ପରକୀୟା ପାଇଁ ଭୟଙ୍କର ପ୍ରତିଶୋଧ

ସ୍ୱାମୀ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ପତ୍ନୀ

ଭୁବନେଶ୍ୱର: ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ଟାର୍ଗେଟ କରିଥିଲେ ପତ୍ନୀ। ସବୁ ଦିନ ପାଇଁ ଜୀବନରୁ ହଟାଇ ଦେବାକୁ ଯୋଜନା କରିଥିଲେ । ଆଉ ଶୋଇଥିବାବେଳେ ପତିଙ୍କ ଉପରେ ପେଟ୍ରୋଲ ଢାଳି ଦିଆସିଲ ମାରି ଦେଇଥିଲେ। ସ୍ୱାମୀ ହୁତୁହୁତୁ ହୋଇ ଜଳୁ ଥିବାବେଳେ ଘର କବାଟ ବାହାର ପଟୁ ବନ୍ଦ କରି ଫେରାର ହୋଇ ଯାଇଥିଲେ ସେ। ୪ ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଧୀନ ଲକ୍ଷ୍ମୀବିହାର କେନାଲରୋଡ୍‌ ଅଞ୍ଚଳରେ ଘଟିଥିବା ସୁଦର୍ଶନ ନାଗ ହତ୍ୟା ଘଟଣାରେ ପୁଲିସ ପତ୍ନୀ କିଶୋରୀ ନାଗଙ୍କୁ ଗିରଫ କରିବା ପରେ ପୁଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି ଦେଇଛନ୍ତି। ଅଭିଯୁକ୍ତା କିଶୋରୀଙ୍କ ବାପଘର ବଲାଙ୍ଗୀର ସଦର ଥାନା ଅଧୀନ ସଦେଇପାଲିରେ। ଆଜି ତାଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପରେ ତାଙ୍କୁ ଜେଲ ହାଜତକୁ ପଠାଯାଇଛି। ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଭରତ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅଧୀନ ଲକ୍ଷ୍ମୀବିହାର କେନାଲ ରୋଡ୍‌ ପ୍ଲଟ ନମ୍ବର ୮୯ରେ ସୁଦର୍ଶନ ଭଡ଼ାରେ ରହୁଥିଲେ। ଗତ ୨୮ ତାରିଖ ରାତି ପ୍ରାୟ ସାଢ଼େ ୨ଟା ସମୟରେ ହଠାତ ସୁଦର୍ଶନଙ୍କ ଘର ଭିତରେ ନିଆଁ ଜଳୁଥିଲା। କିନ୍ତୁ ଘରର କବାଟ ବାହର ପଟୁ ବନ୍ଦ ଥିଲା। ସ୍ଥାନୀୟ ଲୋକ ଏନେଇ ପୁଲିସ କଣ୍ଟ୍ରୋଲ ରୁମ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଅର୍ଧଦଗ୍ଧ ଅବସ୍ଥାରେ ସୁଦର୍ଶନଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ୍‌ ପଠାଇଥିଲା। ସେଠାରେ କିଛି ସମୟ ଚିସକିତ୍ସା ପରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିଲା।

୩ ଯୁବତୀଙ୍କ ସହ ସଂପର୍କ ରଖିଥିଲେ ସୁଦର୍ଶନ!

ପାଖାପାଖି ୯ବର୍ଷ ତଳେ ସେ ସୁଦର୍ଶନଙ୍କୁ ବିବାହ କରିଥିଲେ କିଶୋରୀ। ପରିବାରରେ ଆର୍ଥିକ ସମସ୍ୟା ଦେଖାଦେବାରୁ ରୋଜଗାର ପାଇଁ ୨୦୧୬ ମସିହାରେ ଝିଅ (୮), ପୁଅ (୫) ଓ ସ୍ୱାମୀ ସୁଦର୍ଶନଙ୍କ ସହ ଭୁବନେଶ୍ୱର ଚାଲିଆସିଥିଲେ। ଲକ୍ଷ୍ମୀସାଗର ଶବରସାହି ଅଞ୍ଚଳରେ ରହି କିଶୋରୀ ସିଲାଇକାମ କରିଥିଲେ। ଆଉ ସୁଦର୍ଶନ ଏକ ହୋଟେଲ୍‌ରେ କାମ କରିଥିଲେ। ଏମିତି ସୁରୁଖୁରୁରେ ପରିବାର ଚାଲିଥିଲା। କିଛିଦିନ ପରେ ସୁଦର୍ଶନଙ୍କ ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା କିଶୋରୀ ଜାଣିବାକୁ ପାଇଥିଲେ। ଯାହାକୁ ନେଇ କିଶୋରୀଙ୍କର ସୁଦର୍ଶନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ମନାନ୍ତରର କିଛିଦିନ ପରେ ପୁଣି ଉଭୟ ଭଲରେ ଚଳୁଥିଲେ। ହେଲେ କିଛିଦିନ ପରେ ସୁଦର୍ଶନଙ୍କ ପୁଣି ଜଣେ ଯୁବତୀଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ଜଣେ ନୁହଁ ଏମିତି ୩ଜଣ ଯୁବତୀଙ୍କ ସହ ସୁଦର୍ଶନଙ୍କ ସମ୍ପର୍କ ଥିଲା। ସୁଦର୍ଶନଙ୍କ ଏଭଳି ଅନୈତିକ ସମ୍ପର୍କକୁ କିଶୋରୀ ସହ୍ୟକରି ପାରିନଥିଲେ। ଯାହାକୁ ନେଇ ସୁଦର୍ଶନ ଓ କିଶୋରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗିରହିଥିଲା। ସୁଦର୍ଶନ ନିଶାସକ୍ତ ଅବସ୍ତାରେ ଆସି କିଶୋରୀଙ୍କୁ ଉଭୟ ଶାରୀରୀକ ଓ ମାନସିକ ନିର୍ଯାତନା ଦେଉଥିଲା। ଏମିତିକି ସୁଦର୍ଶନ କିଶୋରୀଙ୍କୁ ନିସ୍ତୁକ ମାଡ଼ମାରୁଥିଲା। ସୁଦର୍ଶନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ କିଶୋରୀ ପାନେ ଦେବାକୁ ସ୍ଥିର କିଥିଲେ। ଆଉ ଶନିବାର ରାତି ସୁଦର୍ଶନଙ୍କ ପାଇଁ ପାଲଟି ଥିଲା କାଳ ରାତି। ଯୋଜନା ମୁତାବକ ଶନିବାର ସକାଳେ ସୁଦର୍ଶନ କାମକୁ ଯିବା ପରେ କିଶୋରୀ ପେଟ୍ରୋଲ୍‌ ପମ୍ପକୁ ଯାଇଥିଲେ। ସେଠାରୁ ଏକ ବୋତଲରେ ପେଟ୍ରୋଲ ଆଣି ଘରେ ଲୁଚାଇ ରଖିଥିଲେ। ରାତିରେ ସମସ୍ତେ ଖାଇ ଶେଇ ଥାଆନ୍ତି। ହେଲେ କିଶୋରୀଙ୍କୁ ନିଦ ହେଉ ନଥାଏ। ପ୍ରତିଶୋଧ ନିଆଁରେ ଜଳୁଥାଆନ୍ତି। ପାଖାପାଖି ରାତି ସାଢ଼େ ୨ଟା ସମୟରେ ସୁଦର୍ଶନ ନିଘୋଡ଼ ନିଦରେ ଶୋଇଥାଆନ୍ତି। ଯେମିତି ସୁଦର୍ଶନ କିଛି ଜାଣିନପାରିବେ। ପେଟ୍ରୋଲ୍‌କୁ ଗଦି ଚାରିପଟେ ଢ଼ାଳିଚାଲିଥିଲେ। ଏହାପରେ ସେ ପିଲାମାନଙ୍କୁ ପ୍ରଥମେ ବାହାରକୁ ନେଇଯାଇଥିଲେ। ପିଲାମାନଙ୍କୁ ବାହାରେ ଛାଡ଼ିଆସିବା ପରେ କିଶୋରୀ ଗଦିରେ ନିଆଁ ଲଗାଇ ବାହାର ପଟୁ କବାଟ ବନ୍ଦ କରିଦେଇ ଥିଲେ। ଯେମିତି ସୁଦର୍ଶନ ବାହାରକୁ ବାହରି ନ ପାରିବେ। ଏହାପରେ ପିଲାଙ୍କୁ ଧରି ଷ୍ଟେସନ୍‌ ପଳାଇଥିଲେ।

ପୁଲିସକୁ ସୁରାକ ମିଳିଲା ଏମିତି

ଅଗ୍ନିକାଣ୍ଡବେଳେ ଘରର ବାହାର ପଟୁ କବାଟ ବନ୍ଦ ଥିବା ଏବଂ ସୁଦର୍ଶନଙ୍କ ପତ୍ନୀ ଘରେ ନ ଥିବା କାରଣରୁ ପୁଲିସ ମନରେ ପ୍ରଥମରୁ ସନ୍ଦେହ ହୋଇଥିଲା। ଅଗ୍ନିକାଣ୍ଡ କିପରି ଘଟିଲା? କେହି ଜାଣିଶୁଣି ନିଆଁ ଲଗାଇ ଦେଇ ନାହିଁ ତ? ଏସବୁ ପ୍ରଶ୍ନ ପୁଲିସ ମନରେ ଉଙ୍କି ମାରିଥିଲା। ତେଣୁ ପୁଲିସ ସୁଦର୍ଶନଙ୍କ ପତ୍ନୀ ବିଷୟରେ ଖାଳତାଡ଼ ଆରମ୍ଭ କରିଥିଲା। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଏହାପରେ ପୁଲିସ ସୁଦର୍ଶନଙ୍କ ପତ୍ନୀ କିଶୋରୀଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରିବା ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା କି କିଶୋରୀ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଲକ୍ଷ୍ମୀବିହାର ଅଞ୍ଚଳରେ ଥିଲେ। ଘଟଣା ପରେ ସେ ଚାଲି ଚାଲି ଷ୍ଟେସନ୍‌ ଯାଇଥିଲେ। ପରେ ସେଠାରେ ବଲାଙ୍ଗୀର ନିଜ ବାପ ଘରକୁ ଚାଲି ଯାଇଥିଲେ। ପୁଲିସର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି କିଶୋରୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର