ଭୁବନେଶ୍ବର: ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏସ୍ସିଆର୍ବି) ପ୍ରସ୍ତୁତ କରିଛି ଫେସ୍ ଡିଟେକ୍ସନ୍ ଆପ୍। ଗତକାଲି ରାଜଧାନୀରେ ଏହି ଆପ୍ର ପରୀକ୍ଷଣ କରାଯାଇଥିଲା। ସେଫ୍ ସିଟି ଡ୍ରାଇଭ୍ ଯୋଜନାରେ ଡ୍ରଙ୍କେନ୍ ଡ୍ରାଇଭିଂ ଯାଞ୍ଚ କଲା ବେଳେ ଏହି ଆପ୍ର କାର୍ଯ୍ୟକାରୀତା ନେଇ ପରୀକ୍ଷଣ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଅଫିସରଙ୍କ ମୋବାଇଲରେ ଏହି ଆପ୍ ଲୋଡ୍ କରାଯାଇଛି। ପରୀକ୍ଷଣରୁ ଯାହା ତ୍ରୁଟି ଜଣାପଡ଼ିବ, ସେସବୁକୁ ସୁଧାରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପୁଲିସ କମିସନର ସଂଜୀବ ପଣ୍ଡା କହିଛନ୍ତି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍ ଜ୍ଞାନକୌଶଳରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ୱାଣ୍ଟେଡ୍ ଅପରାଧୀମାନଙ୍କୁ ସହଜରେ ଠାବ କରିବା ଏହି ଆପ୍ର ମୂଳ ଲକ୍ଷ୍ୟ। ପାଟ୍ରୋଲିଂରେ ଥିବା ପୁଲିସ, ବ୍ଲକିଂ ଚେକିଂ କରୁଥିବା ପୁଲିସ ସବୁ ଅପରାଧୀଙ୍କୁ ଜାଣି ନଥାନ୍ତି। ତେଣୁ ପୁଲିସ ପାଇଁ ୱାଣ୍ଟେଡ୍ ହୋଇଥିଲେ ବି ସେମାନେ ସହଜରେ ଖସିଯିବାରେ ସଫଳ ହୁଅନ୍ତି। କିନ୍ତୁ ଏହି ଆପ୍ ପୁଲିସକୁ ଅପରାଧୀ ଚିହ୍ନଟ କରିବାରେ ସହାୟକ ହେବ। ଭିଡ଼ ଭିତରେ ପୁଲିସ କୌଣସି ସନ୍ଦିଗ୍ଧକୁ ଯାଞ୍ଚ କଲା ବେଳେ ନିଜ ମୋବାଇଲ୍ରେ ତା’ର ଫଟୋ ଉଠାଇବେ। ସେହି ଫଟୋକୁ ଉକ୍ତ ଆପ୍ରେ ଅପ୍ଲୋଡ୍ କରିବେ। ପୂର୍ବରୁ ଉକ୍ତ ଆପ୍ରେ ୱାଣ୍ଟେଡ୍ ଅପରାଧୀମାନଙ୍କ ଅପରାଧ ପଞ୍ଜିକା ରହିଛି। ସେ କେଉଁ ଅପରାଧରେ ପୁଲିସ ପାଇଁ ୱାଣ୍ଟେଡ୍ ସେସବୁ ପୂର୍ବରୁ ଆପ୍ରେ ରେକର୍ଡ ହୋଇ ରହିଛି। ପୁଲିସ ଅଧିକାରୀଙ୍କ ମୋବାଇଲ୍ରେ ଉଠିଥିବା ଫଟୋ ଅପ୍ଲୋଡ୍ ହେବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତିର ସମସ୍ତ ଅପରାଧର ଇତିହାସ ମୋବାଇଲ୍ ପରଦାରେ ସ୍ବତଃ ପ୍ରଦର୍ଶିତ ହେବ। ତେଣୁ ପୁଲିସକୁ ଚକ୍ମା ଦେଇ ଖସିବା ବାଟ ବନ୍ଦ ହୋଇଯିବ।