ଭୁବନେଶ୍ୱର: ଖଣ୍ଡେ ହାପ୍‌ ପ୍ୟାଣ୍ଟ୍‌ ପିନ୍ଧି ସେ ଚାଲି ଆସିଥିଲା ସୁଦୂର ଟାଟାରୁ ଭୁବନେଶ୍ୱର। ସମ୍ବଳ କହିଲେ, ସେଇ ଚିରା ହାପ୍‌ ପ୍ୟାଣ୍ଟ୍‌ ଆଉ ପାଗଳ ମସ୍ତିଷ୍କ। ଖୋଲା ଦେହରେ ବର୍ଷାରେ ଭିଜୁଥିଲା। ଦାଣ୍ଡଘାଟରେ ପଡ଼ୁଥିବା ଅଇଁଠାରେ ପେଟର ଭୋକ ମେଣ୍ଟାଉଥିଲା। ମାତ୍ର କିଛି ସହୃଦୟ ଯୁବକଙ୍କ ମାନବିକତା ଏବଂ ସୋସିଆଲ୍‌ ମିଡିଆର ଉପଯୋଗିତା ତାକୁ ଫେରେଇଦେଇଛି ଏକ ନୂଆ ଜୀବନ। ଦୀର୍ଘ ୮ ମାସ ପରେ ନିଜ ପରିବାର କୋଳକୁ ଫେରିଛି ୨୧ବର୍ଷର ଭେଣ୍ଡିଆ ଆଜିବୁଲ୍‌ ଅନ୍‌ସାରି।
ଆଜିବୁଲର ଘର ଝାଡ଼ଖଣ୍ଡ ବୋକାରା ସ୍ଥିତ ସରମ ପୂର୍‌ବୀରେ। ଆଜିବୁଲ୍‌ ପିଲାବେଳୁ ଆଡ଼ପାଗଳ ସ୍ୱଭାବର ଥିଲା। ଟାଟାରେ କାମ ମଧ୍ୟ କରୁଥିଲା। ହେଲେ ମୁଣ୍ଡ ଖରାପ ହୋଇଯିବା ପରେ ଗତବର୍ଷ ମେ’ ମାସରେ ସେ ସିଧା ଟାଟାରୁ ଚାଲି ଆସିଥିଲା ଭୁବନେଶ୍ୱର। ଯେବେ ଆଜିବୁଲ୍‌ ବରମୁଣ୍ଡା ରୁଚିକା ମାର୍କେଟ୍‌କୁ ଆସିଲା ତା’ର ଏ ଦୟନୀୟ ପାଗଳାମି ଦେଖି କିଛି ଯୁବକଙ୍କ ମନ ସମ୍ଭାଳିଲାନି। ଶ୍ରୀଧର ବଳିୟାରସିଂ, ଭଗବାନ ସାହୁ, କୁମାର ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ଆଲୋକ କୁମାର ଦାସ ପ୍ରମୁଖ ଆଜିବୁଲ୍‌କୁ ବଞ୍ଚିବାର ରାହା ଦେଖାଇଲେ। ନିୟମିତ ଖାଦ୍ୟ ସହ ପିନ୍ଧିବାକୁ ପୋଷାକ ଦେଲେ। ଦେହ ଖରାପ ହେଲେ ଔଷଧ ଦେଉଥିଲେ। ଭାଇଟିଏ ଭଳି ପାଖରେ ସାହାରା ଦେଲେ। ଅଜସ୍ର ସ୍ନେହ ଓ ବନ୍ଧୁତ୍ୱପୂର୍ଣ୍ଣ ଏଇ ଆଚରଣ ଯୋଗୁଁ ଆଜିବୁଲ୍‌ ପାଗଳାମିରୁ ମୁକ୍ତ ହେବାକୁ ଲାଗିଲା। ଧୀରେଧୀରେ ସେ ପାଲଟି ଯାଇଥିଲା ମାର୍କେଟ୍‌ ଅଞ୍ଚଳର ଏକ ପରିଚିତ ମଣିଷ। ଇଚ୍ଛା ହେଲେ ବୋଲହାକ କରୁଥିଲା ଇଚ୍ଛା ନହେଲେ ନାହିଁ। ପାଗଳାମି କମିବା ପରେ ତା’ର ଠିକଣା ଖୋଜିଥିଲେ ସଂପୃକ୍ତ ଯୁବକମାନେ। ଶେଷରେ ଫେସ୍‌ବୁକ୍‌ରେ ଆଜିବୁଲ୍‌ର ଠିକଣା ମିଳିଥିଲା। ତାଙ୍କ ଭାଇ ମହମ୍ମଦ ଇନ୍‌ସାନ୍‌ ଅନ୍‌୍‌ସାରିଙ୍କୁ ଏନେଇ ଖବର ଦିଆଯାଇଥିଲା। ଏହା ଶୁଣି ତୁରନ୍ତ ଝାଡ଼ଖଣ୍ଡରୁ ଧାଇଁ ଆସିଥିବା ତାଙ୍କର ଭାଇ ଓ ଦାଦା ଆଜିବୁଲ୍‌କୁ ଦେଖି ଆଜି ଖୁସିରେ ଆତ୍ମହରା ହୋଇ ଉଠିଥିଲେ। ସେପଟେ ବାପା ମା’ ଓ ସାହି ପଡ଼ିଶା ଆଜିବୁଲ୍‌ର ଖବର ପାଇବା ପରେ ଦେଖିବା ପାଇଁ ବ୍ୟାକୁଳ ହୋଇ ଚାହିଁ ରହିଛନ୍ତି। ବାରମ୍ବାର ଫୋନ୍‌ କରୁଛନ୍ତି। ସୋସିଆଲ୍‌ ମିଡ଼ିଆକୁ ନେଇ ଅନେକ ଦୁର୍ନାମ ସାମ୍ନାକୁ ଆସୁଥିବା ବେଳେ ଆଜିବୁଲ୍‌ କ୍ଷେତ୍ରରେ ସୋସିଆଲ୍‌ ମିଡିଆ ହୋଇଛି ମିଳନର ମାଧ୍ୟମ।

Advertisment

ଆଜିବୁଲ୍‌ ପରିବାର ପାଇଁ ସ୍ୱର୍ଗୀୟ ଆନନ୍ଦର ସୂତ୍ରଧର ସାଜିଥିବା ସଂପୃକ୍ତ ଯୁବକମାନଙ୍କ ମାନବିକତାର ଆହ୍ଵାନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚାରେ ବିଷୟ ହୋଇଛି। ଭାଇ ଇନ୍‌ସାନ୍‌ ଅନ୍‌ସାରିଙ୍କ କହିବା ମୁତାବକ, ସେ ନିଜ ଭାଇକୁ ଖୋଜିବାକୁ ସାରା ଝାଡ଼ଖଣ୍ଡ ଓ ଟାଟା ଘୂରି ବୁଲିଛନ୍ତି। ଭାଇକୁ ପାଇ ଯେତିକି ଖୁସି ଲାଗୁଛି ତା’ଠୁ ଅଧିକ ଖୁସି ଲାଗୁଛି ଏବେ ବି ଏ ଦୁନିଆରେ ପରକୁ ଆପଣାର କରିପାରୁଥିବା ଏମିତି ସହୃଦୟ ମଣିଷମାନେ ଅଛନ୍ତି। ମୋ ଭାଇକୁ ସେମାନେ ଫେରେଇ ଦେଇ ନାହାନ୍ତି ଯେ, ମତେ ସାରା ଜୀବନ ଋଣୀ କରି ଦେଇଛନ୍ତି। ବୋଧେ ସେଇଥିପାଇଁ ଆଜିବୁଲ ଘରକୁ ଫେରିବା ବେଳେ ତା’ ଆଖିରେ ଲୁହ ଜକେଇ ଆସିଥିଲା...।