ଭାରତୀୟ ହକି ଦଳକୁ ଭୁବନେଶ୍ବରରେ ଦିଆଯିବ ସମ୍ବର୍ଦ୍ଧନା: ସ୍ୟାଣ୍ଡିସ୍‌ ଟାୱାରରେ ରହିବେ, ଖାଇବେ ଚିଙ୍ଗୁଡ଼ି ଓ କଙ୍କଡ଼ା

ବୁକ୍‌ ହୋଇଛି ୪୦ ରୁମ୍‌

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିବା ଓ ସେମିଫାଇନାଲରେ ମହିଳା ହକିଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିଛି। ତେବେ ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଓଡ଼ିଶା ମାଟିରେ ଏହି ‌ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥିର କରିଥିବାରୁ ଏଥିପାଇଁ ବ୍ୟା‌ପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ, ଆସନ୍ତା ୧୬ କିମ୍ବା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳକୁ ଭୁବନେଶ୍ବରରେ ସମ୍ବର୍ଦ୍ଧିତ କରିବେ। ଉଭୟ ମହିଳା ଓ ପୁରୁଷ ଦଳ ପାଇଁ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାୱାର୍‌ରେ ୪୦ଟି ରୁମ୍‌ ବୁକ୍‌ କରାଯାଇଛି। ଖେଳାଳିଙ୍କ ରହିବାଠାରୁ ଆରମ୍ଭ କରି ଖାଇବା, ପିଇବା, ଜିମିଂ ଆଦି ବ୍ୟବସ୍ଥାକୁ କୋଭିଡ୍‌ ନିୟମା‌ବଳି ଅନୁଯାୟୀ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ସେହିପରି ଖେଳାଳିମାନଙ୍କ ଲାଗି ଭାରତୀୟ ରୁଚି ମୁତାବକ ଖାଦ୍ୟ ପ୍ରସ୍ତୁତ କରାଯିବ ଏବଂ ଆମିଷରେ ମୁଖ୍ୟତଃ ଚିଙ୍ଗୁଡ଼ି ଓ କଙ୍କଡ଼ାରେ ପ୍ରସ୍ତୁତ ଖାଦ୍ୟକୁ ଗୁରୁତ୍ବ ଦିଆଯିବ ବୋଲି ହୋଟେଲ୍‌ ମ୍ୟାନେଜର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖରେ ଉଭୟ ଟିମ୍‌ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର କାରକେଡ୍‌ରେ ହୋଟେଲ୍‌ ପର୍ଯ୍ୟନ୍ତ ପାଛୋଟି ଅଣାଯିବ। ସେହିଦିନ କିମ୍ବା ତହିଁ ପରଦିନ ଉଭୟ ଦଳର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବେ।

ଅନ୍ୟପକ୍ଷରେ ଅଲିମ୍ପିକ୍ସ ଭାରତୀୟ ଦଳରେ ସ୍ଥାନ ପାଇଥିବା ୪ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ନମିତା ଟ‌ପ୍ପୋ ଓ ଦୀପ୍‌ଗ୍ରେସ୍‌ ଏକ୍କା ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ସେମାନଙ୍କୁ ବିମାନବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେମାନଙ୍କୁ ଆସନ୍ତାକାଲି ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର