଣ ବି ସରିଛି ଓ ପ୍ରକଳ୍ପ ସଫଳ ହୋଇଛି ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ପରିତାପର କଥା, ପ୍ରକଳ୍ପ ସରିବାର ବେଶ୍ କିଛି ମାସ ବିତିବା ପରେ ବି ଉଦ୍‌ଘାଟନ କରାଯାଉନାହିଁ। ଏଣେ ବିନ୍ଦୁସାଗରରେ ଭର୍ତ୍ତି ହୋଇଯାଉଥିବା ଚିଙ୍ଗୁଡ଼ିଆ ଦଳ ସଫା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ପ୍ରକଳ୍ପ ସରିବା ପରେ ପରୀକ୍ଷଣ ବାହାନାରେ ଉଦ୍‌ଘାଟନକୁ ବିଳମ୍ବ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୧୯ ମସିହାରୁ ଏହି ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ ଯୋଜନା ହୋଇଥିଲା। ଐତିହ୍ୟ ବିନ୍ଦୁସାଗରକୁ ସ୍ବଚ୍ଛ ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ସେହିପରି ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ୍‌ ଅଏଲ୍‌ର ସିଏସ୍‍ଆର ପାଣ୍ଠିରୁ ମଧ୍ୟ ଅନୁଦାନ ମିଳିଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ୭୦ ଲକ୍ଷ ଟଙ୍କା ଅନୁଦାନ କରାଇଥିଲେ। ଏହି ଅର୍ଥ ବ୍ୟୟରେ ପୋଖରୀ ୪ କଡ଼ରେ ୪ଟି ବଡ଼ ମଟର ଲଗାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେହିଭଳି ଏହି ପ୍ରକଳ୍ପରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି)ର ସହଭାଗିତା ରହିଛି। ଦୟା ନଦୀରୁ ବିନ୍ଦୁସାଗର ଯାଏ ୩ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଇପ୍ ବିଛା କାମ କରାଯାଇଛି। ଦୟା ନଦୀରେ ଏକ ପମ୍ପ ହାଉସ୍‌ କରାଯାଇଛି।

ଦୟାନଦୀରୁ ସାମନ୍ତରାପୁର ୱାଟ୍‌କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଇପ୍‌ ବିଛାଇବା କାମ ସରିଛି। ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ସାମନ୍ତରାପୁରଠାରେ ୱାଟ୍‌କୋ କାର୍ଯ୍ୟାଳୟଠାରେ ଏକ ବିଶୋଧନ ପ୍ଲାଣ୍ଟ କରାଯାଇଛି। ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍‌, ନୂଆ ଲିଙ୍ଗରାଜ ମାର୍କେଟ ଓ ତୀର୍ଥେଶ୍ବର ମନ୍ଦିର ରାସ୍ତାରେ ବିନ୍ଦୁସାଗର ପର୍ଯ୍ୟନ୍ତ ୧୨ ଇଞ୍ଚ ମୋଟେଇର ପାଇପ୍‌ ସଂଯୋଗ ସରିଛି। ବିନ୍ଦୁସାଗର ଚାରିପଟେ ୮ଇଞ୍ଚ ମୋଟେଇର ପାଇପ୍‌ ବିଛା ହୋଇଛି। ଏହିସବୁ ପାଇପ୍‌ରେ ନଦୀରୁ ଆସୁଥିବା ୨୦ ଲକ୍ଷ ଲିଟର ଜଳ ଆସି ବିନ୍ଦୁସାଗରର ୧୬ଟି ସ୍ଥାନରେ ପଡ଼ିପାରୁଛି। ବାରମ୍ବାର ପରୀକ୍ଷଣ ସରିଛି। ସ୍ଥାନୀୟ ବିଧାୟକ ଓ ବିଏମ୍‌ସି ମେୟର ବି ପରିଦର୍ଶନ କରିସାରିଛନ୍ତି। ମାତ୍ର ଉଦ୍‌ଘାଟନ କରାଯାଉନାହିଁ। ଫଳରେ ଲଟକି ରହିଛି ପ୍ରକଳ୍ପ।

ଏପଟେ ବିନ୍ଦୁସାଗରରେ ପୁଣି ମାଡ଼ିଗଲାଣି ଚିଙ୍ଗୁଡ଼ିଆ ଦଳ। ପୋଖରୀ ସାରା ମାଡ଼ିଯାଇଥିବା ଚିଙ୍ଗୁଡ଼ିଆ ଦଳ ଓ ଅନ୍ୟାନ୍ୟ ଜଳଜ ଗୁଳ୍ମ ଭର୍ତ୍ତି ହୋଇଯିବାରୁ ଜଳ ସ୍ବାଭାବିକ ଭାବେ ଦୂଷିତ ହୋଇଯାଉଛି। ଏନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ କହିବା କଥା ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଓ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ବାହାନା କରାଯାଉଛି। ନେତାମାନଙ୍କ ରାଜନୈତିକ ସ୍ବାର୍ଥ ପାଇଁ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ଉପକାରିତା ଲୋକେ ପାଉନାହାନ୍ତି। ସେହିଭଳି ସାମାଜିକ କର୍ମୀ ଭୀଷ୍ମନାରାୟଣ ନାୟକ ଅଭିଯୋଗ କରିଛନ୍ତି ଯେ ପ୍ରକଳ୍ପ ଉଦ୍‌ଘାଟନ ହୋଇଗଲେ, ଦଳ ସଫେଇରୁ ହେଉଥିବା ହାତ ଚିକ୍କଣ ବନ୍ଦ ହୋଇଯିବ। ଗତ ଦଶହରାରୁ ଏ ପର୍ଯ୍ୟନ୍ତ ୨ ଥର ଦଳ ସଫେଇ ହେଲାଣି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ପୁଣି ଦଳ ଭର୍ତ୍ତି ହୋଇଛି ଓ ସଫେଇ ମଧ୍ୟ ହେବ। ହାତ ଚିକ୍କଣ ହେବ।

ସମ୍ବନ୍ଧିତ ଖବର