ଚନ୍ଦ୍ରଶେଖରପୁର: ସାଲିଆ ସାହି ଅନ୍ତର୍ଗତ ଓ୍ଵାର୍ଡ ନଂ-୨୦ରେ ଆଜି ସ୍ଥାନୀୟ ବସ୍ତିବାସିନ୍ଦା ଅସମ୍ପୂର୍ଣ୍ଣ ଡ୍ରେନ୍ କାମ ବିରୋଧରେ ଟାୟାର୍ ଜାଳି ଲୟଲା ସ୍କୁଲ୍ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସକାଳୁ ସକାଳୁ ଶତାଧିକ ବସ୍ତିବାସିନ୍ଦା ପ୍ରଶାସନର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଏହିଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ଏହି ବିରୋଧର ନେତୃତ୍ୱ ନେଉଥିବା ବସ୍ତି ନେତା ଅଂଜନ ନାଥଙ୍କ ଅଭିଯୋଗ ଅନୁଯାୟୀ ଲୟଲା ସ୍କୁଲ୍ଠାରୁ ଶ୍ରୀରାମ ନଗର ଟ୍ରାକ୍ଟର୍ ପଡ଼ିଆ ପର୍ଯ୍ୟନ୍ତ ଡ୍ରେନ୍ ଅଧାପନ୍ତରା ନିର୍ମାଣ ହୋଇଛି। କିନ୍ତୁ ସେହି ସ୍ଥାନରୁ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ପର୍ଯ୍ୟନ୍ତ କାମ ହୋଇନାହିଁ। ଫଳରେ ଉପରମୁଣ୍ଡରୁ ଆସୁଥିବା ମଇଳା ଓ ନର୍ଦ୍ଦମା ପାଣି ରାସ୍ତାରେ ଭାସୁଛି। ସମଗ୍ର ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଦୁର୍ଗନ୍ଧରେ ଏହି ବସ୍ତିରେ ରହିବା ମୁସ୍କିଲ୍ ହୋଇପଡ଼ିଛି। ମାସେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଡ୍ରେନ୍ କାମକୁ ସମ୍ପୂର୍ଣ୍ଣ କରିବାକୁ କେହି ମଧ୍ୟ ଆଗ୍ରହ ଦେଖାଉ ନାହାନ୍ତି। ଏହି ଦୂଷିତ ପରିବେଶ ଫଳରେ ସ୍ଥାନୀୟ ଅଞ୍ଚଳରେ ନାନା ରୋଗ ସୃଷ୍ଟି ହେଉଛି। ଆଗକୁ ମୌସୁମୀ ଆସୁଥିବା ବେଳେ ଏହି ଡ୍ରେନ୍ କାମ ନସରିଲେ ଏଠିକାର ପରସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଅଭିଯୋଗ ହୋଇଛି। ସେହିପରି ଅଧା କାମ ହୋଇଥିବା ଡ୍ରେନ୍କୁ ଘୋଡ଼ା ଯାଉ ନଥିବାରୁ ଅନେକ ଲୋକ ଗଳିପଡ଼ି ଆହତ ହେଉଛନ୍ତି। ଶ୍ରୀରାମନଗର ବସ୍ତିର ଗୋପାଳ ଦାସ ଏହି ମୁକୁଳା ଡ୍ରେନ୍ରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତଥାପି ମଧ୍ୟ ପ୍ରଶାସନର ଚେତା ପଶୁନି। ତେଣୁ ଏହି କାମ ଶୀଘ୍ର ସାରିବା ଦାବି କରି ରାସ୍ତାରୋକ କରାଯାଇଥିବା ଆନ୍ଦୋଳନକାରୀ ପ୍ରକାଶ କରିଥିଲେ। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ତିନି କର୍ପୋରେଟର୍ ପ୍ରେମାନନ୍ଦ ଜେନା, ବାସନ୍ତି ସିଂ ଓ ଝୁନୁବାଳା ଦେଇ, ନୟାପଲ୍ଲୀ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସାତଦିନ ଭିତରେ ଏହି ଅସମ୍ପୂର୍ଣ୍ଣ କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ଅସମ୍ପୂର୍ଣ୍ଣ ଡ୍ରେନ୍ କାମକୁ ନେଇ ଅସନ୍ତୋଷ
ନର୍ଦ୍ଦମା ପାଣିରେ ଭାସିଲା ବସ୍ତି, ବସ୍ତିବାସିନ୍ଦାଙ୍କ ଟାୟାର୍ ଜାଳି ରାସ୍ତା ଅବରୋଧ
/sambad/media/post_attachments/wp-content/uploads/2018/06/m18.jpg)