ଜଳିଗଲା ୩ ଏକରରୁ ଊର୍ଧ୍ୱ ଜଙ୍ଗଲ

ଚନ୍ଦକା ଅଭୟାରଣ୍ୟରେ ଅଗ୍ନିକାଣ୍ଡ

ବାରଙ୍ଗ: ନନ୍ଦନକାନନ ପଛପଟ ଚନ୍ଦକା ଅଭୟାରଣ୍ୟରେ ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ଏକରରୁ ଊର୍ଧ୍ୱ ଅଞ୍ଚଳରେ ଥିବା ବହୁ ମୂଲ୍ୟବାନ ଗଛ ଜଳି ଯାଇଛି। ତେବେ ସ୍ଥାନୀୟ ଅଞ୍ଚଳର କିଛି ମହିଳାଙ୍କ ପାଇଁ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି ବୋଲି ଚର୍ଚା ହେଉଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛ ଗେଟ୍‌ ପାଖ କୃଷ୍ଣନଗର ବସ୍ତି ନିକଟ ଚନ୍ଦକା ଅଭୟାରଣ୍ୟରୁ ଆଜି ଧୂଆଁ ବାହାରୁଥିବା ଦେଖା ଯାଇଥିଲା। ଲୋକେ ସେଠାକୁ ଯାଇ ଦେଖିଲା ବେଳକୁ କେତେକ ଗଛ ହୁତୁହୁତୁ ହୋଇ ଜଳୁଥିଲା। ଚାହୁଁ ଚାହୁଁ ନିଆଁ ଗଛରୁ ଗଛ ହୋଇ ଆଖପାଖ ଅଞ୍ଚଳକୁ ମାଡ଼ି ଯାଇଥିଲା। ହଠାତ୍‌ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯିବା ସହ ଉତ୍ତାପ ମଧ୍ୟ ବଢ଼ିଯାଇଥିଲା। ଏହା ଦେଖି ବସ୍ତିର ମହିଳାମାନେ ଘରୁ ଗରା ଓ ବାଲ୍‌ଟିରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଆଉ କିଛି ମହିଳା ଫୋନ୍‌ରେ ନିକଟସ୍ଥ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ପ୍ରଥମେ ବାରଙ୍ଗ ଦମକଳ କେନ୍ଦ୍ରର କର୍ମଚାରୀ ଓ ପରେ ଭୁବନେଶ୍ୱରରୁ ଏକ ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ପ୍ରାୟ ୩ ଏକରରୁ ଊର୍ଧ୍ୱ ଜମିରେ ଲାଗିଥିବା ମୂଲ୍ୟବାନ ଶତାଧିକ ଗଛ ପୋଡ଼ି ପାଉଁଶ ହୋଇ ସାରିଥିଲା।

ସମ୍ବନ୍ଧିତ ଖବର