ବାଲିଅନ୍ତା ବଜାର: ବାଲିଅନ୍ତା ବ୍ଲକ୍‌ ଅଧୀନ କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ପଞ୍ଚାୟତର ଶତାଧିକ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ବୁଲା ଷଣ୍ଢ। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଏବେ ମାଳମାଳ ଷଣ୍ଢ ଧାନ ବିଲରେ ପଶି ଧାନଗଛ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ଷଣ୍ଢଙ୍କ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହେବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଛି। ଏହି ଦୁଇ ମୌଜାରେ ଏବେ ୯୦ରୁ ଅଧିକ ଷଣ୍ଢଙ୍କୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ଚାଷୀମାନେ ଏକାଠି ହୋଇଛନ୍ତି।

Advertisment

ପୁରୁଖାଙ୍କ କହିବା ମୁତାବକ, ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଏତେ ସଂଖ୍ୟକ ଷଣ୍ଢ ନଥିଲେ। ରାତି ସମୟରେ ଗାଡ଼ି ଯୋଗେ ଷଣ୍ଢମାନଙ୍କୁ ଭୁବନେଶ୍ୱରରୁ ଅଣାଯାଇ ସ୍ଥାନୀୟ ଅଞ୍ଚଳରେ ଛାଡ଼ିଦିଆଯାଉଛି। ଫଳରେ ଷଣ୍ଢମାନେ ଭୋକରେ ଧାନବିଲରେ ପଶି ଫସଲ ଖାଉଛନ୍ତି। ସମବାୟ ବ୍ୟାଙ୍କରୁ ଋଣ ଆଣି ଧାନ ଫସଲ କରିଥିଲେ, ଏବେ ଆଖି ଆଗରେ ଫସଲ ନଷ୍ଟ ହେବା ଦେଖି ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। ଦୁଇଟି ପଞ୍ଚାୟତର ପ୍ରାୟ ୧୫୦ ଏକର ଜମିକୁ ଏହି ଷଣ୍ଢମାନେ ନଷ୍ଟ କରିବା ସମ୍ପର୍କରେ କୃଷି ଅଧିକାରୀ, ପ୍ରାଣୀଧନ ଅଧିକାରୀ ଓ ବାଲିଅନ୍ତା ତହସିଲଦାରଙ୍କୁ ଅବଗତ କରାଯିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି।

ଗତକାଲି ୨୦ରୁ ଅଧିକ ଚାଷୀ ଏକାଠି ହୋଇ ରାତିତମାମ ବିଲରେ ଗୋଡ଼ାଇ ଗୋଡ଼ାଇ ୧୫ଟି ଷଣ୍ଢ ଧରିଛନ୍ତି। ଏହି ଷଣ୍ଢମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଶ୍ୱନାଥ ପଣ୍ଡା, ଯୁଧିଷ୍ଠିର ପଣ୍ଡା, ଗଗନବିହାରୀ ମହାନ୍ତି, ଚକ୍ରଧର ସାହୁ, ବାହନ ବେହେରା, ପ୍ରମୋଦ ବେହେରା, ପ୍ରମୋଦ ସାହୁ, ଜଗନ୍ନାଥ ବେହେରା ନିବଦେନ କରିଛନ୍ତି। ଷଣ୍ଢଙ୍କୁ ସ୍ଥାନାନ୍ତର କରାନଗଲେ   ରାସ୍ତା ଅବରୋଧ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।