ବିଜେଡି, ବିଜେପିରେ ବହୁ ଆଶାୟୀ ଏବେ ସମାଜସେବୀ
ବସ୍ତି ଠାରୁ କଲୋନି ଯାଏ ଚାଲିଛି ରିଲିଫ୍ ବଣ୍ଟା
ଚନ୍ଦ୍ରଶେଖରପୁର : କରୋନା ମହାମାରୀ ଦୂରେଇ ଗଲେ ଯେ କୌଣସି ସମୟରେ ବିଏମ୍ସି ନିର୍ବାଚନ ହୋଇପାରେ। ଏଥିପାଇଁ ଆଶାୟୀମାନେ ବହୁ ଆଗରୁ ଲବି ଆରମ୍ଭ କରିଦେଇଥିଲେ। କିନ୍ତୁ ଏବେ କରୋନା ମହାମାରୀ ଆଶାୟୀମାନଙ୍କୁ ଲୋକଙ୍କ ନିକଟତର ହେବାକୁ ଓ ଦଳୀୟ ନେତାଙ୍କ ନଜରରେ ରହିବାକୁ ଏକ ବଡ଼ ସୁଯୋଗ ଆଣି ଦେଇଛି। ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଭିନ୍ନ ୱାର୍ଡରେ ଉଭୟ ବିଜେଡି ଓ ବିଜେପିର ବହୁ କର୍ପୋରେଟର୍ ଆଶାୟୀ ଏବେ ସମାଜସେବୀ ଭୂମିକାରେ ରାସ୍ତାକୁ ଓହ୍ଲାଇଛନ୍ତି। ନିଜ ନିଜ ସମର୍ଥକଙ୍କ ସହ ସେମାନେ ବସ୍ତି ଠାରୁ କଲୋନି ଯାଏ ସବୁଠି ରିଲିଫ୍ ସାମଗ୍ରୀ ବାଣ୍ଟିବା ସହ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି। ୱାର୍ଡସ୍ତରୀୟ ଏହି ନେତାମାନେ ରିଲିଫ୍ ମାଧ୍ୟମରେ ନିଜର ଦବ୍ଦବା ଜାହିର କରିବାର ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଲକ୍ଡାଉନ୍ ଆରମ୍ଭ ପର ଠାରୁ ଏହି ନିର୍ବାଚନମଣ୍ଡଳୀରେ ଏମିତି ଦୃଶ୍ୟ ନିୟମିତ ଦେଖିବାକୁ ମିଳୁଛି।
ବିଭିନ୍ନ ୱାର୍ଡରେ ବିଜେଡି ଆଶାୟୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଆଗରେ ରଖି ରିଲିଫ୍ ଅପରେସନ୍ କରୁଛନ୍ତି। ୱାର୍ଡରେ ସଫେଇ ଅଭିଯାନ କରିବା ସହ ବିଶୋଧନ କରୁଛନ୍ତି। ପ୍ରତିଦିନ କୌଣସି ନା କୌଣସି ୱାର୍ଡରେ ବିଜେଡି ନେତାମାନେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ୧ ଓ ୨ ନମ୍ବର ୱାର୍ଡର ବିଜେଡି କର୍ମୀମାନେ ଶିଖରଚଣ୍ଡୀ ନଗର ସମେତ ସ୍ଥାନୀୟ ଅଞ୍ଚଳ ବୁଲି ଲୋକଙ୍କୁ କୋଭିଡ୍-୧୯ ସମ୍ପର୍କରେ ସଚେତନ ବାର୍ତ୍ତା ଦେଉଛନ୍ତି। ନିକଟରେ ଥିବା ନାଳ ନର୍ଦ୍ଦମାରେ ବ୍ଲିଚିଙ୍ଗ ପାଉଡର ପକାଇଛନ୍ତି। ହୋମ କ୍ବାରାଣ୍ଟିନ୍ରେ ଥିବା ଘରଗୁଡ଼ିକୁ ବିଶୋଧନ କରିବା ସହ ଲୋକଙ୍କ ତାମପାତ୍ରା ମାପିଛନ୍ତି। ଏହା ବ୍ୟତୀତ ଅନ୍ୟ ୱାର୍ଡଗୁଡ଼ିକରେ ବି ବିଜେଡି ଆଶାୟୀ କର୍ପୋରେଟରମାନେ ଖାଦ୍ୟ ପୁଡ଼ିଆ ବଣ୍ଟନ, ଗୋ-ସେବା, କୁକୁରଙ୍କୁ ଖାଦ୍ୟ ବଣ୍ଟନ, କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ପତିଆରା ଜାହିର କରିଛନ୍ତି।
ବିଜେପି କର୍ମୀମାନେ ବି ପଛରେ ପଡ଼ିନାହାନ୍ତି। ସେମାନେ ମଧ୍ୟ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର-୬ ହନୁମାନ ମନ୍ଦିର ବସ୍ତିରେ ବିଶୋଧନ କାର୍ଯ୍ୟକ୍ରମ କରିବା ସହ ନୀଳାଦ୍ରିବିହାରରେ ଗୋ-ସେବା, ମୁଣ୍ଡାସାହିରେ ଲୋକଙ୍କୁ ସଚେତନ, ଶିଖରଚଣ୍ଡୀ ନଗରରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସାଲିଆସାହିରେ ବିଜେପିର ଆଶାୟୀ କର୍ପୋରେଟର ପ୍ରାର୍ଥୀମାନେ ଗଳିକୁ ଗଳି ବୁଲି ବିଶୋଧନ କରୁଥିବା ବି ଦେଖିବାକୁ ମିଳିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଗରେ ରଖି ବିଜେପିର କର୍ମୀମାନେ କୋଭିଡ୍-୧୯ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସହାୟତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ଲକ୍ଡାଉନ୍ ସମୟରେ ଅସହାୟ ହୋଇଥିବା ଲୋକଙ୍କ ନିକଟରେ ବି କର୍ମୀମାନେ ପହଞ୍ଚି ସହାୟତାର ହାତ ବଢ଼ାଇ ଦେଉଛନ୍ତି। ବିଜେପି ପକ୍ଷରୁ ୱାର୍ଡ ୱାରି କୌଣସି ନେତା ଆଗକୁ ବାହାରି ନାହାନ୍ତି।
ଏମିତିକି କରୋନା ସମୟରେ ସରକାରଙ୍କ ପକ୍ଷରୁ ଘୋଷଣା ହେଉଥିବା ସହାୟତା ରାଜ୍ୟ ସରକାର ଦେଉଛନ୍ତି ବୋଲି ବିଜେଡିର କର୍ମୀମାନେ କହି ବୁଲୁଛନ୍ତି। ସେମିତି ସବୁ ସହାୟତା କେନ୍ଦ୍ର ସରକାରଙ୍କର ଅବଦାନ ବୋଲି ବିଜେପିର କର୍ମୀମାନେ ପ୍ରଚାର କରୁଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ବି ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଉଭୟ ଦଳରେ ଏତେ ସଂଖ୍ୟାରେ କର୍ପୋରେଟର୍ ଆଶାୟୀ ସମାଜସେବୀ ଭାବେ ରାସ୍ତାକୁ ଓହ୍ଲାଇଛନ୍ତି ଯେ ଆଗକୁ ବିଏମ୍ସି ନିର୍ବାଚନରେ ପ୍ରାର୍ଥୀ ଚୟନ କରିବା େନତାଙ୍କ ପାଇଁ କାଠିକର ହୋଇପଡ଼ିବ। ଉଭୟ ଦଳର ଏହି ଅଦୃଶ୍ୟ ପ୍ରତିଯୋଗିତା ଭିତରେ ସାଧାରଣ ଜନତା ଲାଭବାନ ହେଉଛନ୍ତି।
ଅପରପକ୍ଷରେ କୋଭିଡ୍-୧୯ ସଂକ୍ରମଣ ଉତ୍ତର ଭୁବନେଶ୍ବରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ପଟିଆ, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ସାଲିଆସାହି, ଡମଣା, ଭିଏସ୍ଏସ୍ନଗର, ବାଣୀବିହାର, ମୈତ୍ରୀବିହାର ଆଦି ଅଞ୍ଚଳକୁ ଛୁଇଁ ସାରିଛି। ୮ରୁ ଅଧିକ ବସ୍ତିରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଞ୍ଚେଶ୍ବର ତ ଏବେ ସହରର ହଟ୍ସ୍ପଟ୍ ଭାବେ ଉଭା ହୋଇଛି। ଗାଁ ବି ଏଥିରୁ ବାଦ୍ ପଡ଼ିନି। ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୫ଟି ପଞ୍ଚାୟତରୁ ବି କରୋନା ଆକ୍ରାନ୍ତ ବାହାରିଛନ୍ତି। ସ୍ଥିତି ସାଂଘାତିକ ଆଡ଼କୁ ଗତି କରୁଥିବା ବେଳେ ବିରୋଧୀମାନେ ପ୍ରଶାସନର ବିଫଳତାକୁ ଦୋଷ ଦେଇଛନ୍ତି। ବାହାରୁ ଆସୁଥିବା ଲୋକଙ୍କୁ ଠିକ୍ ଭାବେ ଚିହ୍ନଟ କରା ନଯିବା, କଟକଣା କୋହଳ କରିବା ଯୋଗୁଁ ଲୋକେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି।