ମୃତ୍ୟୁ ପରେ କଲେ ବାପାଙ୍କ ଚକ୍ଷୁଦାନ

ଟ୍ରଲି ଚାଳକ ପରିବାରଙ୍କ ବଦାନ୍ୟତା

ଭୁବନେଶ୍ୱର: ଆଜିକାଲି ଦୁନିଆରେ ଅନେକ ଶିକ୍ଷିତ ଲୋକ ମଧ୍ୟ ଅଙ୍ଗଦାନ ନେଇ ସଚେତନ ନୁହଁନ୍ତି। ଅନ୍ଧବିଶ୍ୱାସ ଦ୍ୱାରା କବଳିତ ହୋଇ ଅଙ୍ଗଦାନ ପରି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ନେଇ ଆଗେଇ ଆସିବାକୁ କୁଣ୍ଠା ପ୍ରକାଶ କରିଥା’ନ୍ତି। ଏକ୍ଷେତ୍ରରେ କିନ୍ତୁ ବାଣୀବିହାର ପଥରବନ୍ଧ ବସ୍ତିର ଜଣେ ଟ୍ରଲି ଚାଳକଙ୍କ ପରିବାର ବଦାନ୍ୟତ ପ୍ରକାଶ କରିଛନ୍ତି।

ପଥରବନ୍ଧ ବସ୍ତିରେ ଟ୍ରଲି ଚାଳକ ଭାବେ ବୃତ୍ତି ନିର୍ବାହ କରୁଥିବା ଭୁବନ ବେହେରା(୬୪)ଙ୍କ ଗତ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା। କୌଣସି କାରଣରୁ ତାଙ୍କ ଏକମାତ୍ର ପୁଅ ତାଙ୍କୁ ପର କରିଦେଇଥିବାରୁ ସେ ବସ୍ତିରେ ଏକୁଟିଆ ରହୁଥିଲେ। ତାଙ୍କ ମୃତ୍ୟୁଖବର ପାଇବା ପରେ ସମାଜସେବୀ ଗଗନ ପାଇଟାଳ, ପୂର୍ବତନ କର୍ପୋରେଟର ଗଣେଷ ନାୟକ ଓ ବିଦ୍ୟାଧର ଦେହେରୁ ପ୍ରମୁଖ ପହଞ୍ଚି ତାଙ୍କ ଶବସଂସ୍କାର ବ୍ୟବସ୍ଥା କରିବା ସହ ରାଜଧାନୀର ଅନ୍ୟ ଏକ ବସ୍ତିରେ ବିବାହ କରି ରହୁଥିବା ତାଙ୍କ ଝିଅ ପୁଷ୍ପା ପାତ୍ର ଓ ତାଙ୍କ ସ୍ୱାମୀଙ୍କୁ ଡକାଇଥିଲେ। ବାପାଙ୍କର ଏପରି ଦୟନୀୟ ମୃତ୍ୟୁ ଦେଖି ଝିଅ ପୁଷ୍ପା ଭାଙ୍ଗି ପଡ଼ିଥିଲେ। କିନ୍ତୁ ସମାଜସେବୀ ଗଗନ ପାଇଟାଳ ତାଙ୍କୁ ଏପରି ପରିସ୍ଥିତିରେ ଭାଙ୍ଗି ନପଡ଼ି କିପରି ତାଙ୍କ ବାପା ମରିଯାଇଥିଲେ ମଧ୍ୟ କପିରି ଦୁନିଆରେ ଆଉ କାହାକୁ ଦୁନିଆ ଦେଖାଇବାରେ ସହାୟକ ହେବ ବୁଝାଇଥିଲେ। ପୁଷ୍ପା ନିରକ୍ଷର ହୋଇଥିଲେ ମଧ୍ୟ ଏପରି ଏକ ମହତ୍ୱ ପର୍ଣ୍ଣ କାର୍ଯ୍ୟ ନେଇ ରାଜି ହୋଇଥିଲେ। ମୃତ ବାପା ଭୁବନଙ୍କ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ସମ୍‌ ହସ୍ପିଟାଲ କର୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ ଆସି ଭୁବନଙ୍କ ଚକ୍ଷୁ ଅପରେସନ୍‌ ଜରିଆରେ କାଢ଼ି ନେଇଥିଲେ। ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ଏହି ଆଖି ମାତ୍ର ଚାରଦିନ ଜୀବତ ରହିବ। ଏହା ମଧ୍ୟରେ ଯଦି କେହି ରୋଗୀ ଚାହାନ୍ତି, ତାଙ୍କୁ ସରକାରୀ ନୀତିନିୟମ ଅନୁଯାୟୀ ଏହା ପ୍ରଦାନ କରାଯିବ। ନଚେତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଏହା ରଖାଯିବ। ବସ୍ତି ଅଞ୍ଚଳରେ ରହୁଥିବା ତଥାକଥିତ ଅଶିକ୍ଷିତ ଲୋକକୁହାଯାଉଥିବା ଭୁବନଙ୍କ ପରିବାରର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସମାଜସେବୀ ଶ୍ରୀ ପାଇଟାଳ କହିଛନ୍ତି, ଆମ ଦେଶରେ ଅଙ୍ଗଦାନ କାର୍ଯ୍ୟକ୍ରମ ସେତେ ଉତ୍ସାହଜନକ ହୋଇନଥିଲେ ମଧ୍ୟ ଏହି ଘଟଣା ନିଶ୍ଚୟ ଅନେକଙ୍କୁ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର