ଝାରପଡ଼ା ଜେଲ କଏଦୀଙ୍କ ପାଇଁ ସୁବିଧା : ପୋଷାକ ସଫା ପାଇଁ ୱାସିଂମେସିନ୍, ଫିଲ୍ମ ପାଇଁ ପ୍ରୋଜେକ୍ଟର୍
ଭୁବନେଶ୍ୱର : ନିଜ ପୋଷାକ ସଫା କରିବା ପାଇଁ ଆଉ କଏଦୀଙ୍କୁ ବେଶି କଷ୍ଟ କରିବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଅତି କମ୍ ସମୟ ମଧ୍ୟରେ ପୋଷାକ ସଫା କରିପାରିବେ। ଏଥିପାଇଁ ଝାରପଡ଼ା ଜେଲ୍କୁ ୪ଟି ଵାସିଂ ମେସିନ୍ ଆସିଛି। ଏହାର କ୍ଷମତା ୨୦ କେଜି ବିଶିଷ୍ଟ ରହିଛି। ଖୁବ୍ଶୀଘ୍ର କଏଦୀମାନେ ଏହି ସୁବିଧା ପାଇପାରିବେ। ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଵାସିଂ ମେସିନ୍ରେ ଗୋଟିଏ ଵାର୍ଡର କଏଦୀ କପଡ଼ା ସଫା କରିବେ। ପ୍ରତିଦିନ ଗୋଟିଏ ଲେଖାଏଁ ଵାର୍ଡର କଏଦୀ ସଫା କରିବାର ବ୍ୟବସ୍ଥା କରାଯାଇଛି। ସେହିପରି କଏଦୀଙ୍କ ମନୋରଂଜନ ପାଇଁ ପ୍ରୋଜେକ୍ଟର୍ର ବ୍ୟବସ୍ଥା କରାଯାଇଛି। ଏହା ସାହାଯ୍ୟରେ ସେମାନେ ଫିଲ୍ମ ଦେଖିବେ। ଯେଉଁ ଫିଲ୍ମରୁ ଶିକ୍ଷା ମିଳି ପାରିବ, ସେହିଭଳି ଫିଲ୍ମ ପ୍ରଦର୍ଶିତ ହେବ। ଐତିହାସିକ, ପୌରାଣିକ, ପରିବେଶ ସୁରକ୍ଷା ଭଳି ଫିଲ୍ମ ଦେଖିପାରିବେ। ଏହାସହ ସାଉଣ୍ଡ ସିଷ୍ଟମ୍ ମଧ୍ୟ ଲାଗିଛି। ସକାଳେ ଓ ସନ୍ଧ୍ୟାରେ କଏଦୀମାନେ ଭଜନ, ଆଧ୍ୟାତ୍ମିକ ଗୀତ ଶୁଣି ପାରିବେ। ଫଳରେ ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ।
Sambad is now on WhatsApp
Join and get latest news updates delivered to you via WhatsApp
ଜେଲ୍ରେ କଏଦୀମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଉଦ୍ବେଗଜନକ ଭାବେ ବଢ଼ୁଥିବାରୁ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆର୍ସି) ପକ୍ଷରୁ ଗାଇଡ୍ଲାଇନ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। କଏଦୀମାନଙ୍କର କେମିତି ମନ ଖୁସି ରହିବ, ସେ ନେଇ ଝାରପଡ଼ା ଜେଲ୍ରେ ଏପରି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।
ଏହାସହ କଏଦୀମାନଙ୍କ ପାଇଁ ଜେଲ୍ରେ ପବ୍ଲିକ ଆଡ୍ରେସ୍ ସିଷ୍ଟମ୍ ଓ ଅତ୍ୟାଧୁନିକ ଆକ୍ବାଗାର୍ଡ ମଧ୍ୟ ଲାଗିଛି। ଏଥିରୁ ଥଣ୍ଡା ଓ ଗରମ ପାଣି ବାହାରି ପାରିବ। ଯେଉଁ ମହିଳା କଏଦୀମାନଙ୍କ ଛୋଟ ଛୁଆ ରହିଛନ୍ତି, ସେମାନେ ଗରମ ପାଣି ବ୍ୟବହାର କରିପାରିବେ। ଅଧିକ ସମୟ ଖାଦ୍ୟକୁ ତାଜା ରଖିବା ପାଇଁ ମହିଳା କଏଦୀଙ୍କୁ ହଟ୍-କେସ୍ ଯୋଗାଇ ଦିଆଯିବ ବୋଲି ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ କହିଛନ୍ତି।
ନିଜ ମାମଲା ଯାଞ୍ଚ କରିପାରିବେ କଏଦୀ
ନିଜ ମାମଲାର ସ୍ଥିତି ଜାଣିବା ଲାଗି ଆଉ କାହାକୁ ଅପେକ୍ଷା କିମ୍ବା କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କଏଦୀଙ୍କ ସୁବିଧା ଲାଗି ଜେଲ୍ ଭିତରେ ଏକ କିଓସ୍କ ମେସିନ୍ ସ୍ଥାପନ କରାଯାଇଛି। ଏହି ମେସିନ୍ ଜରିଆରେ କଏଦୀମାନେ ନିଜ ମାମଲାର ସ୍ଥିତି ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଏହାକୁ ଇ-କୋର୍ଟ ଦ୍ବାରା ସଂଯୋଗ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ କଏଦୀମାନେ ହାଇକୋର୍ଟରେ ଥିବା ମାମଲା ସମ୍ପର୍କରେ ଜାଣି ପାରିବେ। ଏହି ମେସିନ୍ରେ ୨୪ ଘଣ୍ଟିଆ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ମେସିନକୁ ସୁପ୍ରିମକୋର୍ଟ ଏବଂ ସ୍ଥାନୀୟ କୋର୍ଟ ସହ ସଂଯୋଗ କରାଯିବ।
ହଳଦୀ ପ୍ରୋସେସିଂ ୟୁନିଟ୍
ବଜାରରେ ମିଳିବ କଏଦୀଙ୍କ ହାତତିଆରି ସାମଗ୍ରୀ। ଏଥିପାଇଁ ଝାରପଡ଼ା ଜେଲରେ ହଳଦୀ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରାଯାଇଛି। କାମ ଶେଷ ହୋଇଥିବା ବେଳେ ଖୁବ୍ଶୀଘ୍ର ଏହାର ଉଦ୍ଘାଟନ କରାଯିବ। କଏଦୀମାନେ ଏହି ୟୁନିଟ୍ରେ କାମ କରିବେ। ହଳଦୀ ପ୍ୟାକେଜିଂ ପରେ ଜେଲ କ୍ୟାମ୍ପସକୁ ଲାଗି ଏକ ଷ୍ଟଲ୍ ଖୋଲାଯିବ। ଏହି ଷ୍ଟଲରେ ହଳଦୀ ବିକ୍ରି ହେବ। ସେହିପରି ବଜାରକୁ ମଧ୍ୟ ହଳଦୀ ଯିବ। ଆଗାମୀ ଦିନରେ ଘଣା ସୋରିଷ ତେଲ, ଅଟା ତିଆରି ୟୁନିଟ୍ ମଧ୍ୟ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଅଧୀକ୍ଷକ ଶ୍ରୀ ବାରିକ କହିଛନ୍ତି। ଏହାର ଲାଭାର୍ଥ ମଧ୍ୟ କଏଦୀମାନଙ୍କ କଲ୍ୟାଣରେ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।
ପୁଣି ଚାଲିଲା କ୍ୟାଣ୍ଟିନ୍: ମିଳୁଛି ବରା, ସିଙ୍ଗଡ଼ା, ଚା, କଫି
ଲକ୍ଡାଉନ୍ରେ କିଛି ମାସ କ୍ୟାଣ୍ଟିନ ବନ୍ଦ ରହିବା ପରେ ଏବେ ପୁଣି ସ୍ବାଭାବିକ ହୋଇଛି। ପୂରା ଦମ୍ରେ କ୍ୟାଣ୍ଟିନ ଚାଲିଥିବା ବେଳେ କଏଦୀଙ୍କ ପାଇଁ ଭଳିକି ଭଳି ଖାଦ୍ୟ ଉପଲବ୍ଧ ହେଉଛି। ସକାଳ ଓ ସନ୍ଧ୍ୟାରେ ଜଳଖିଆ ମିଳୁଛି। ଜଳଖିଆରେ ଇଟିଲି, ବରା, ଆଳୁଚପ୍, ସିଙ୍ଗଡ଼ା ରହିଛି। ଗୋଟିଏ ପିସ୍ର ଦାମ୍ ୫ ଟଙ୍କା ରହିଛି। ଘୁଗୁନି ବିନା ମୂଲ୍ୟରେ ଦିଆଯାଉଛି। ଚା’ ଓ କଫିର ମଧ୍ୟ ବ୍ୟବସ୍ଥା ରହିଛି। ଏହାର ଦାମ୍ ୫ ଟଙ୍କା ରହିଛି। ଆଗକୁ ଦୋଷା, ଭେଜିଟେବଲ ଚପ୍ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ଣ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ କ୍ୟାଣ୍ଟିନ ଖୋଲା ରହୁଛି। ଜେଲ୍ ବିଭାଗ ପକ୍ଷରୁ କ୍ୟାଣ୍ଟିନ୍ ଚଲା ଯାଉଥିବା ବେଳେ ଏହାର ଲାଭାର୍ଥ କଏଦୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣରେ ବିନିଯୋଗ କରାଯାଉଛି। ଦୁରାରୋଗ୍ୟରେ ପୀଡ଼ିତ ଥିବା କଏଦୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ କରାଯାଉଛି। ପ୍ରାଣ ହରାଉଥିବା କଏଦୀଙ୍କର ପିଲାମାନେ ଭଲ ପାଠ ପଢ଼ୁଥିଲେ, ସେମାନଙ୍କ ଶିକ୍ଷା ପାଇଁ ମଧ୍ୟ ଲାଭାର୍ଥ ଖର୍ଚ୍ଚ ହେଉଥିବା ଅଧୀକ୍ଷକ ଶ୍ରୀ ବାରିକ ସୂଚନା ଦେଇଛନ୍ତି।
ଲାଗିଲା ଅଭିଯୋଗ ବାକ୍ସ
ଜେଲ୍ର ଅବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଁ ବାକ୍ସ ଲଗାଯାଇଛି। କଏଦୀମାନେ ନିଜର ଅଭିଯୋଗ ସମ୍ପର୍କରେ ସିଧାସଳଖ ସେହି ବାକ୍ସରେ ପକାଇ ପାରିବେ। କାରାମଙ୍ଗଳ ଅଧିକାରୀ ବାକ୍ସରୁ ଅଭିଯୋଗଗୁଡ଼ିକୁ ସଂଗ୍ରହ କରି ଏକ ତାଲିକା ପ୍ରସ୍ତୁତ କରିବେ। ଏହାକୁ ଜେଲ୍ ଅଧୀକ୍ଷକଙ୍କୁ ଜଣାଇବେ। ଅଭିଯୋଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯିବ। ଯେଉଁ କଏଦୀମାନେ ଅଭିଯୋଗ କରିଥିବେ, ସେମାନଙ୍କୁ ଡକାଯାଇ ଶୁଣାଣି କରାଯିବ। ଯଦି ଅଭିଯୋଗ ଗୁରୁତର ଥାଏ, ତେବେ ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯିବ ବୋଲି ଜଣାପଡ଼ିଛି। ଜେଲ୍ ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।