ଗ୍ୟାସ୍‌ ୱେଲ୍ଡିଂରୁ ବିସ୍ଫୋରଣ! ରାଜଭବନ ନିକଟ ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣସ୍ଥଳରୁ ମିଳିଲା ମେରୁଦଣ୍ଡ, ମାଂସଖଣ୍ଡ

‌ଦେହାବଶେଷର ହେବ ଡିଏନ୍‌ଏ ‌ପରୀକ୍ଷା

ଭୁବନେଶ୍ୱର : ରାଜଭବନ ନିକଟ ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣସ୍ଥଳରୁ ଆଜି ମଣିଷ ମେରୁଦଣ୍ଡ, କଙ୍କାଳ ହାଡ଼ ଓ କିଛି ମାଂସ ଖଣ୍ଡ ମିଳିଛି। ତେଣୁ ଏହି ଅଘଟଣ‌ରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମାଂସ ଖଣ୍ଡଗୁଡ଼ିକୁ କ୍ୟାପିଟାଲ ହସ୍ପିଟାଲରେ ସଂରକ୍ଷିତ ରଖାଯାଇଛି। ସେଗୁଡିକୁ ଡିଏନ୍ଏ ପରୀକ୍ଷା ପାଇଁ ପଠାଯିବ। ପରୀକ୍ଷାରୁ ଏହା ଜଣଙ୍କର ନା ଏକାଧିକ ବ୍ୟକ୍ତିଙ୍କର, ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି। ସେହିପରି ବିସ୍ଫୋରଣସ୍ଥଳରୁ ନିଖୋଜ ଥିବା ସାଇଟ୍‌ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ କୌଣସି ପତ୍ତା ମିଳି ପାରିନାହିଁ। ଏହି ମାଂସ ଖଣ୍ଡଗୁଡ଼ିକର ଡିଏନ୍‌ଏ ସହ ତାଙ୍କ ପରିବାରଲୋକଙ୍କ ଡିଏନ୍ଏ ମେଳ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷେ ଯାଞ୍ଚ କାମରେ ନିୟୋଜିତ ଥିବା ମୁଖ୍ୟ ମେକାନିକ୍ ଭରଦ୍ବାଜ ଶ୍ରୀବାସ୍ତବ ଧୀରେଧୀରେ ସୁସ୍ଥ ହେବାରେ ଲାଗିଛନ୍ତି। କଥା କହିବା ମଧ୍ୟ ଆରମ୍ଭ କରିଛନ୍ତି। ଦିନେ କିମ୍ବା ଦୁଇ ଦିନ ଭିତରେ ପୁଲିସ ତାଙ୍କର ବୟାନ ରେକର୍ଡ କରିପାରେ। ତାଙ୍କ ବୟାନ ପୂରା ରହସ୍ୟ ଉପରୁ ପରଦା ଉଠାଇବ ବୋଲି କୁହାଯାଉଛି।

ପେଟ୍ରୋଲ ପମ୍ପ ଭୂତଳ ଟାଙ୍କି ଭାଲ୍ଭ (ଦୁଇଟି ଟାଙ୍କିକୁ ସଂଯୋଗ କରୁଥିବା ମୁହଁ) ଖୋଲିବା ସମୟରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ସ୍ପଷ୍ଟ ହୋଇସାରିଛି। କିନ୍ତୁ ନିଆଁ କେମିତି ଲାଗିଲା; ସେନେଇ ତଦନ୍ତକୁ ବ୍ୟାପକ କରିଛି ପୁଲିସ। ଅଗ୍ନିକାଣ୍ଡ ରହସ୍ୟ ଖୋଲିବା ଲାଗି ସାଇଣ୍ଟିଫିକ୍ ଟିମ୍ ତୃତୀୟ ଦିନ ପାଇଁ ଘଟଣାସ୍ଥଳରେ ଛାନଭିନ୍ କରିଛି। ବିସ୍ଫୋରଣସ୍ଥଳରୁ ଲୁହା ଖଣ୍ଡ, ପାଇପ୍ ସହ କିଛି ସାମଗ୍ରୀ ଜବତ କରିଛି। ଏ ସବୁର ରାସାୟନିକ ପରୀକ୍ଷା ମଧ୍ୟ କରାଯିବ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯାଞ୍ଚ ଚାଲିଥିବା ସମୟରେ ନିକଟରେ ୱେଲ୍ଡିଂ କରାଯାଉଥିଲା। ଭାଲ୍ଭ ଖୋଲାଯିବା ପରେ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗରେ ନିଆଁ ଆସିବାରୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଯେଉଁ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହୃତ ହେଉଥିଲା, ତାହା କେଉଁ କମ୍ପାନିରୁ ଆସିଥିଲା? ସେହି କମ୍ପାନି ପ୍ରାଧିକୃତ କି ନାହିଁ? ଯାଞ୍ଚ ପାଇଁ ଅନୁମତି ମିଳିଥିଲା କି ନାହିଁ? ଏହି ଘଟଣାରେ କାହାର ଦୋଷତ୍ରୁଟି ରହିଛି? କାହା ଅବହେଳାରୁ ଏତେ ବଡ଼ ଘଟଣା ଘଟିଲା? ସେ ସବୁ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି। ସମସ୍ତଙ୍କୁ ତଦନ୍ତ ପରିସରକୁ ନେଇଥିବା ବେଳେ କେତେକଙ୍କୁ ଥାନାରେ ପଚରାଉଚରା ମଧ୍ୟ କରାଯାଇଛି।

ସେହିପରି ଯାଞ୍ଚ ସମୟରେ ଫୋନ୍ କଲ୍ ଆସିଯିବାରୁ ସ୍ପାର୍କ ହୋଇ ଗ୍ୟାସ୍‌ ସଂଯୋଗରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହକୁ ଆଧାର କରି ତଦନ୍ତ ଜାରି ରଖିଛି ପୁଲିସ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ମେକାନିକ୍ ଭରଦ୍ବାଜ୍ ଶ୍ରୀବାସ୍ତବ, ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ କଲ୍ ଡିଟେଲ୍ସ ରେକର୍ଡ(ସିଡିଆର) ମଗାଇଛି ପୁଲିସ। ସେହି ସମୟରେ ତାଙ୍କ ମୋବାଇଲ ଫୋନକୁ କଲ୍ ଆସିଥିଲା କି ନାହିଁ, ତାହା ଜାଣିବା ଲାଗି ଆଜି ଉଭୟଙ୍କ ସିଡିଆର୍‌ ମଗା ଯାଇଛି। ଆସନ୍ତାକାଲି ସୁଦ୍ଧା ସିଡିଆର ଆସିବା ପରେ ଏହି ଦିଗ ଉପରୁ ପରଦା ଉଠିବ ବୋଲି ଆଶା ବାନ୍ଧିଛି ତଦନ୍ତକାରୀ ଟିମ୍।

ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ (ପେସୋ)ର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ କହିଛନ୍ତି, ନିଶ୍ଚିତ ଭାବେ କୌଣସି ଅଗ୍ନି ସଂଯୋଗ କାରଣରୁ ଏହି ବିସ୍ଫୋରଣ ଘଟିଛି। ମୋବାଇଲ ଭଳି ରେଡିଓ ଫ୍ରିକ୍ୟୁଏନ୍ସି କାରଣରୁ ହୁଏତ ଏହା ଘଟି ନ ଥାଇ ପାରେ। ନିଆଁରୁ ଏହା ଘଟିଥିବା ଆଡ଼କୁ ସବୁ ସନ୍ଦେହ ଯାଉଛି। କିନ୍ତୁ କେମିତି ଘଟିଲା, ତାହା ଏବେ କହିବା ମୁସ୍କିଲ। ଯାଞ୍ଚ କାମରେ ନିୟୋଜିତ ଆହତଙ୍କୁ ପଚରାଉଚରା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ତଦନ୍ତ ଶେଷ ହେବାକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର