ଭୁବନେଶ୍ବର:  ପାର୍ବଣ ହେଉ ଅବା କୌଣସି ଖୁସି ଖବର, ଗାଡ଼ି କିଣା ହେଉ କିଂବା ପୁଅ ଝିଅ ବାହାଘର। ସେ ରଜ, ଦଶହରା ହେଉ ଅବା କୁମାର ପୂର୍ଣ୍ଣିମା; ମିଠା, ପିଠା ବିନା ଓଡ଼ିଆଙ୍କ ବାରମାସର ତେରପର୍ବ ଯେମିତି ଅଧୁରା। ତେବେ ଏହି ସବୁ ପର୍ବଠାରୁ ସମ୍ପୂର୍ଣ୍ଣ ନିଆରା ହେଉଛି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଆଲୋକର ପ୍ରତୀକ ଦୀପ, ମୁରୁଜ ଝୋଟି ଓ ବାଣ ଯେତିକି ଜରୁରି, ମିଠା ବି ସେତିକି ଲୋଡ଼ା। ଏହି ପର୍ବରେ ନିଜେ ଖାଅ କି ନ ଖ‌ାଅ, ପ୍ରିୟଜନଙ୍କୁ ଉପହାରସ୍ବରୂପ ହେଉ, କର୍ପୋରେଟ୍‌ଗିଫ୍ଟ ଭାବେ ‌ହେଉ ବା ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତ କରିବା ପାଇଁ ଦୀପାବଳିରେ ଖୋଜା ପଡ଼େ ସୁସ୍ବାଦୁ ମିଠା। ସେ ପୁଣି ଖାଲି ମିଠା ନୁହେଁ, ରଙ୍ଗବେରଙ୍ଗ ଓ ନିଆରା ମିଠା। ଏ ବର୍ଷ ଭୁବନେଶ୍ବରରେ ଭିନ୍ନ ଭିନ୍ନ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମିଠା କାରିଗରମାନେ ଗଢ଼ି ଚାଲିଛନ୍ତି ଭିନ୍ନଭିନ୍ନ ରକମର ସ୍ବାଦିଷ୍ଟ ମିଠା। ଏଥିପାଇଁ ମିଠା ବ୍ୟବସାୟୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ବି ଆରମ୍ଭ ହୋଇଯାଇଛି। କିଏ ଛେନା, କ୍ଷୀରକୁ ଅସ୍ତ୍ର କରିଛି ତ ପୁଣି କେହି ଫଳ ଓ ଡ୍ରାଏ ଫ୍ରୁଟ୍‌କୁ ନେଇ ମିଠାର ପସରା ଖୋଲିଲାଣି। ପ୍ରତିବର୍ଷ କେବଳ ଦୀପାବଳି ଓ ଏହାର ପୂର୍ବ ଦିନ ରାଜଧାନୀର ମିଠା ବ୍ୟବସାୟୀ କୋଟିଏ ଟଙ୍କାର କାରବାର କରିଥା’ନ୍ତି। ଏହି କାରବାର ଦିନ ପାଖେଇ ଆସୁଥିବାରୁ ଅଣ୍ଟା ଭିଡ଼ିଲେଣି ରାଜଧାନୀର ମିଠା ବେପାରୀ।

Advertisment

ଆକର୍ଷଣୀୟ ପ୍ୟାକେଜିଂ

ମିଠା ପାଇଁ ଦୀପାବଳି ଯେତିକି ଲୋକପ୍ରିୟ, ଏବେ ପ୍ରଦୂ‌ଷଣ ପାଇଁ ସେତିକି ବଦନାମ ମଧ୍ୟ। ଏହି ବଦନାମୀରୁ ଦୀପାବଳିକୁ ସାମାନ୍ୟ ଆଶ୍ବସ୍ତି ଦେବାକୁ ଏବେ ପରିବେଶଭିତ୍ତିକ ମିଠା ‌ପ୍ୟାକେଜିଂ ବଜାରକୁ ଆସିଛି। ଆଟା ତିଆରି ମିଠା ପ୍ୟାକେଟ୍‌ରେ ବିଭିନ୍ନ ବୃକ୍ଷର ଛୋଟ ଛୋଟ ମଞ୍ଜି ବି ରହିଥାଏ। ମିଠା ଖାଇସାରିବା ପରେ ଏହି ମଞ୍ଜି ଭର୍ତ୍ତି ଆଟା ପ୍ୟାକେଟକୁ ମାଟି‌ରେ ପୋତି ଦେଲେ ଏଥିରୁ ଗଛ ବାହାରିଥ‌ାଏ। ଏଥିସହ ଏବେ ପ୍ଲାଷ୍ଟିକ୍‌ପ୍ୟାକେଜିଂ ଅପେକ୍ଷା ପୁନଃବ୍ୟବହାରକ୍ଷମ ଟିଣ ବା କାଠର ବାକ୍ସ ଅଧିକ ଲୋକପ୍ରିୟ ହୋଇଛି।  ଏଥିସହ ସମ୍ଭ୍ରାନ୍ତଶ୍ରେଣୀୟ ଥାଟ ପାଇଁ ଏବେ କଷ୍ଟମାଇଜ୍ଡ୍‌, ଥିମ୍‌ଡ୍‌ମିଠା ବକ୍ସ ଅଧିକ ଚାହିଦାରେ ରହିଛି। ମିଠା ହେଉ ବା ଚକୋଲେଟ୍, କିମ୍ବା କୁକିଜ୍‌ବା ଡ୍ରାଏ ଫ୍ୟୁଟ୍‌ସ୍‌ସବୁ କିଛିକୁ ଭିନ୍ନ ପ୍ୟା‌କେଜିଂ ପାଇଁ ନିଆରା ମିଠା ଡବା ଓ ବାସ୍କେଟ ଏବେ ମିଠା ଦୋକାନର ଶୋଭା ବଢ଼ାଉଛି। କାଠ ଓ ଲେଦର୍‌ତିଆରି ବାକ୍ସ ବା ଡବାରେ ବିଭିନ୍ନ ରାଜକୀୟ ଶୈଳୀର ଚିତ୍ରକଳା ସାଙ୍ଗକୁ କଳସ, ହାତୀ, ଘୋଡ଼ା ଭଳି ପାରମ୍ପରିକ ଖୋଦେଇ ସହ ଏବେ ନାଁ ବି ଖୋଦିତ ହେଉଛି। ଯାହା ଗ୍ରାହକଙ୍କୁ ବେଶ୍‌ଆକର୍ଷିତ କରୁଛି। ପୁଣି ରହିଛି ମୋଟା ଦଉଡ଼ି ତିଆରି ବାସ୍କେଟ୍‌, ହାତ ତିଆରି ବକ୍ସ, ହ୍ୟାମ୍ପର୍‌ସ୍‌ଓ ଫ୍ୟାନ୍ସି ୱାଲେଟ୍‌ଇତ୍ୟାଦି। ତେବେ ଏବେ ମାର୍କେଟରେ ନାମ ଲେଖା ବା ଫଟୋ ଥିବା କଷ୍ଟମାଇଜ୍‌ଡ୍‌ପ୍ୟାକେଜିଂ ସହ ଫ୍ୟାନ୍ସି ୱାଲେଟ୍‌ର ଚାହିଦା ବଢ଼ିଛି। ଚକୋଲେଟ୍‌ସହ କାଜୁ, କିସ୍‌ମିସ୍‌ଓ ପିସ୍ତା ବାଦାମ୍‌, କୁକି, ସୁନ୍ଦର ସୁନ୍ଦର ମିଠାର ପ୍ୟାକେଜିଂ ଏବେ ପ୍ରାୟ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।

ଲଡ଼ୁ ସହ ପେଡ଼ା ଲଢ଼େଇ

ଭାରତୀୟ ମିଠା ସାମ୍ରାଜ୍ୟର ମଉଡ଼ମଣି ହେଉଛି ଲଡ଼ୁ। ତାକୁ ଟକ୍କର ଦେବାକୁ ଏଥର ମିଠା ବଜାରକୁ ଆସିଛି ପେଡ଼ା। କାନ୍‌ପୁରୀ ଲଡ଼ୁ, ଦେଶୀ ଘିଅ ଲଡ଼ୁ, କେଶର ଲଡ଼ୁ, ଗୋନ୍ଦ ଲଡ଼ୁ ଓ  ବେସନ ଲଡ଼ୁ ସହ ରାଜଧାନୀର ପ୍ରସିଦ୍ଧ ମିଠା ଦୋକାନୀ ଦୀପାବଳି ବଜାରକୁ ଆଣୁଛନ୍ତି ଗୁଡ଼ ପେଡ଼ା ସହ କେଶର ଓ ମଲାଇ ପେଡ଼ା।  ନିମାପଡ଼ା ସ୍ବିଟ୍‌ସ୍‌ ସ୍ବତ୍ବାଧିକାରୀ ଦିବାକର ସାହୁ କହିଛନ୍ତି, ଦୀପାବଳିରେ ଲୋକମାନେ ପରିଜନଙ୍କୁ ଉପହାର ଦେବା ପାଇଁ ଶୁଖିଲା ମିଠା ଚାହାନ୍ତି। ଏଣୁ ଦୀପାବଳୀରେ ଲଡ଼ୁ ଓ ପେଡ଼ାର ଚାହିଦା ବଢ଼େ। ଏସବୁ କେଜି ପିଛା ୨୦୦ ଟଙ୍କାରୁ ଆରମ୍ଭ କରି ଗ୍ରାହକଙ୍କ ବରାଦ ଅନୁସାରେ  ଦର ରହିଥାଏ।

ଚାହିଦାରେ ଡ୍ରାଏଫ୍ରୁଟ୍‌ସ୍‌ ମିଠା

କାଜୁ ବା ଡ୍ରାଏ ଫ୍ରୁଟ୍‌ସ୍‌ ତିଆରି ମିଠାର ପସରା ବି ଦୀପାବଳି ବଜାର ନେଇଆସିଛି। ଖୁଆ ଫ୍ୟାନ୍ସିଂ, କାଜୁ ଚକୋ ଚିପ୍‌ସ୍‌, କାଜୁ କଟୋରି, ଖଜୁର୍‌ଡ୍ରାଏ ଫ୍ରୁଟ୍‌ସ୍‌ଲଡ଼ୁ, ସ୍ପେସାଲ୍‌ଡ୍ରାଏଫ୍ରୁଟ୍‌ସ ଲଡ଼ୁ, କାଜୁ ଭୁଜିଆ, କାଜୁ ଦୀପ୍‌, କାଜୁ ପାନ୍‌, ଖୁଆ ଆପଲ୍‌, ଖୁଆ ମ୍ୟାଙ୍ଗୋ, ପିସ୍ତା ସଫ୍ଟି, ଫ୍ୟାନ୍ସି ରଥ, କାଜୁ ହନି, କାଜୁ ସ୍ଲାଇସ୍‌, ଶଙ୍ଖୁଲି, ଆଶା ଡ୍ରାଏ ଫ୍ରୁଟ୍‌ସ୍‌, ଖୁଆ ପୁରୀ ଓ ମାଓବାଟି ଆଦି ମିଠା ରାଜଧାନୀବାସୀଙ୍କ ଜିଭରେ ନୂଆ ଫ୍ଲେବର୍‌ଯୋଡ଼ିବ। ମଧୁମେହ ରୋଗୀଙ୍କ ପାଇଁ ସୁଗାର ଫ୍ରି ଲଡ଼ୁ ଓ ମିଠା ମଧ୍ୟ ଆସିଛି। ବଡ଼ କଥା ହେଉଛି ଏହି କିସମର ମିଠା ଅଧିକ ଦିନ ରଖି ହେଉଥିବାରୁ ଉପହାର ଦେବା ପାଇଁ ଏହାକୁ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରାଯାଏ। ଏସବୁ ମିଠାର ଦାମ୍‌ କେଜି ପିଛା ୩୦୦ ଟଙ୍କାରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।

ଛେନା ଓ କାଜୁମିଠା ମୁହାଁମୁହିଁ

ସାଧାରଣତଃ ‌ଭାରତୀୟ ପରମ୍ପରାରେ କେଉଁ ଦିନେ କେଉଁ ମିଠା ଖାଇବା, ତାହା ଆପାତତଃ ସ୍ଥିର ଥାଏ। ଦୀପାବଳିରେ ସାଧାରଣତଃ ଶୁଖିଲା ମିଠାର ଚାହିଦା ଅଧିକ ଥାଏ। ଏଣୁ ଏହି ସମୟରେ କାଜୁ ଓ ଛେନାର ମିଠା ମଧ୍ୟରେ ପ୍ରତିଯୋଗିତା ଜୋର୍‌ଧରେ। ଅଧିକ ଦିନ ରହିବା ଓ ପ୍ୟାକେଜିଂ ସୁବିଧା ପାଇଁ କାଜୁ ମିଠାର ଚାହିଦା ଦୀପାବଳିରେ ବଢ଼େ। ଏଣୁ ଏହି ସମୟରେ ଛେନା ଅପେକ୍ଷା କାଜୁ ତିଆରି ମିଠାର ଚାହିଦା ଅଧିକ ରହିଛି। ଶ୍ରୀ ସାହୁ କହିଛନ୍ତି, ଏବେ ଦୀପାବଳିକୁ ନଜରରେ ରଖି କାଜୁ-ପିସ୍ତା ରୋଲ୍‌, କାଜୁ କଟ୍‌ଲି, କାଜୁ ବାଦାମ ଲଡ଼ୁ, ଚକ୍‌ଲେଟ୍‌କାଜୁ କଟ୍‌ଲି, କାଜୁ ରିମ୍‌ଝିମ୍‌, ଅଞ୍ଜିର୍‌ରୋଲ୍‌, କେଶର ରୋଲ୍‌, କାଜୁ ଆପେଲ୍‌, କାଜୁ ସୂର୍ଯ୍ୟ ଓ କାଜୁ ବର୍‌ଫି ଆସିଛି। ଏସବୁର ଚାହିଦା ଖୁବ୍‌ଅଧିକ ରହିଛି। ଏଥିସହ ଅର୍ଦ୍ଧଚନ୍ଦ୍ର, ‌ଡାଏମଣ୍ଡ୍‌, ତିନିକୋଣିଆ ଓ ବିଭିନ୍ନ ଫଳର ଆକୃତି ଦେଇ ଏହି ଶୁଖିଲା ମିଠା ପ୍ରସ୍ତୁତ ହେଉଛି। ଏସବୁ ମିଠାର ଦାମ୍‌କେଜି ପିଛା ୫୦୦ରୁ ୭୦୦ ଟଙ୍କା ମଧ୍ୟରେ ରହିଛି। ତେବେ ବଡ଼ବଡ଼ୁଆ ଟେକିବା ସମୟରେ ବା ଘରେ ଖାଇବା ପାଇଁ ଛେନା ମିଠାର ଚାହିଦା ସବୁବେଳେ ରହିଥାଏ। ଏଣୁ ମିଲ୍‌କ କେକ୍‌, ବାଦାମ ମିଲ୍କ କେକ୍‌, କାଲାକନ୍ଦ, ବର୍ଣ୍ଣଭିଟା କାଲାକାମ୍‌, ରସଗୋଲା, ତାଡ଼ିଆ ମିଠା ଆଦି ଓଦା ମିଠା ସହ ଚମ୍‌ଚମ୍‌, ଛେନା ମୁଡ୍‌କି, ଛେନାଗଜା, ଛେନାପୋଡ଼, ଛେ‌ନା ରୋଲ୍‌ଆଦି ଛେନା ତିଆରି ଶୁଖିଲା ମିଠା ସବୁବେଳେ ମିଠାପ୍ରେମୀଙ୍କ ଚାହିଦାରେ ରହିଛି। ଏବେ ମଧୁମେହ ରୋଗୀଙ୍କ ପାଇଁ ସୁଗାର୍‌ଫ୍ରି’ ମିଠା ମଧ୍ୟ ଉପଲବ୍ଧ ହେଉଛି।