କ୍ୟାପିଟାଲ ହସ୍ପିଟାଲରେ ଏମିତି ହେଉଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର : ଆଖି ଖୋଲିପାରୁ ନାହାନ୍ତି ମହିଳା, ଡାକ୍ତର କହିଲେ ଆଖିରୁ ଲେନ୍‌ସ ଖସି ଯାଇଛି

ଭୁବନେଶ୍ବର : ୨୦୨୨ ମସିହା ସୁଦ୍ଧା ରାଜ୍ୟ ସରକାର ରାଜ୍ୟରେ ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରଖାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ଜଣେ ମହିଳାଙ୍କ ଆଖିରୁ ଲେନ୍‌ସ ହଜିଯିବା ଘଟଣା ଏବେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛି।

ଫରେଷ୍ଟ ପାର୍କ ଅଞ୍ଚଳର ତାରା ଜେନା(୮୮)ଙ୍କର ଗତବର୍ଷ ଫେବ୍ରୁଆରିରେ ବାମ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିଲା। ସେବେଠାରୁ ସେ ଆଖି ଖୋଲି ପାରି ନ ଥିଲେ। ତାଙ୍କ ପୁଅ ପ୍ରମୋଦ ଜେନା କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇଥିଲେ। ପ୍ରମୋଦଙ୍କ କହିବାନୁଯାୟୀ, ପୂର୍ବରୁ ମା’ଙ୍କ ଡାହାଣ ଆଖିରେ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିଲା। ଗତବର୍ଷ ବାମ ଆଖିରେ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରଦିନଠାରୁ ମା’ଙ୍କ ବାମ ପଟ ଆଖି ଖୋଲି ନ ଥିଲା। ସପ୍ତାହ ପରେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଏ ସଂପର୍କରେ ଜଣାଇବାରେ ସେ ଧୀରେ ଧୀରେ ଆଖି ଖୋଲିବ ବୋଲି କହିଥିଲେ। ମାତ୍ର ସେ ସମୟରେ ଲେନ୍‌ସ ଆଖିରୁ ହଜିଯିବା କିମ୍ବା ଆଖିରେ ପଶିଯିବା ନେଇ କିଛି କହି ନ ଥିଲେ। ତେବେ ଅନ୍ୟତ୍ର ଡାକ୍ତର ଦେଖାଇବା ପରେ ମା’ଙ୍କ ଆଖିରେ ଲେନ୍‌ସ ନ ଥିବା ଡାକ୍ତର କହିଥିଲେ। ପୁନର୍ବାର ଚଳିତ ମାସ ୮ତାରିଖରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଦେଖାଇବା ‌ପରେ ମା’ଙ୍କ ଆଖିରେ ଲେନ୍‌ସ ନ ଥିବା ଡାକ୍ତର କହିଥିଲେ। ହେଲେ ଆଖିରୁ ଲେନ୍‌ସ କୁଆଡ଼େ ଗଲା ବୋଲି ଡାକ୍ତର କିଛି ସ୍ପଷ୍ଟ କରିପାରି ନ ଥିଲେ। କହିଥିଲେ, ପରେ ଆସ ଦେଖିବା। ଏକ କଳା ଚଷମା ପିନ୍ଧିବା ପାଇଁ ପ୍ରେସକ୍ରିପସନ୍‌ରେ ଉଲ୍ଲେଖ କରିଥିଲେ। ଏବେ ମଧ୍ୟ ମା’ଙ୍କ ବାମ ଆଖିକୁ ଅସ୍ତ୍ରୋପଚାର ପରଠାରୁ ଦେଖା ଯାଉ ନଥିବା ପ୍ରମୋଦ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରୁଥିବା ଲୋକମାନଙ୍କୁ ବାହାରୁ ଲେନ୍‌ସ କିଣିବା ପାଇଁ ହସ୍ପିଟାଲର କର୍ମଚାରୀ ପ୍ରବର୍ତାଉଥିବା ଅଭିଯୋଗ ହୋଇଆସୁଛି। ହସ୍ପିଟାଲ ପଛପଟରେ ଥିବା ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଲେନ୍‌ସ କିଣିବା ଲାଗି କୁହାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ମାଗଣା‌ରେ ଲେନ୍‌ସ ଯୋଗାଇ ଦିଆଯାଉଥିବା ବେଳେ କିଛି କର୍ମଚାରୀ ଏଭଳି ଦାଲାଲିରେ ମାତିଥିବା ରୋଗୀମ‌ାନେ ଅଭିଯୋଗ କରୁଛନ୍ତି।

ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲ ଚକ୍ଷୁ ବିଭାଗର ଡାକ୍ତରଙ୍କ କହିବାନୁଯାୟୀ, ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନିଶ୍ଚିତ ଲେନ୍‌ସ ଦିଆଯାଉଛି। ଅସାବଧାନତା କାରଣରୁ ହୁଏତ ସଂପୃକ୍ତ ମହିଳାଙ୍କ ଆଖିରୁ ଲେନ୍‌ସ ଖସି ଯାଇ ଥ‌ାଇପାରେ। ବହୁତ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ। କିନ୍ତୁ ହସ୍ପିଟାଲର କେଉଁ କର୍ମଚାରୀ ବାହାରୁ ଲେନ୍‌ସ କିଣିବା ପାଇଁ ରୋଗୀଙ୍କୁ କହୁଛନ୍ତି ତାହାର ଖବର ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର