ଫେସବୁକ୍‌ କ୍ଲୋନିଂ କରି ଟଙ୍କା ମାଗିବା ଘଟଣା: ଅନ୍ୟ ରାଜ୍ୟର ପୁଲିସ ଧରୁଛି, ଆମ ପୁଲିସ ବିଫଳ କାହିଁକି?

ଅପାରଗ ନା ଦୁର୍ବଳ ଭିତ୍ତିଭୂମି?

ଭୁବନେଶ୍ବର : ସାମାଜିକ ଗଣମାଧ୍ୟମ ଫେସବୁକ୍‌ରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କ ଆକାଉଣ୍ଟ୍ କ୍ଲୋନିଂ କରି ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଠକ। ଆଉ ଏହି ଠକେଇ ପଦ୍ଧତି ଉଭୟ ହ୍ୟାକର୍ ଓ ଲୋକଙ୍କ ପାଇଁ ନୂଆ ହୋଇନଥିଲେ ହେଁ ଫେସବୁକ୍ ଆକାଉଣ୍ଟ୍ କ୍ଲୋନିଂ କରି ଠକିବା ଏବେ ନିତିଦିନିଆ ଘଟଣା ପାଲଟିଛି। ଓଡ଼ିଶା ଭଳି ଭାରତର ପ୍ରାୟ ସମସ୍ତ ରାଜ୍ୟରେ ସାଇବର ଠକମାନେ ଏହି ଅସ୍ତ୍ର ଦ୍ବାରା ଆକାଉଣ୍ଟ୍ ହ୍ୟାକ୍ କରି ଲୋକଙ୍କଠାରୁ ଟଙ୍କା ଲୁଟ୍‌ କରିବାରେ ସକ୍ଷମ ହେଉଛନ୍ତି। ତେବେ ଅନ୍ୟ ରାଜ୍ୟରେ ଏଭଳି ସାଇବର ଠକଙ୍କୁ ପୁଲିସ ଧରି ଆଇନର କାଠଗଡ଼ାରେ ଛିଡ଼ା କରୁଥିବାବେଳେ ଓଡ଼ିଶାରେ ଏଭଳି ମାମଲାରେ ପୁଲିସ ବିଫଳ ହେଉଛି।

ଓଡ଼ିଶାରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ, ବିଭିନ୍ନ ସଂସ୍ଥାର ବରିଷ୍ଠ ତଥା ପ୍ରତିଷ୍ଠିତ ପଦାଧିକାରୀଙ୍କ ଆକାଉଣ୍ଟ୍‌ କ୍ଲୋନିଂ କରି ଠକାମି ହୋଇଥିବା ନଜିର ରହିଛି। ଯେଉଁଥିରେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପୂର୍ବତନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଆଇଏଏସ୍‌ ପ୍ରଭାକର ପାଟିଲ, ଆଇପିଏସ୍ ପ୍ରଣବିନ୍ଦୁ ଆଚାର୍ଯ୍ୟ, ଓଆର୍‌ଏସ୍ ବୀରେନ୍ଦ୍ର ତ୍ରିପାଠୀଙ୍କ ଭଳି ବରିଷ୍ଠ ନେତା, ମନ୍ତ୍ରୀ, ପୁଲିସଙ୍କୁ ଟାର୍ଗେଟ୍ କରାଯାଇଛି। ଆଉ ସମସ୍ତେ ଉପାୟଶୂନ୍ୟ ହୋଇ ତାଙ୍କ ଫେସବୁକ୍ ଆକାଉଣ୍ଟ୍ ନକଲ ହୋଇ ଟଙ୍କା ମଗାଯାଉଥିବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ହେଲେ ଆକାଉଣ୍ଟ୍ କ୍ଲୋନିଂ କରୁଥିବା ସାଇବର ଠକଙ୍କୁ ଗିରଫ କରିବାରେ ସମର୍ଥ ହୋଇନାହିଁ ଓଡ଼ିଶା ପୁଲିସ। କେବଳ ସୁନ୍ଦରଗଡ଼ ପୁଲିସ ଗତବର୍ଷ ଅଗଷ୍ଟ ୯ରେ ଅମନ କୁମାର ଶର୍ମା ନାମକ ଜଣେ ଠକକୁ ଗିରଫ କରିଥିଲା। ଅଭିଯୋଗ ଥିଲା ବିଧାୟିକା କୁସୁମ ଟେଟେଙ୍କ ସ୍ବାମୀ ଅଜୟ ପଟେଲ ଓ ବିଜେପିର ନେତା ଟଙ୍କଧର ତ୍ରିପାଠୀଙ୍କ ନକଲି ଆକାଉଣ୍ଟ୍‌ ଖୋଲି ଅମନ ଲୋକଙ୍କଠାରୁ ଟଙ୍କା ଠକିଥିଲା। ଏହି ଗୋଟିଏ ମାମଲାକୁ ବାଦ୍ ଦେଲେ ରାଜ୍ୟ ପୁଲିସର ସାଇବର ଠକଙ୍କୁ ଗିରଫ କରିବାରେ ପୂରା ଫେଲ୍ ମାରିଛି ବୋଲି କହିଲେ ଭୁଲ ହେବନାହିଁ।

ଅପରପକ୍ଷରେ ଅନ୍ୟ ରାଜ୍ୟର ପୁଲିସ ବରିଷ୍ଠ ପଦାଧିକାରୀଙ୍କ ଫେସବୁକ୍ କ୍ଲୋନିଂ କରୁଥିବା ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି। କେତେବେଳେ ରାଜ୍ୟ ବାହାରକୁ ଯାଇ ଏହି ଅଦୃଶ୍ୟ ଠକଙ୍କୁ ଉଠେଇ ଆଣୁଛି ତ’ ଆଉ କେତେବେଳେ ଆମ ରାଜ୍ୟକୁ ଆସି ସାଇବର ଠକଙ୍କୁ ଗିରଫ କରୁଛି। ସେହି ତୁଳନାରେ ଓଡ଼ିଶା ପୁଲିସ ପାଖରେ ମାଳ ମାଳ ଫେସବୁକ୍ ଆକାଉଣ୍ଟ୍ କ୍ଲୋନିଂ ଓ ଠକେଇ ହେଉଥିବା ଅଭିଯୋଗ ଆସୁଥିଲେ ହେଁ ମାତ୍ର ଜଣଙ୍କୁ ହିଁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ। ଏପରିକି ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପତ୍ନୀ ଦୁର୍ଘଟଣାଗ୍ରସ୍ତ ଥିବା କହି ୫୦ହଜାର ଟଙ୍କା ଠକିବାକୁ ଚେଷ୍ଟା କରୁଥିବା ଠକ ପାଖରେ ମଧ୍ୟ ପହଞ୍ଚିପାରିନାହିଁ ରାଜ୍ୟ ପୁଲିସ। ତେବେ ଏ ସଂପର୍କ ଏଡିଜି ଯଶବନ୍ତ ଜେଠାଵାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଫେସବୁକ୍ କ୍ଲୋନିଂ କରୁଥିବା ହ୍ୟାକର୍‌ଙ୍କୁ ଗିରଫ କରିଥିବା ଅନ୍ୟ ରାଜ୍ୟର ପୁଲିସ
୧୮ ଅଗଷ୍ଟ: ମହାରାଷ୍ଟ୍ରର ପୁଲିସ ଡିଜି ସଂଜୟ ପାଣ୍ଡେଙ୍କ ନକଲି ଫେସବୁକ ଆକାଉଣ୍ଟ ଖୋଲିବା ମାମଲାରେ ମହାରାଷ୍ଟ୍ର ନୋଡାଲ ସାଇବର ପୁଲିସ ଆଗ୍ରାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
୩ ଅଗଷ୍ଟ: ଉତ୍ତରପ୍ରଦେଶର ମହମ୍ମଦ ସାକିର ନାମକ ଜଣେ ଯୁବକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଵନ୍ତଙ୍କ ବ୍ୟତୀତ ଗୋଆର ଅନେକ ରାଜନୈତକ ବ୍ୟକ୍ତିଙ୍କ ଆକାଉଣ୍ଟ୍ ନକଲି କରି ଲକ୍ଷାଧିକ ଟଙ୍କା ଲୁଟିଥିଲା। ଅଭିଯୋଗ ହେବା ପରେ ଗୋଆ କ୍ରାଇମବ୍ରାଞ୍ଚ ଅଗଷ୍ଟ ୩ରେ ତାକୁ ଉତ୍ତରପ୍ରଦେଶରୁ ଗିରଫ କରିଥିଲା।
୨୩ ଜୁଲାଇ: କେରଳର ଏଡିଜିପି ବିଜୟ ସଖାରେଙ୍କ ନାଁରେ ଫେସବୁକ୍ ଆକାଉଣ୍ଟ ନକଲି ହେବା ଅଭିଯୋଗରେ ମଥୁରାରୁ ଦୁଇଜଣ ହ୍ୟାକରଙ୍କୁ ଗିରଫ କରିଥିଲା ସାଇବର ପୁଲିସ।
୨୩ ମେ’: ଝାଡ଼ଖଣ୍ଡ ପୁଲିସ ଡିଜି ନୀରଜ ଶାହାଙ୍କ ଫେସବୁକ୍ ଆକାଉଣ୍ଟ୍ କ୍ଲୋନିଂ କରି ଲୋକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିଲା।
୧୦ ମାର୍ଚ୍ଚ: କର୍ଣ୍ଣାଟକର ପୂର୍ବତନ ଡିଜି ଓ ଆଇଜି ଶଙ୍କର ବିଦାରିଙ୍କ ଫେସବୁକ୍ ଆକାଉଣ୍ଟ୍ କ୍ଲୋନିଂ ଘଟଣାରେ ବାଙ୍ଗାଲୋର ପୁଲିସ ୩ଜଣ ସାଇବର ଠକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର