ବିଜେଡି କାର୍ଯ୍ୟାଳୟରେ ମୁହାଁମୁହିଁ, ଅନନ୍ତ-ଅମରେଶ କଥା କଟାକଟି

ହୋଇପାରିଲାନି ବିଜୁ ଜୟନ୍ତୀ ପ୍ରସ୍ତୁତି ବୈଠକ, ଜିଲ୍ଲା ସଭାପତି, ମେୟର ପଦବିକୁ ନେଇ କୁହୁଳୁଛି ଅସନ୍ତୋଷ

ଭୁବନେଶ୍ବର: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ଏକ ଅଭାବନୀୟ ଘଟଣା ଘଟିଛି। ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି ଅମରେଶ ଜେନା ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏପରି କଥା କଟାକଟି ହୋଇଥିଲା ଯେ ବୈଠକ ହୋଇପାରି ନ ଥିଲା। ଏହି ଘଟଣା ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଦେଇଛି। ଜିଲ୍ଲା ସଭାପତି ଓ ମେୟର ପଦବିକୁ ନେଇ ଭୁବନେଶ୍ବର ବିଜେଡିରେ କିଛି ଦିନ ହେଲା ଚାଲିଥିବା ଗୋଷ୍ଠୀକନ୍ଦଳର ଏହା ପରିଣତି ବୋଲି କୁହାଯାଉଛି।

ଦୁଇ ଦିନ ତଳେ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ତଥା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିଜୁ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଡାକିଥିଲେ। କେବଳ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ସକ୍ରିୟ କର୍ମୀମାନଙ୍କୁ ଏଠାକୁ ଡକାଯାଇଥିଲା। ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଡକାଯାଇ ନଥିଲା। ଏହାକୁ ନେଇ କ୍ଷୁବ୍ଧ ଥିବା ଅମରେଶ ତାଙ୍କ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅମରେଶଙ୍କୁ କାହିଁକି ଡକାଯାଇ ନ ଥିଲା ବୋଲି ତାଙ୍କ ସମର୍ଥକମାନେ ‌େହାହଲ୍ଲା କରିଥିଲେ। ଅମରେଶଙ୍କୁ ବୈଠକକୁ ଆସିବା ପାଇଁ ଖବର ଦିଆଯାଇଥିଲା ବୋଲି ଅନନ୍ତ କହିଥିଲେ। ‘ମୋତେ କେହି ବୈଠକ ସମ୍ପର୍କରେ କହି ନାହାନ୍ତି। ନିଜେ କଲ୍‌ କରି ନ ଡାକି ଅନ୍ୟ ହାତରେ ଡକାଇଲେ କାହିଁକି’ ‌େବାଲି ଅମରେଶ ପ୍ରଶ୍ନ କରିଥିଲେ। ଏହା ପରେ ଉଭୟ ମୁହାଁମୁହିଁ ହୋଇଥିଲେ। ‘ଏଠି ନାଲି ଆଖି ଦେଖାନା…ଗୁଣ୍ଡାଗିରି ଚଳିବନି’ ବୋଲି ଅନନ୍ତ ତାଙ୍କୁ ସତର୍କ କରାଇଥିଲେ। ଅମରେଶ ବି ଛାଡ଼ି ନ ଥିଲେ। ପାଲଟା ଜବାବ ଦେଇ ‘ଆପଣଙ୍କ ଇଚ୍ଛାରେ ଏଠି ସଂଗଠନ ଚାଲିବନି। ଆପଣ କାହାକୁ ଡରାଇ ରଖିପାରିବେନି’ ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଜୋର୍‌ଦାର ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ବିଗୁଡ଼ିଥିବା ଦେଖି କିଛି କର୍ମୀ ହସ୍ତକ୍ଷେପ କରିଥିଲେ। ତା’ ପରେ ଉଭୟ ଗୋଷ୍ଠୀ ସେଠାରୁ ଚାଲି ଯାଇଥିଲେ। ଫଳରେ ବୈଠକ ହୋଇପାରି ନ ଥିଲା। ଗତକାଲି ଏହି ଖବର ବାହାରକୁ ଆସିଲା ପରେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ଦିନ ଧରି ଅନନ୍ତ-ଅମରେଶଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏହା ପରିଣତି ବୋଲି କୁହାଯାଉଛି। ଏହା ପରେ ଗତକାଲି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବାସଭବନରେ ଭୁବନେଶ୍ବର ଜିଲ୍ଲା ବିଜେଡିର ବିଜୁ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକରେ ଅମରେଶ ଯୋଗ ଦେଇଥିଲେ ବି ତାଙ୍କୁ କଣଠେସା କରିଦିଆଯାଇଥିଲା।

ଅନନ୍ତ ନାରାୟଣ ଜେନା ଦ୍ବିତୀୟଥର ମେୟର ହେଲା ସମୟରେ ସେହି ପଦବି ପାଇଁ ଅନ୍ୟତମ ପ୍ରମୁଖ ଦାବିଦାର ଥିଲେ ଅମରେଶ ଜେନା। ତେବେ ଦଳର ନେତୃତ୍ବ ଅନନ୍ତଙ୍କ ଉପରେ ଭରସା ସ୍ଥାପନ କରିଥିଲେ। ସେହି ସମୟରୁ ଉଭୟଙ୍କ ମଧ୍ୟରେ ପରୋକ୍ଷ ଭାବେ ତୁ ତୁ ମେ ମେ ଜାରି ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଅନନ୍ତ ଶେଷ ମୂହୂର୍ତ୍ତରେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଧାନସଭା ଟିକେଟ୍‌ ନେବାରେ ସକ୍ଷମ ହେଲେ। ସେତେବେଳେ ଅମରେଶଙ୍କୁ ସନ୍ତୁଷ୍ଟ କରିବାକୁ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହାର ବ‌ର୍ଷେ ନ ପୂରୁଣୁ ଅମରେଶଙ୍କୁ ହଟାଇ ଦିଆଯାଇ ଅନନ୍ତଙ୍କୁ ଜିଲ୍ଲା ସଭାପତି କରାଗଲା। ଏହାକୁ ଅମରେଶଙ୍କ ସମର୍ଥକମାନେ ସହଜରେ ହଜମ କରିପାରି ନାହାନ୍ତି। ଅପରପକ୍ଷରେ ଭୁବନେଶ୍ବରରେ ପରବର୍ତ୍ତୀ ମେୟର କିଏ ହେବ, ସେ ନେଇ ବିଜେଡିରେ ଜୋର୍‌ଦାର୍‌ ଲବି ଆରମ୍ଭ ହୋଇଯାଇଛି। ଏଥିରେ ଅମରେଶ ଜେନା ବି ଦାବିଦାର ଅଛନ୍ତି। ତାଙ୍କ ସହ ପୂର୍ବତନ କର୍ପେ‌ାରେଟର୍‌ ବିରଞ୍ଚି ନାରାୟଣ ମହାସୂପକାରଙ୍କ ନାମ ଚର୍ଚ୍ଚାକୁ ଆସିଛି। ଉଭୟ ବିଭିନ୍ନ ସମୟରେ ସହରରେ ହୋର୍ଡିଂ ଲଗାଇ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛନ୍ତି। ବିରଞ୍ଚିଙ୍କ ପ୍ରତି ଅନନ୍ତଙ୍କ ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି। ଅନନ୍ତଙ୍କ ପାଖରେ ବିରଞ୍ଚି ସବୁବେଳେ ଛାଇ ହୋଇ ରହୁଛନ୍ତି। ଏହା ମଧ୍ୟ ଅନନ୍ତ ଓ ଅମରେଶଙ୍କ ଭିତରେ ବିବାଦର ଆଉ ଏକ କାରଣ ବୋଲି କୁହାଯାଉଛି। ଯଦିଓ ବିଏମ୍‌ସି ନିର୍ବାଚନ କେବେ ହେବ, ତାହା ସ୍ପଷ୍ଟ ହୋଇ ନାହିଁ, ତେବେ ଏହାକୁ ନେଇ ବିଜେଡି ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର