ବାଲିଅନ୍ତା: ବାଳକାଟି ଭାର୍ଗବୀ ନଦୀ ବ୍ରିଜ୍ ନିକଟରେ ନିଜ ହାତ କାଟି କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ବାଳକାଟି ଫାଣ୍ଡି ପୁଲିସ ଉଦ୍ଧାର କରିଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଛି। ପ୍ରେମରେ ବିଫଳ ହୋଇ ସେ ଏପରି କରିଥିବା ଚର୍ଚା ହେଉଛି। ତେବେ ଏହା କରିବା ପୂର୍ବରୁ ସେ କାହା ସହିତ ଫୋନ୍ରେ ବଡ଼ ପାଟିରେ କଥା ହେବା ସହିତ ଗାଳିଗୁଲଜ କରିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଆହତ ଯୁବକ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ମଙ୍ଗଳପୁର(କାଜିପାଟଣା)ର ଲକ୍ଷ୍ମୀଧର ସାହୁଙ୍କ ପୁଅ ସୁରେଶ(୨୩)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ସୁରେଶ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ନିକଟରେ ଗାଧୋଉଥିବା କିଛି ବ୍ୟକ୍ତି ପୁଲିସ କଣ୍ଟ୍ରୋଲ ରୁମ୍ ଓ ବାଳକାଟି ଫାଣ୍ଡିକୁ ସୂଚନା ଦେଇଥିଲେ। ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସୁରେଶ ସତସଙ୍ଗ କେନ୍ଦ୍ର ପାର୍ଶ୍ବରେ ଭାର୍ଗବୀ ନଦୀକୂଳରେ ପହଞ୍ଚି ପ୍ରବଳ ମଦ ପିଇଥିଲେ। ନିଶାରେ କାହାକୁ ବଡ଼ପାଟିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ବାମହାତର ପାପୁଲି ତଳଠୁ କହୁଣି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବ୍ଲେଡ୍ କିମ୍ବା କୌଣସି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ସେ ବେହୋସ ହୋଇପଡ଼ିଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଚେତା ଫେରିବାରୁ ସୁରେଶ ବାଉଳିଚାଉଳି ହେବା ସହିତ ‘ତୁମକୁ ନପାଇଲେ ମରିଯିବି’ କହି ଚିତ୍କାର କରିଥିଲେ। ଖବରପାଇ ଭାଇ ମନୋଜ ଓ ତାଙ୍କ ପରିବାର ଲୋକ ପହଞ୍ଚିଥିଲେ। ପୁଲିସ ଜବତ କରିଥିବା ମୋବାଇଲ ଫୋନ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।