ହ୍ୟାକ୍‌ ହେଉଛି ଫେସ୍‌ବୁକ୍‌ ଆକାଉଣ୍ଟ, ଟାର୍ଗେଟ୍‌ରେ ପୁଲିସ ଅଫିସର, ସାମ୍ବାଦିକ, ସରକାରୀ ଚାକିରିଆ

ଭୁବନେଶ୍ବର : ସୋସିଆଲ ମିଡିଆ ବ୍ୟବହାର ବଢ଼ିଛି। ଲୋକମାନଙ୍କର ପସନ୍ଦ ହେଉଛି ଫେସ୍‌ବୁକ୍‌। ଏହି ଫେସ୍‌ବୁକ୍‌କୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଆକାଉଣ୍ଟ ହ୍ୟାକ କରି ଲୁଟି ନେଉଛି ଟଙ୍କା। କିଛି କରିପାରୁନି ସାଇବର ଥାନା, ଲୁଟେରାଙ୍କ ଗନ୍ଧ ବି ପାଉନି କ୍ରାଇମ୍‌ବ୍ରାଞ୍ଚ। ସେଥିପାଇଁ ପ୍ରୋତ୍ସାହିତ ହେଉଛନ୍ତି ଠକ। ସମସ୍ତ ଡାଟା ଚୋରି କରି ଅପବ୍ୟବହାର କରୁଛି। ତାଲାବନ୍ଦ ଯୋଗୁଁ ଟଙ୍କା ଆବଶ୍ୟକତା ଥିବା ଦର୍ଶାଇ ବନ୍ଧୁମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛି। ଆକାଉଣ୍ଟ ବ୍ୟବହାରକାରୀ ଜାଣିଲା ବେଳକୁ ନେଡ଼ି ଗୁଡ଼ କହୁଣିରେ। ଭୁବନେଶ୍ବରର ୨ ଜଣ ବରିଷ୍ଠ ପୁଲିସ ଅଧିକାରୀ, ସାମ୍ବାଦିକ ଓ ସରକାରୀ କର୍ମଚାରୀ ହ୍ୟାକରଙ୍କ ଜାଲରେ ପଡ଼ିବା ପରେ ଏହି ଘଟଣା ପଦାକୁ ଆସିଛି। ଠକାମୀର ଶିକାର ହୋଇ ସେମାନେ ସାଇବର ପୁଲିସର ସହଯୋଗ ଲୋଡିଛନ୍ତି।

କେବଳ ଏହି ଘଟଣା ନୁହେଁ, ବରଂ ପୂର୍ବରୁ ଅନ୍‌ଲାଇନ୍‌ରେ ଠକେଇର ଅନେକ ପ୍ରମାଣ ରହିଛି। ସାଇବର ଥାନା ବା କ୍ରାଇମ୍‌ବ୍ରାଞ୍ଚ ଏ ନେଇ କୌଣସି ସଫଳତା ପାଉ ନ ଥିବାରୁ ଠକମାନେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ବାରମ୍ବାର ଏଭଳି ଠକାମୀ କରି ଚାଲିଛନ୍ତି। ଏବେ ତାଲା ବନ୍ଦ ଚାଲିଥିବାରୁ ଅନ୍‌ଲାଇନ୍‌ରେ ମଦ ଯୋଗାଇ ଦେବା ଆଳରେ ଦୋକାନ ନାମରେ ବିଜ୍ଞାପନ ଦେଇ କେବଳ ଭୁବନେଶ୍ବରରୁ ଠକ ୬ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ଠକି ନେଇଛି। ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏବେ ବି ଏହି ଠକାମୀ ଚାଲିଛି।

ତାଲାବନ୍ଦ ସମୟରେ ଏହି ହ୍ୟାକରମାନେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ଘରେ ବସି ବସି ସେମାନେ ବିଭିନ୍ନ ଲୋକଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ଅପବ୍ୟବହାର କରୁଛନ୍ତି। ଏଭଳି ଭାବେ ଗତ ୧୫ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ଫେସବୁକ ହ୍ୟାକ ହୋଇଥିବା ଜଣାପଡିଛି। ଏହି ତାଲିକାରେ କମିସନରେଟ ପୁଲିସର ଦୁଇଜଣ ଏସିପିଙ୍କ ଫେସବୁକ ଆକାଉଣ୍ଟ ବି ରହିଛି। ଏହି ଆକାଉଣ୍ଟକୁ ହ୍ୟାକ୍‌ କରି ଠକ ବନ୍ଧୁମାନଙ୍କୁ ଟଙ୍କା ମାଗୁଛି। ଗୁଗୁଲ ପେ ଓ ‌ପେ’ଟିଏମ୍‌ ଜରିଆରେ ପଠାଇବାକୁ କହୁଛି। ବନ୍ଧୁ ବା ସମ୍ପୃକ୍ତ ପୁଲିସ ଅଧିକାରୀ ଅସୁବିଧାରେ ପଡ଼ିଥିବା ଜାଣି କେତେ ଜଣ ମଧ୍ୟ ତତ୍‌କ୍ଷଣାତ୍‌ ଠକ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି।

ଏଭଳି ଖବର ସେ ଜଣେ ବନ୍ଧୁଙ୍କ ଠାରୁ ପାଇବା ପରେ ସେ ଆଉ ଏକ ଆକାଉଣ୍ଟ ଖୋଲି ମୂଳ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ଅବଗତ କରାଇଛନ୍ତି। ସେହିପରି ବରିଷ୍ଠ କ୍ରୀଡା ସାମ୍ବାଦିକ ସଂଜୀବ ବିଶ୍ୱାଳ, ସାମ୍ବାଦିକ ଯତୀନ୍ଦ୍ର ସେଣ୍ଢ, ଆଲୋକ ବାରିକଙ୍କ ଫେସବୁକ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଛି। ହ୍ୟାକରମାନେ ସେମାନଙ୍କର ବନ୍ଧୁମାନଙ୍କୁ ଟଙ୍କା ମାଗିଥିବା ସେମାନେ କହିଛନ୍ତି। ଖାଲି ଏମାନେ ନୁହନ୍ତି, ବରଂ ରାଜଧାନୀ ସମେତ ରାଜ୍ୟର ପ୍ରାୟ ଶହେରୁ ଅଧିକ ଲୋକଙ୍କ ଫେସ୍‌ବୁକ ହ୍ୟାକ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯାହା ଏବେ ଚିନ୍ତାର କାରଣ ହୋଇଛି।

ଫେସ୍‌ବୁକ ହ୍ୟାକ କରି ଟଙ୍କା ମାଗିବା ଯେତିକି ଚିନ୍ତାଜନକ ନୁହଁ, ଯଦି ଆପତ୍ତିଜନକ ଫଟୋ, ଭିଡ଼ିଓ ଅପ୍‌ଲୋଡ୍‌ କରି କାହାକୁ ବ୍ଲାକ୍‌ମେଲ୍‌ କରାଯାଏ ତେବେ ପରିସ୍ଥିତି ଯେ କିପରି ସାଂଘାତିକ ହେବ ତାହା ଅନୁମାନ କରାଯାଉଛି। ଏ ନେଇ ସମସ୍ତେ ବିଧିବଦ୍ଧ ଭାବରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ତାଲାବନ୍ଦରେ ଫସି ରହିବା ଯୋଗୁଁ କିଛି ବେକାର ଯୁବକ ଏଭଳି ଠକେଇରେ ମାତିଛନ୍ତି। ଘରେ ବସି କିଛି ଟଙ୍କା ଲୁଟିବା ପାଇଁ ଏଭଳି କରୁଛନ୍ତି।

ତେବେ ଫେସ୍‌ବୁକ ଆକାଉଣ୍ଟର ରିୟଲ ଟାଇମ ପାସ୍‌ୱାର୍ଡ ବଦଳାଇ ପ୍ରାଇଭେସି ସେଟିଂରେ ‘ଟ୍ରୁ-ଫ୍ୟାକ୍ଟର ଅଥେଣ୍ଟିକେସନ’ ଅନ କରିବା ସହ ଡିଭାଇସ ରିକଗ୍‌ନାଇଜେସନ ଅନ କଲେ ଏଥିରୁ ବର୍ତ୍ତି ହେବ ବୋଲି ଜଣେ ଆଇଟି ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର