ଆତସବାଜିର ଆକର୍ଷଣ, ମାଧୁରୀ ପିନ୍ଧିଲେ ୫ହଳ କଷ୍ଟ୍ୟୁମ୍‌

ଉଦ୍‌ଘାଟନୀ ଉତ୍ସବରେ ଆତସବାଜି ସାଜିଥିଲା ପ୍ରମୁଖ ଆକର୍ଷଣ। ପ୍ରାୟ ଅଢ଼େଇ ଘଣ୍ଟାର କାର୍ଯ୍ୟକ୍ରମ ମଧ୍ୟରେ ୩ ଥର ଆତସବାଜି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରହିଥିଲା। ହକି ବିଶ୍ବକପ୍‌ ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଆତସବାଜି ଆରମ୍ଭ ହୋଇଥିଲା। ଷ୍ଟାଡିୟମ୍‌ର ଚାରି ପାଖରୁ ଘନ ଘନ ବାଣ ମରାଯାଇଥିଲା। କଣ୍ଠଶିଳ୍ପୀ ‌ଏ ଆର ରହେମାନ ସଙ୍ଗୀତ ପରିବେଷଣ କରିବା କ୍ଷଣି ପୁଣିଥରେ ଆତସବାଜି ଦେଖିବାକୁ ମିଳିଥିଲା। ‌ଉଦ୍‌ଘାଟନୀ ଉତ୍ସବର ଶେଷ ବି ଆତସବାଜିରେ ସରିଥିଲା।

ଗ୍ୟାଲେରିରେ ସେଲିବ୍ରିଟି
ଓଡ଼ିଶାରେ ଆୟୋଜିତ ହୋଇଛି ବିଶ୍ବକପ୍‌ ହକି। ରାଜ୍ୟ ଭାବରେ ଓଡ଼ିଶା ଆୟୋଜନ କରିବା ଭାରତ ଇତିହାସରେ ପ୍ରଥମ ଘଟଣା ଘଟିଛି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଆଜି ଉଦ୍‌ଘାଟନୀ ଉତ୍ସବରେ ଦର୍ଶକଙ୍କର ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଛି। କିଙ୍ଗ୍‌ ଖାନ୍‌ଙ୍କ ସହ ମାଧୁରୀ ଓ ଏଆର ର‌େହମନଙ୍କ କାର୍ଯ୍ୟକ୍ରମ ପରିବେଷଣ ଏକ ନୂଆ ବାତାବରଣ ସୃଷ୍ଟି କରିଛି। ୩ ଘଣ୍ଟାର କାର୍ଯ୍ୟକ୍ରମକୁ ଦର୍ଶକ ବେଶ୍‌ ମନଭରି ଉପଭୋଗ କରିଛନ୍ତି। ‌ତେବେ ଗ୍ୟାଲେରିରେ କେତେକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ୟାଲେରିରେ ବସିଥିଲେ ସେଲିବ୍ରିଟି। ଏପରିକି କିଛି ବଡ଼ ବଡ଼ ସଂସ୍ଥାର ମୁଖ୍ୟମାନେ ମଧ୍ୟ ଗ୍ୟାଲେରିରେ ବସିଥିବା ଦେଖାଯାଇଥିଲା। ତାଙ୍କ ପାସ୍‌ର ପଛପଟେ ବଡ଼ ବଡ଼ ଅକ୍ଷରରେ ଭିଭିଆଇପି ଲେଖା ରହିଛି। ସେମାନେ ଏହି ପାସ୍‌କୁ ଧରି ଗ୍ୟାଲେରିରେ ତାଙ୍କ ଜାଗା ବେଶ୍‌ କିଛି ସମୟ ଧରି ଖୋଜି ବୁଲିବା ପରେ ଶେଷରେ ସାଧାରଣ ଚଉକିରେ ବସିଛନ୍ତି। ପୁଲିସ୍‌ କର୍ମଚାରୀଙ୍କଠାରୁ ଆରମ୍ଭ କରି କେତେକ ଆୟୋଜକଙ୍କ ପର୍ଯ୍ୟନ୍ତ ସେମାନେ ତାଙ୍କ ଚଉକି କେଉଁଠି ବୋଲି ପଚାରୁଥିବା ଦେଖାଯାଇଛି। ସବୁଆଡୁ ହତାଶ ହୋଇ ସେମାନେ ମନକୁ ମନ ଗାଳି କରୁଥିବା ଦେଖାଯାଇଛି।

୧୨ ମିନିଟ୍‌ ବୋର୍‌
ସବ୍ୟସାଚୀ ଓ ଅର୍ଚିତା ମଞ୍ଚ ଛାଡ଼ିବା ପରେ ୧୨ ମିନିଟ୍‌ କାଳ କୌଣସି କାର୍ଯ୍ୟକ୍ରମ ହୋଇ ନଥିଲା। ଡ୍ରୋନ୍‌ ସୋ ପାଇଁ ପ୍ରସ୍ତୁତି ଯୋଗୁ ମଞ୍ଚ ଫାଙ୍କା ରହିଥିଲା। ‌ଅନ୍ତର୍ଜାତୀୟ ମଞ୍ଚରେ ୧୨ ମିନିଟ୍‌ ଏପରି ଖାଲି ପଡ଼ିବା ଅନେକ ପସନ୍ଦ କରି ନଥିଲେ। ଶାହରୁଖ୍‌ଙ୍କ ନୃତ୍ୟ ଦେଖିବାକୁ ମିଳିବ ବୋଲି ଅନେକ ଆଶା ବାନ୍ଧିଥିଲେ ହେଁ କେବଳ ସଂଳାପ ଶୁଣିବାକୁ ମିଳିଥିଲା। ସବ୍ୟସାଚୀ-ଅର୍ଚିତା ଯୋଡ଼ିଙ୍କ ନୃତ୍ୟ ମଧ୍ୟ ଏହି ଅବସରରେ ଦେଖିବାର ସୁଯୋଗ ମିଳି ନଥିଲା।

ଦେଶର ସବୁଠୁ ବଡ଼ ଡ୍ରୋନ୍‌ ସୋ’
ଉଦ୍‌ଘାଟନୀ ପର୍ବରେ ‌ଦେଶର ସବୁଠୁ ବଡ଼ ଡ୍ରୋନ୍‌ ସୋ’ ଦେଖିବାକୁ ମିଳିଥିଲା। ଶହେରୁ ଅଧିକ ଆଲୁଅ ଖଚିତ ଡ୍ରୋନ୍‌ ଶୂନ୍ୟ ଆକାଶରେ ଚିତ୍ର ଆଙ୍କି ଦୃଷ୍ଟି ଆକର୍ଷଣ କରିଥିଲା। ୯-୮-୭…କାଉଣ୍ଟ୍‌ ଡାଉନ୍‌ ପରେ ଚକ୍ରକାରରେ ସଜେଇ ହୋଇଥିଲା। ପରେ ହକି ଷ୍ଟିକ୍‌, ହାର୍ଟବିଟ୍‌ ଏବଂ ଶେଷରେ ଭାରତ ମାତାର ଫରଫର ଉଡ଼ୁଥିବା ତ୍ରିରଙ୍ଗାରେ ସବୁ ଆଖି ଲାଖିରହିଥିଲା। ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ଏହାକୁ ଦେଶର ସବୁଠୁ ବଡ଼ ଡ୍ରୋନ୍‌ ସୋ’ ବୋଲି ‌ଟ୍ବିଟ୍‌ କରାଯାଇଛି। ଡ୍ରୋନ୍‌ ସୋ’ ଚାଲିଥିବା ସମୟରେ ୨ଟି ଡ୍ରୋନ୍‌ ଅକାମୀ ହୋଇ ଗଳି ପଡ଼ିଥିବା ଦେଖିବାକୁ ମିଳିଥିଲା।

ମାଧୁରୀ ପିନ୍ଧିଲେ ୫ହଳ କଷ୍ଟ୍ୟୁମ୍‌
ମାଧୁରୀ ତାଙ୍କର ନୃତ୍ୟ ମଧ୍ୟରେ ୫ଥର ୫ଟି ବିଷୟକୁ ନେଇ ପ୍ରସ୍ତୁତ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏହା ମଧ୍ୟରେ ସେ ୫ଥର କଷ୍ଟ୍ୟୁମ୍‌ ବଦଳାଇଥିଲେ। ପ୍ରଥମେ ଧଳା କଷ୍ଟ୍ୟୁମ୍‌ରେ ଆବିର୍ଭାବ ହୋଇଥିବା ବେଳେ ପରେ କଳାଧଳା, ବ୍ଲୁ-କଳା-ଗୋଲ୍‌ଡେନ୍‌, କଳା-ମେରୁନ୍‌ ଏବଂ ଆଉ ଏକ ମଲ୍‌ଟି କଲର ‌କଷ୍ଟ୍ୟୁମ୍‌ ପରିଧାନ କରି ମଞ୍ଚକୁ ଆସିଥିଲେ। ସ୍ବପ୍ନିଳ ସିନ୍ଧେ ତାଙ୍କର କଷ୍ଟ୍ୟୁମ୍‌ ଡିଜାଇନ୍‌ କରିଥିଲେ। ମାଧୁରୀଙ୍କ ମଥା ଓ ମୁଣ୍ଡରେ ନିଆରା ଅଳଙ୍କାର ଆହୁରି ଆକର୍ଷଣୀୟ ଅନୁଭବ ଦେଇଥିଲା।

ଓଲି ସହ କ୍ଲିକ୍‌
ଉତ୍ସବ ଦେଖିବାକୁ ଆସିଥିବା ଦର୍ଶକ ଓଲି ସହ ସେଲ୍‌ଫି ନେବାକୁ ଭୁଲି ନ ଥିଲେ। ଷ୍ଟାଡିୟମ୍‌ର ମୁଖ୍ୟ ଫାଟକରେ ପ୍ରବେଶ କରିବା କ୍ଷଣି ସେମାନେ ଓଲି ସହ ସେଲ୍‌ଫି ନେଇଥିଲେ। ମହିଳା ଓ ଯୁବତୀମାନେ ଓଲି ସହ ସେଲ୍‌ଫି ନେବାକୁ ବହୁତ ଆଗ୍ରହ ଦେଖାଇଥିଲେ। ଅଭିଭାବକଙ୍କ ସହ ଆସିଥିବା ଛୋଟ ପିଲାମାନେ ଓଲି ସହ ୱାନ୍‌ କ୍ଲିକ୍‌ ନେବାକୁ ଭୁଲି ନ ଥିଲେ।
ଷ୍ଟାଡିୟମ୍‌ରେ ନଥିଲା ପର୍ଯ୍ୟାପ୍ତ ଏଲ୍‌ଇଡି
ଗ୍ୟାଲେରିରେ ବସିଥିବା ଦର୍ଶକଙ୍କଠାରୁ ୩୦୦ ମିଟର ଦୂରରେ ହୋଇଥିଲା ମୁଖ୍ୟ ମଞ୍ଚ। ଦର୍ଶକ ସେଠାରୁ କଳାକାରଙ୍କୁ ଦେଖିପାରୁ ନ ଥିଲେ। ମଧୁରୀ, ରହେମାନ ମଞ୍ଚରେ ଥିବା ସମୟରେ ତାହା ଠିକ୍‌ ଭାବେ ଦୃଶ୍ୟମାନ ହୋଇ ନ ଥିଲା। ଷ୍ଟାଡିୟମ୍‌ରେ ଲାଗିଥିବା ୩ଟି ଏଲ୍‌ଇଡିରେ ଯାହା ଦେଖୁଥିଲେ ଦର୍ଶକ। ମୁଖ୍ୟ ମଞ୍ଚକୁ ଲାଗି ଦୁଇ ପାର୍ଶ୍ବରେ ଦୁଇଟି ଏଲ୍‌ଇଡି ଲାଗିଥିବା ବେଳେ ସମ୍ମୁଖ ଭାଗରେ ଗୋଟିଏ ଏଲ୍‌ଇଡି ଲାଗିଥିଲା। ଏଲ୍‌ଇଡି ସମ୍ମୁଖ ଗ୍ୟାଲେରିରେ ବସିଥିବା ଦର୍ଶକ ଭଲ ଭାବେ ସ୍କିନ୍‌ରେ ଦେଖିପାରୁ ଥିବା ବେଳେ ବାକି ଗ୍ୟାଲେରି ଦର୍ଶକଙ୍କୁ ହଟହଟା ହେବାକୁ ପଡ଼ିଥିଲା।

ଚଉକି ପାଇଁ ହାଇଁପାଇଁ
ଉଦ୍‌ଘାଟନୀ ଉତ୍ସବରେ ଟିକେଟ୍‌ ସଂଖ୍ୟା ସୀମିତ ବୋଲି ‌ବେଶ୍‌ ଆଗରୁ ଚର୍ଚ୍ଚା ହେବା ପରେ ଭିଡ଼ ଭିତରେ ଟିକେଟ୍‌ ପାଇଥିବା ବ୍ୟକ୍ତି ନିଜକୁ ଭାଗ୍ୟବାନ ମଣିଛି। ଅପରାହ୍ଣ ୩ଟାରୁ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଥି‌ଲେ ମଧ୍ୟ କେତେକ ଟିକେଟ୍‌ ଥିବାରୁ ଆଶ୍ବସ୍ତ ହୋଇ ସନ୍ଧ୍ୟା ୫ ଟା ବେଳେ ଗ୍ୟାଲେରିରେ ପ୍ରବେଶ କରିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ବିଚିତ୍ର ପରିସ୍ଥିତି ଦେଖିଥିଲେ। କାରଣ ସବୁ ଚଉକି ପୂର୍ଣ୍ଣ ଥିଲା। ଏଣୁ ସେମାନେ ଯିବା ଆସିବା ବାଟରେ ଆସ୍ଥାନ ଜମାଇବାକୁ ବାଧ୍ୟ ହୋଇଥିଲେ। ଯେତିକି ସିଟ୍‌ ସେତିକି ଟିକେଟ୍‌ ବିକ୍ରି ହେଲା, ହେଲେ ଏତେ ଲୋକ ଆସିଲେ କେଉଁଠୁ ବୋଲି ଚର୍ଚା ହୋଇଥିଲା।

ପେଟିସ୍‌ ପାଇଁ ପିଟାପିଟି
ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ବେଶ୍‌ ଭିଡ଼ ଜମିଥିଲା। ହେଲେ ଖାଇବାକୁ କିଛି ନଥିଲା। ଯେଉଁଠି ଖାଦ୍ୟ ଥିଲା ସେଠାକୁ ଥରେ ଗଲେ ଆଉ ଗ୍ୟାଲେରିରେ ପ୍ର‌େ‌ବେଶ ସୁଯୋଗ ନଥିଲା। ଗୋଟିଏ ଜାଗାରେ କେବଳ ଥଣ୍ଡା ପେଟିସ୍‌ ଆଉ ମୃଦୁପାନୀୟ ଥିଲା। କାଉଣ୍ଟର୍‌ରେ ପାଖାପାଖି ଦେଢ଼ଶହ ଗ୍ରାହକ ଥିଲେ। ଯିଏ ପେଟିସ୍‌ ପାଇଲା ସେ ନିଜକୁ ଭାଗ୍ୟବାନ ମଣୁଥିଲା। ଏଭଳି ଠେଲାପେଲାର ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କଲାବେଳେ ଜଣକୁ ଦୁଇଜଣ ଯୁବତୀ ଏକ ଥାପଡ଼ ମାରିଥିଲେ।

ଚାଲିଲାନି ଇଣ୍ଟରନେଟ୍‌
ଉଦ୍‌ଘାଟନୀ ଉତ୍ସବର ଏଭଳି ଏକ ଆୟୋଜନକୁ ଅନେକ ପରିଜନଙ୍କୁ ଜୀବନ୍ତ ଦେଖାଇବାକୁ ଯୋଜନା କରିଥିଲେ। ହେଲେ ଗ୍ୟାଲେରିରେ ପ୍ରବେଶ କରିବା ପରେ ନେଟ୍‌ୱର୍କ ଫେଲ ମାରିଥିଲା। କେତେକ ନେଟ୍‌ୱର୍କରେ କେବଳ ଫୋନ୍‌ କଲ ଯାଉଥିବା ବେଳେ କୌଣସି ନେଟ୍‌ୱର୍କରେ ଇଣ୍ଟରନେଟ୍‌ ଚାଲୁ ନଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର