ସାଇବର ଠକଙ୍କୁ ଓଡ଼ିଶାରୁ ସିମ୍‌କାର୍ଡ ଯୋଗାଉଥିବା ଗ୍ୟାଙ୍ଗ୍‌ର ପର୍ଦାଫାସ୍‌, ବେନାମୀ ସିମ୍‌ରେ କୋଟିକୋଟି ଲୁଟ୍‌

ଓଡ଼ିଶାରୁ ୭ ରାଜ୍ୟକୁ ଯାଇଛି ୨ ଲକ୍ଷ ୭୦ ହଜାର ସିମ୍‌କାର୍ଡ, ଦୁଇ ଇଞ୍ଜିନିୟରିଂ ଛାତ୍ର ସମେତ ୭ ଗିରଫ

ଭୁବନେଶ୍ବର: ଓଡ଼ିଶାରୁ ବ‌ାହାର ରାଜ୍ୟକୁ ଯାଉଛି ବେନାମୀ ସିମ୍‌କାର୍ଡ। ଆଉ ଏହି ସିମ୍‌କାର୍ଡ ବ୍ୟବହାର କରି କୋଟିକୋଟି ଟଙ୍କା ଲୁଟୁଛନ୍ତି ଝାଡ଼ଖଣ୍ଡ ଜମତରାର କୁଖ୍ୟାତ ସାଇବର ଠକ। କେବଳ ଝାଡ଼ଖଣ୍ଡ ନୁହେଁ; ନୂଆଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗକୁ ଗଳି ୭ ରାଜ୍ୟକୁ ଯାଇଛି ୨ ଲକ୍ଷ ୭୦ ହଜାର ସିମ୍ କାର୍ଡ। ଏପରିକି ଆତଙ୍କାବାଦୀ, ନକ୍ସଲ, ଅଣ୍ଡରଓ୍ଵାର୍ଲଡ୍ ଡନ୍ ମଧ୍ୟ ଏସବୁ ସିମ୍‌କାର୍ଡକୁ ବ୍ୟବହାର କରୁଥିବା ପୁଲିସ ସନ୍ଦେହ କରୁଛି। ଏକ ସାଇବର ଠକେଇ ମାମଲାର ତଦନ୍ତ କରି କମିସନରେଟ ପୁଲିସ ବେନାମୀ ସିମ୍ କାର୍ଡ ଯୋଗାଉଥିବା ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି। ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୬,୧୪୭ଟି ପ୍ରି-ଆକ୍ଟିଭେଟେଡ୍ ବେନାମୀ ସିମ୍‌କାର୍ଡ, ସ୍ମାର୍ଟ ଓ କି ପ୍ୟାଡ୍ ଥିବା ୧୧୦ଟି ମୋବାଇଲ୍ ଫୋନ୍ ଓ ସିମ୍ ଆକ୍ଟିଭେଟ୍ କରାଯାଉଥିବା ଡେମୋ ଫୋନ୍ ଓ ଡେମୋ ସିମ୍ କାର୍ଡ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ବାସୁଦେବପୁର ଥାନା ଗୁଆଗାଁ ଅଞ୍ଚଳର ମହେଶ୍ବର ବାରିକ, ଭଦ୍ରକ ବାସୁଦେବପୁରରେ ରହୁଥିବା ବାଲେଶ୍ବର ମୋତିଗଞ୍ଜ ଥାନା ଦାମୋଦରପୁରର ମୂଳ ବାସିନ୍ଦା ରଜନୀକାନ୍ତ ପାଣିଗ୍ରାହୀ, କେନ୍ଦୁଝର ସୋସୋ ଥାନା ଅଡ଼ଳପଙ୍କ ଅଞ୍ଚଳର ସୁବ୍ରତ କୁମାର ପାଣିଗ୍ରାହୀ, କେନ୍ଦୁଝର ନନ୍ଦିପଡ଼ା ନାସିରପୁର ଅଞ୍ଚଳର ସୁକାନ୍ତ କୁମାର ଦାସ, ଭଦ୍ରକ ରୁରାଲ ଥାନା ଅଞ୍ଚଳର ଅଲଉତି ଅଞ୍ଚଳର ଶ୍ରୀନିବାସ ଘଡ଼େଇ, ଭଦ୍ରକ ବାସୁଦେବପୁର ଥାନା ଭାଗପୁର ଅଞ୍ଚଳର ରାଜେଶ କୁମାର ସେଠୀ ଏବଂ ବାଲେଶ୍ବର ସିମୁଳିଆ ଥାନା ଚାଲୁଣି ଗାଁ ଅଞ୍ଚଳର ମଙ୍ଗଳମୟ ମିଶ୍ର। ସୁବ୍ରତ ପାଣିଗ୍ରାହୀ ଓ ସୁକାନ୍ତ ଦାସ ଇଞ୍ଜିନିୟରିଂ ପାସ କରିଛନ୍ତି। ରଜନୀକାନ୍ତ ପାଣିଗ୍ରାହୀ ଓ ମହେଶ୍ବର ବାରିକ ଭୋଡାଫୋନ୍ ସେଲସ୍ ଏକଜ୍ୟୁଟିଭ୍ ବୋଲି ପୁଲିସ କହିଛି। ପୂର୍ବରୁ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ବରରେ ଚଢ଼ଉ କରି ସାଇବର ଅପରାଧୀଙ୍କ ଲିଙ୍କ୍‌ରେ ଦୁଇ ଜଣଙ୍କୁ ଗିରଫ କରିବା ସହ ବିପୁଳ ସିମ୍ କାର୍ଡ, ମୋବାଇଲ ଫୋନ୍, ଲାପଟପ୍ ଜବତ କରିଥିଲା।

୧୬ ହଜାରରୁ ଅଧିକ ସିମ୍ କାର୍ଡ, ୧୧୦ ମୋବାଇଲ ଜବତ

ପୁଲିସ ସୂଚନା ଅନୁସାରେ, ୨୦୨୧ ଜାନୁଆରି ୨୧ ତାରିଖରେ ବାଙ୍କୁଆଳର ଇତିଶ୍ରୀ କାନୁନଗୋଙ୍କ ପାଖକୁ ଦୁଇଟି ବ୍ୟାଙ୍କର କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇବା ପାଇଁ ଏକ ଫୋନ୍ କଲ୍(୮୦୦୬୧୪୩୦୬୦) ଆସିଥିଲା। ଆଉ ଲିମିଟ୍ ବଢ଼ାଇବ କହି ବ୍ୟକ୍ତି ଜଣକ କୌଶଳକ୍ରମେ ୨ ଲକ୍ଷ ୫୮ ହଜାର ଟଙ୍କା ଲୁଟି ନେଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଯେଉଁ ମୋବାଇଲରୁ କଲ୍ ଆସିଥିଲା, ତାହାର ଆଇଏମ୍ଇଆଇ ସର୍ଚ୍ଚ ହିଷ୍ଟ୍ରି ଖୋଜା ଯାଇଥିଲା। ବର୍ଷକ ଭିତରେ ସେହି ମୋବାଇଲ ଫୋନରେ ୩ ହଜାର ସିମ୍ କାର୍ଡ ବ୍ୟବହାର କରାଯାଇଥିବା ପୁଲିସ ସିଡିଆର(କଲ୍ ଡିଟେଲ୍ସ ରିପୋର୍ଟ)ରୁ ଜାଣିବାକୁ ପାଇଥିଲା। ସେହି ୩ ହଜାର ସିମକାର୍ଡରୁ ୭ ଶହ ସିମ୍‌ କାର୍ଡ ଓଡ଼ିଶାର ବୋଲି ଜଣାପଡ଼ିଥିଲା। ସେଥିରୁ ପ୍ରାୟ ଶହେରୁ ଅଧିକ ସିମ୍ କାର୍ଡ ଭଦ୍ରକରୁ ଆକ୍ଟିଭେଟ୍ ହୋଇଥିବା ପୁଲିସକୁ ତଥ୍ୟ ମିଳିଥିଲା। ଏହାର ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ। ସିମ୍ କାର୍ଡ ସେବା ପ୍ରଦାନକାରୀ କମ୍ପାନିରୁ ତଥ୍ୟ ପାଇବା ପରେ ପ୍ରଥମେ ରଜନୀକାନ୍ତ ଓ ମହେଶ୍ବର ପାଖରେ ପୁଲିସ ପହଞ୍ଚିଥିଲା। ସେମାନଙ୍କ ତଥ୍ୟ ଆଧାରରେ ସୁବ୍ରତ, ସୁକାନ୍ତ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା।

ତଦନ୍ତ ବେଳେ ଜଣାପଡ଼ିଛି ଯେ ଜାଲ୍‌ କାଗଜପତ୍ରରେ କେମିତି ବେନାମୀ ସିମ୍ କାର୍ଡ ବ୍ୟବହାର କରି ଏହାକୁ ପ୍ରି ଆକ୍ଟିଭେଟ୍ କରାଯିବ ତାହାର କୌଶଳ ଗିରଫ ଇଞ୍ଜିନିୟରିଂ ଛାତ୍ର ଓ ମୋବାଇଲ ଫୋନ୍ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ୟୁଟ୍ୟୁବ୍‌ରୁ ଶିଖିଥିଲେ। ଇଣ୍ଟରନେଟରୁ ଫଟୋ ଓ ଜାଲ୍‌ କାଗଜପତ୍ର ଡାଉନଲୋଡ୍ କରି ସିମ୍ ଆକ୍ଟିଭେଟ୍ କରୁଥିଲେ। ବେନାମୀ ସିମ୍ ବିକ୍ରି କରିବା ପାଇଁ ସାରା ଦେଶରେ ଏକ ହ୍ବାଟସଆପ୍ ଗ୍ରୁପ୍ ରହିଛି। ସେହି ହ୍ବାଟସଆପ୍ ଗ୍ରୁପରେ କିଣାବିକା ଚାଲୁଥିଲା। ଅପରାଧୀମାନେ ବେନାମୀ ସିମ୍ କାର୍ଡ କିଣିବା ପାଇଁ ଏକ ଠିକଣା ଦେଉଥିଲେ। ସେହି ଠିକଣାରେ କୋରିଅର୍ ପଠା ଯାଉଥିଲା। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, କେଉଁମାନେ କିଣିଛନ୍ତି ସେମାନଙ୍କ ପାଖରେ ପହଞ୍ଚିବା ଲାଗି ପୁଲିସ ଗିରଫ ପ୍ରମୁଖ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ମଧ୍ୟ ପୁଲିସ ସ୍କାନରକୁ ଆସିପାରନ୍ତି। ଏଭଳି ବଡ଼ଧରଣର ଗ୍ୟାଙ୍ଗ ପର୍ଦ୍ଦାଫାସ୍ ପାଇଁ ପୁଲିସ ଡିଜି ଅଭୟ ଭୁବନେଶ୍ବର ପୁଲିସକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର