ଖଣ୍ଡଗିରି: ପାଇକାରୀ ବଜାରରେ ପିଆଜ ଦର ୧୨ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ୨୫ ଟଙ୍କା ପଡ଼ୁଛି। ଖୁଚୁରା ବେପାରୀମାନେ ଏଭଳି ଭାବେ ଗ୍ରାହକଙ୍କୁ ଶୋଷଣ କରୁଥିବା ବେଳେ ରାଜ୍ୟ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି। ବଡ଼ କଥା ହେଉଛି ଏବେ ଓଡ଼ିଶା ଉତ୍ପାଦିତ ପିଆଜ ବଜାରକୁ ଆସିନାହିଁ। ତେଣୁ ଆଗକୁ ପାଇକାରୀ ବଜାରରେ ଏଭଳି ଦର ରହିଲେ, ଓଡ଼ିଶା ଚାଷୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ସୂଚନାନୁଯାୟୀ ପ୍ରତିଦିନ ରାଜଧାନୀକୁ ୩୦୦ ଟନ୍ ପିଆଜର ଆବଶ୍ୟକତା ରହିଛି। ବର୍ତ୍ତମାନ ମୁଖ୍ୟତଃ ପଶ୍ଚିମବଙ୍ଗର ଶିବସାଗର ଓ ମହାରାଷ୍ଟ୍ରର ନାସିକ୍ରୁ ପିଆଜ ଓଡ଼ିଶା ବଜାରକୁ ଆସୁଛି। ଏବେ ଦେଶର ବିଭିନ୍ନ ସ୍ଥାନରେ ପିଆଜର ବ୍ୟାପକ ଅଭାବୀ ବିକ୍ରି ହେଉଛି। କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ଜଣେ ଚାଷୀ ୭୦ କିଲୋମିଟର ଅତିକ୍ରାନ୍ତ କରି ମଣ୍ଡିକୁ ଆସିବା ପରେ ୫୧୨ କେଜି ପିଆଜକୁ ମାତ୍ର ୨ ଟଙ୍କାରେ ବିକ୍ରି କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ଚଳିତ ବର୍ଷ ପିଆଜ ଚାଷୀଙ୍କ ଦୁଃସ୍ଥିତିର ଚିତ୍ର ଦେଖାଇଥିଲା। ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ଶକ୍ତି ମିଶ୍ରଙ୍କ କହିବା ଅନୁସାରେ ଆଇଗିଣିଆ ହୋଲ୍ସେଲରମାନେ କମ୍ ଟଙ୍କାରେ ପିଆଜ କ୍ରୟ କରି ସ୍ବଳ୍ପ ଲାଭ ରଖି ବିକ୍ରି କରୁଛନ୍ତି। ଏମିତିକି ଏଠାରେ ଛୋଟ ପିଆଜର ଦର ୬ ଟଙ୍କା ରହିଛି।
କିନ୍ତୁ ଗ୍ରାହକଙ୍କୁ ଏହାର ଲାଭ ମିଳୁ ନାହିଁ। ମାତ୍ର ଖୁଚୁରା ବଜାରରେ ପିଆଜ କିଲୋ ୨୫ରୁ ୩୦ ଟଙ୍କା ଯାଏ ରହିଛି। ଅନ୍ୟଦିଗରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦିତ ହୁଏ। ଏହି ଚାଷର ପ୍ରୋତ୍ସାହନ ପାଇଁ ସମୁଦାୟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ୍ ହେକ୍ଟର ପିଛା ସର୍ବାଧିକ ୫୮ ହଜାର ଟଙ୍କା ଦିଆଯାଉଛି। ଚଳିତ ରବିରେ ୫ ହଜାର ହେକ୍ଟର ପିଆଜ ଚାଷ ହୋଇଛି। ଏଥିରେ ଅନୁଗୁଳରେ ସର୍ବାଧିକ ୬୭୦ ହେକ୍ଟର, ବଲାଙ୍ଗୀରରେ ୬୦୦ ହେକ୍ଟର, ନୂଆପଡ଼ାରେ ୪୫୦ ହେକ୍ଟର, ସୋନପୁର-ନବରଙ୍ଗପୁରରେ ୪୦୦ ହେକ୍ଟର ଲେଖାଏଁ, ବୌଦ୍ଧରେ ୩୫୦ ହେକ୍ଟର, ଦେବଗଡ଼ରେ ୨୫୦ ହେକ୍ଟର ରହିଛି। ୨୯ କୋଟି ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ ରଖାଯାଇଛି। ଯାହାକି ଗତବର୍ଷ ଠାରୁ ଅଧିକ ଅଟେ। ଅକ୍ଟୋବର ମାସରେ ପିଆଜ ଲଗାଯାଇଥିଲା।
ବର୍ତ୍ତମାନ ଅମଳକ୍ଷମ ହେଲାଣି। ଛୋଟ ପିଆଜ ମଧ୍ୟ ବର୍ତ୍ତମାନ ବଜାରକୁ ଆସିଲାଣି। ଏହା ସତ୍ତ୍ବେ ରାଜଧାନୀ ବଜାରକୁ ଦେଶୀ ପିଆଜ ଆସିପାରୁ ନାହିଁ। ଅର୍ଥାତ୍ କ୍ଷେତରେ ହିଁ ସ୍ବଳ୍ପ ଅର୍ଥରେ ବ୍ୟବସାୟୀ କିଣି ନେଉଛନ୍ତି। ମାର୍ଚ୍ଚ ଅନ୍ତିମ ସପ୍ତାହ ସୁଦ୍ଧା ଓଡ଼ିଶା ପିଆଜ ବଜାରକୁ ଆସିଯାଇଥିବ। ଏଥିସହିତ ନାସିକରୁ ମଧ୍ୟ ଆହୁରି ପିଆଜ ବଜାରକୁ ଆସିବ। ସରକାର ସତର୍କ ନ ରହିଲେ, ଦେଶରେ ପିଆଜର ଯେଉଁଭଳି ଅଭାବୀ ବିକ୍ରି ରହିଛି, ଖୁବ୍ ଶୀଘ୍ର ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀମାନେ ପିଆଜ ଅମଳର ବହୁଳତାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଠାରୁ ସ୍ବଳ୍ପ ମୂଲ୍ୟରେ କିଣିବେ। ବିଶେଷକରି ଓଡ଼ିଶା ଚାଷୀଙ୍କୁ ଏଦିଗରେ ଆହୁରି ସମସ୍ୟା ହେବ। ମାର୍କେଟ୍ ଲିଙ୍କେଜ୍ ଏବଂ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ବିଭିନ୍ନ ସ୍ଥାନରେ ପିଆଜ ଚାଷୀ କ୍ଷେତରେ ଅତି ଅଳ୍ପ ମୂଲ୍ୟରେ ବିକ୍ରି କରିବା ନେଇ ଆଶଙ୍କା ରହିଛି। ଏଭଳି ସ୍ଥିତିର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯିବ ଦେଖିବାକୁ ବାକି ରହିଲା।