ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମ୍ସି ପକ୍ଷରୁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ବିଏମ୍ସି ମେୟର ସୁଲୋଚନା ଦାସ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ପରିଦର୍ଶନ କରିଥିବା ବେଳେ ଆଜି ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଲିଙ୍ଗରାଜ ମନ୍ଦିରକୁ ସଜେଇବା ପାଇଁ ବିଏମ୍ସି ପଦକ୍ଷେପ ନେଇଛି। ମନ୍ଦିରକୁ ଫୁଲରେ ସଜାଇବା ସହ ରଙ୍ଗବେରଙ୍ଗର ଆଲୋକମାଳା ଲଗାଇବାକୁ ବ୍ୟବସ୍ଥା କରିଛି। ଜାଗର ଯାତ୍ରାର ପୂର୍ବ ଦିନଠାରୁ ପରଦିନ ପର୍ଯ୍ୟନ୍ତ ଉଭୟ ଲିଙ୍ଗରାଜ ମନ୍ଦିର ଓ କପିଳେଶ୍ୱର ମନ୍ଦିର ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ବିନ୍ଦୁସାଗର ମୌନୀ ଘାଟରେ ମଧ୍ୟ ପରିଷ୍କାର କରାଯିବ। ପାନୀୟ ଜଳ ପାଇଁ ଦୁଇଟି ଟ୍ୟାଙ୍କର ଓ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୧୨ଟି ବାୟୋ ଶୌଚାଳୟ ରଖାଯିବ।
ସ୍ବାସ୍ଥ୍ୟସେବାକୁ ଆଖିରେ ରଖି ବିଏମ୍ସି ହସପିଟାଲରେ ଆବଶ୍ୟକ ପରିମାଣର କର୍ମଚାରୀ, ଔଷଧ ଓ ଅନ୍ୟ ସରଞ୍ଜାମ ପ୍ରସ୍ତୁତ ରଖାଯିବ। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଏବଂ ଆଖପାଖ ଅଞ୍ଚଳରେ ମଶାଧୂଆଁ ଦିଆଯିବ। ଶିବରାତ୍ରି ପୂର୍ବରୁ ବୁଲା ଗାଈ ଗୋରୁ ଓ ବୁଲା କୁକୁରଙ୍କୁ ସ୍ଥାନାନ୍ତର କରାଯିବ। ମହାଶିବରାତ୍ରିକୁ ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ସଂପାଦନ କରିବା ପାଇଁ ଦକ୍ଷିଣ-ପୂର୍ବ ଜୋନାଲ କମିସନରଙ୍କୁ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଆଜିର ବୈଠକରେ ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, ସସ୍ମିତା ସାହୁଙ୍କ ସହ ସମସ୍ତ ଉପାୟୁକ୍ତ, ସହକାରୀ କମିସନର ଏନ୍. ଗଣେଶ ବାବୁ, ବିଏମ୍ସି ସହରାଞ୍ଚଳ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ, ସମସ୍ତ ଏଜେନ୍ସି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
୧୨ଟି ସ୍ଥାନରେ ପାର୍କିଂ
ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉତ୍ସବ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ନିମନ୍ତେ କମିସନରେଟ୍ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ମୋଟ ୧୨ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଜାରି କରାଯାଇଥିବା ବିଜ୍ଞପ୍ତି ଆଧାରରେ ଶ୍ରଦ୍ଧାଳୁମାନେ ଟ୍ରାଫିକ୍ ନିୟମ ମାନିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ପ୍ରଥମତଃ ରଥ ରୋଡ୍ ଏବଂ ପୁନାମା ଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନବାହନ ଗୁଡ଼ିକ ବଢେଇବାଙ୍କ ଠାରୁ ଆଗକୁ ନଯାଇ ବି.ଏମ୍. ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ସେହି ସମୟରେ ରଥ ରୋଡ୍ ଦେଇ କୌଣସି ପ୍ରକାରର ଭାରୀଯାନ ଚଳାଚଳ କରି ପାରିବେନାହିଁ। କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରିୟମ୍ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନ ଗୁଡ଼ିକ କୋଟି ତୀର୍ଥ ଗଳି ଦେଇ କଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ୍ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିବେ। ଏଥି ପାଇଁ କୋଟିତୀର୍ଥ ଗଳି ଠାରୁ ସିଦ୍ଧିମଣ୍ଡପଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମନ୍ତେ ୱାନ୍ ୱେ କରାଯିବ।
ସେହିପରି ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନଗୁଡ଼ିକ ଶ୍ରୀରାମନଗର ଓ ସବଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାର୍ଶ୍ବରେ ଏବଂ ତରଙ୍ଗ କ୍ଲବ୍ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିବେ। କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ସବ୍ଷ୍ଟେସନ୍ଛକ ଦେଇ ବିଏମ୍ସି ନିଉ ମାର୍କେଟ୍ କମ୍ପ୍ଲେକ୍ସ ପାର୍କିଂ, ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିବେ। ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ବଢେଇବାଙ୍କଛକ ପରେ ଆଗକୁ ଯିବାକୁ ଦିଆଯିବନାହଁ। ସେମାନେ ମୁନିସିପାଲିଟି ହସ୍ପିଟାଲ୍ କିମ୍ବା ବିଏମ୍ ହାଇସ୍କୁଲ ପଡ଼ିଆରେ ଗାଡ଼ି ପାକିଂ କରିବେ। କଳ୍ପନା ଛକ ପଟୁ ମାଉସୀ ମା’ ଛକ ଓ ରାମକୃଷ୍ଣ ମଠ ଦେଇ ଆସୁଥିବା ସମସ୍ତ ବସ୍, କାର ଓ ଭାରୀଯାନ ଗୁଡ଼ିକ ସାନିଟାରିୟମ୍ ଛକ ପର୍ଯ୍ୟନ୍ତ ଯିବାକୁ ଦିଆଯିବ ଏବଂ ସେମାନେ ସାନିଟାରିୟମ୍ ଛକ ପାଖରେ ଥିବା ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବେ। ଆମନ୍ତ୍ରିତ ଅତିଥି, ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡରେ ଆସି ବଢେଇବାଙ୍କଛକଠାରୁ ମୁନିସିପାଲିଟି ହସ୍ପିଟାଲ୍ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାକିଂ ସ୍ଥାନକୁ ଯାଇପାରିବେ।
ମନ୍ଦିର ସମ୍ମୁଖରେ ବ୍ୟାରିକେଡ଼୍
ପୁରୁଣା ଭୁବନେଶ୍ବର: ଆସନ୍ତା ୨୬ତାରିଖରେ ମହାଶିବରାତ୍ରି। ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମନ୍ଦିର ନିକଟରୁ ଗଙ୍ଗାଯମୁନା ମନ୍ଦିର ଆଡ଼କୁ ବ୍ୟାରିକେଡ଼୍ କରାଯାଇଛି। ମହାଶିବରାତ୍ରିରେ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନା ଥିବାରୁ ତିନିଟି ବ୍ୟାରିକେଡ଼୍ କରାଯାଇଛି। ପୂର୍ତ୍ତବିଭାଗ ପକ୍ଷରୁ ସିଂହଦ୍ବାର ନିକଟରୁ ଗଙ୍ଗାଯମୁନା ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼୍ କାମ ଶେଷ ହୋଇଛି। ତେବେ ମନ୍ଦିର ସିଂହଦ୍ୱାର ଚପଲ ଷ୍ଟାଣ୍ଡ ସମ୍ମୁଖରେ ୪ ଧାଡ଼ିଆ ଜିଗଜାଗ୍ ବ୍ୟାରିକେଡ୍ କରାଯାଇଛି। ଏହାଉପରେ କପଡ଼ା ଲଗାଯିବା ସହ ଗରମରୁ ରକ୍ଷା ପାଇଁ ସ୍ଥାନେ ସ୍ଥାନେ ଫ୍ୟାନ୍ ଲଗାଯିବ। ସେହିପରି ମନ୍ଦିର ସମ୍ମୁଖ ଉଭୟ ପାର୍ଶ୍ବ ଖାଲିଥିବା ସ୍ଥାନରେ ଛାମୁଣ୍ଡିଆ କରାଯିବ। ମନ୍ଦିର ସମ୍ମୁଖରୁ କିଛି ଦିନ ତଳେ ବାହାର କରାଯାଇଥିବା ପେଭର୍ ବ୍ଲକ୍ ପୁଣି ପକାଯାଉଛି। ଅନ୍ୟପଟେ ପୂର୍ତ୍ତବିଭାଗ ପକ୍ଷରୁ ମନ୍ଦିର ଭିତରେ ବାହାରେ ଚଟାଣରେ ଧଳା ରଙ୍ଗ ବୋଳା ଆରମ୍ଭ ହୋଇଛି। ଭକ୍ତମାନଙ୍କ ଖାଲି ପାଦକୁ ଟାଣ ଖରା ଓ ଗରମରୁ ରକ୍ଷା କରିବା ପାଇଁ ଠିଆ ହେବା ସ୍ଥାନରେ ଧଳା ରଙ୍ଗ ବୋଳା ଆରମ୍ଭ ହୋଇଛି।
ଅପରପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ ରୋଷଘର, ଆନନ୍ଦ ବଜାର, ବିଭିନ୍ନ ଛୋଟ ବଡ଼ ମନ୍ଦିରକୁ ଆଲୋକିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ କାମ ଆରମ୍ଭ ହୋଇଛି। ସେହିପରି ମନ୍ଦିର ପାଚେରି ଓ ଜଗମୋହନ ମନ୍ଦିର ଉପରେ ଲିଚୁ ମାଳା ଲଗାଯାଇଛି। ମନ୍ଦିର ପରିସରରେ ଲାଗିଥିବା ପୁରୁଣା ବିଦ୍ୟୁତ୍ ୱେରିଂକୁ ମରାମତି କରାଯାଉଛି। ମନ୍ଦିର ଚୂଡ଼ାକୁ ଲାଇଟ୍ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଜାଗର ପାଇଁ ମନ୍ଦିର ସମ୍ମୁଖରେ ଥିବା ଅସ୍ଥାୟୀ ଫୁଲ ଦୋକାନକୁ ହଟାଇ ଦିଆଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭିଡ଼କୁ ଆଖିଆଗରେ ରଖି ଏପରି ବ୍ୟବସ୍ଥା କରାଯାଇଛି।
ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଭଜନ ସମାରୋହ
ଯୋଗଦେବେ ମୁମ୍ବାଇର ୬ କଣ୍ଠଶିଳ୍ପୀ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଲିଙ୍ଗରାଜ ଲାଇବ୍ରେରି ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୬ ବର୍ଷ ପାଳନ କରିବ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ହୋଇଛି। ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପୌଡ଼ୱାଲ, ଅଭିଜିତ୍ ଘୋଷାଲ, କୁମାର ସଞ୍ଜୟ, ପ୍ରତୋଷ ଶର୍ମା, ମଧୁମିତା ପାଉଲଙ୍କ ସମେତ ଓଡ଼ିଶାର ୨୫ରୁ ଊର୍ଦ୍ଧ୍ବ କଣ୍ଠଶିଳ୍ପୀ ଯୋଗଦେବେ। ଏହି ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ସାମିଲ ହେବେ। ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ, ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ କରାଯିବ। ସନ୍ଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେବ। ଏହାପରେ ଜାତୀୟସ୍ତରୀୟ ଭଜନ ସମାରୋହ କରାଯିବ। ଚଳିତ ବର୍ଷ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଭଜନ ପରିବେଷଣ କରାଯିବ। ଏଥିସହିତ ୨୧ଜଣଙ୍କୁ ଏକାମ୍ର ସମ୍ମାନ ପ୍ରଦାନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଶିବାନନ୍ଦ ରାୟ, ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଲିଙ୍ଗରାଜ ସାହୁ, ପ୍ରଦ୍ୟୁମ୍ନ ମହାନ୍ତି, କେଦାରନାଥ ମହାପାତ୍ର, ବାବନଚନ୍ଦ୍ର ମହାପାତ୍ର, ପ୍ରମୋଦ ମହାନ୍ତି, ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପାଳିଆ ସେବାୟତଙ୍କ ସହ ଆଲୋଚନା
ପୁରୁଣା ଭୁବନେଶ୍ୱର: ମହାଶିବରାତ୍ରି ପାଇଁ ଆଜି ସମସ୍ତ ପାଳିଆ ସେବାୟତଙ୍କୁ ଡକାଯାଇ ମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଏଥିରେ ପାଳିଆ ସେବାୟତ ସମେତ ଚର୍ଚେଇତ, ନୀତି ସୁପରଭାଇଜରଙ୍କ ସହ ମନ୍ଦିର କାର୍ଯ୍ୟାଳୟରେ ଆଲେଚନା କରାଯାଇଛି। ମହାଶିବରାତ୍ରିରେ ଯେପରି ସବୁ ନୀତି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସିପି କୃଷ୍ଣଚନ୍ଦ୍ର ପଲେଇ, ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଭୀମଟାଙ୍ଗିରେ ରାତି ସାଢ଼େ ୧୦ରେ ଉଠିବ ମହାଦୀପ
ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଭୀମେଶ୍ବର ମହାଦେବଙ୍କ ମହାଶିବରାତ୍ରି ପାଳନ କରାଯିବ। ସେଦିନ ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ। ଭୀମେଶ୍ବର ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏନେଇ ପ୍ରସ୍ତୁତି ଶେଷ ହୋଇଛି। ଜାଗର ଦିନ ହଜାର ହଜାର ଭକ୍ତ ମନ୍ଦିରକୁ ଆସିବେ। ସୁରକ୍ଷା ପାଇଁ ଚଳିତ ବର୍ଷ ଏୟାର ଫିଲଡ୍ ଥାନା ପୁଲିସ ସହ ସ୍ବେଚ୍ଛାସେବୀ ରହିବେ। ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରାଯିବ। ସେହିପରି ଅପରାହ୍ଣ ୨ଟାରୁ ପୁଣି ପହୁଡ଼ ଖୋଲାଯାଇ ରାତି ତମାମ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ତହିଁ ଆରଦିନ ଭୋର ୫ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ହେବ। ମହାଦୀପ ଦର୍ଶନ ପରେ ଭକ୍ତଙ୍କୁ ଚୁଡ଼ାଘଷା ଭୋଗ ବଣ୍ଟନ କରାଯିବ। ଏନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମିତିର ସଭାପତି ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ, କର୍ପୋରେଟର ଶିବ ନାରାୟଣ ରାୟ ଓ ସଭ୍ୟମାନେ ଉପସ୍ଥିତ ଥିଲେ।
ଶ୍ରୀନିକା ଡିଏମ୍ ସିଗ୍ନେଚର୍ରେ କୋଏମ୍ବାଟୁର୍ ମହାଶିବରାତ୍ରିର ସିଧାପ୍ରସାରଣ
ଭୁବନେଶ୍ବର: ସଦ୍ଗୁରୁ ଓ ଈଶା ଫାଉଣ୍ଡେସନ୍ ପକ୍ଷରୁ କୋଏମ୍ବାଟୁର୍ଠାରେ ମହାଶିବରାତ୍ରି ମହାଆଡ଼ମ୍ବରରେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଆଇଗିଣିଆସ୍ଥିତ ଶ୍ରୀନିକା ଡିଏମ୍ ସିଗ୍ନେଚର୍ଠାରେ ମହାଶିବରାତ୍ରିର ସିଧାପ୍ରସାରଣ ଦେଖିବାକୁ ମିଳିବ। ୨୬ତାରିଖ ସନ୍ଧ୍ୟା ୬ଟା ରୁ ୨୭ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ନିଶୁଳ୍କ ପ୍ରବେଶ ବ୍ୟବସ୍ଥା ରହିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ସଦ୍ଗୁରୁ ମଧ୍ୟରାତ୍ରିରେ ଶ୍ରଦ୍ଧାଳୁମାନଙ୍କୁ ମହାମନ୍ତ୍ରରେ ଦୀକ୍ଷିତ କରିବେ। ଏହି ପରିପ୍ରେକ୍ଷୀରେ ଏକ ନୂଆ ମୋବାଇଲ ଆପ୍ ‘ମିରାକଲ୍ ଅଫ୍ ମାଇଣ୍ଡ’ ଲୋକାର୍ପିତ ହେବ। ଏଣୁ ଧ୍ୟାନ ଓ ନୃତ୍ୟସଙ୍ଗୀତ ଭରା ଏହି ମହୋତ୍ସବରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାକୁ ସଦ୍ଗୁରୁ ଓ ଈଶା ଫାଉଣ୍ଡେସନ୍ ପକ୍ଷରୁ ନିବେଦନ କରାଯାଇଛି।