ରାଜଧାନୀରେ ମେଳାର ପସରା

ଭୁବନେଶ୍ୱର : ଚାଲିଛି ପାର୍ବଣର ଲମ୍ବା ଅବକାଶ। ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ପରେ ଏବେ ଦୀପାବଳିକୁ ସମସ୍ତଙ୍କ ଅପେକ୍ଷା। ଏଥିପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଯାଇଛି। ଦୀପାବଳିରେ କିଏ ଗାଡ଼ି କିଣିବ ତ’ କିଏ ସୁନା କିଣିବ। ପୁଣି କିଏ କିଣିବ ନୂଆ ପୋଷାକ ଓ ଘରସଜ୍ଜା ସାମଗ୍ରୀ। ରାଜଧାନୀବାସୀ ଏନେଇ ବେଶ୍‌ ଉତ୍ସାହିତ। ସେମାନଙ୍କ ଏହି ଚାହିଦା ପୂରଣ ପାଇଁ ଭୁବନେଶ୍ୱରରେ ଏବେ ଚାଲିଛି ଦୁଇ ଦୁଇଟି ମେଳାର ଅବକାଶ। ଏପଟେ ପ୍ରଦର୍ଶନୀ ପଡ଼ିଆରେ ‘ଉତ୍ତର ଭାରତ ହସ୍ତତନ୍ତ ମେଳା’ ରାଜଧାନୀବାସୀଙ୍କୁ ଉତ୍ତର ଭାରତର ୧୩ଟି ରାଜ୍ୟର ଭିନ୍ନ ଭିନ୍ନ ପୋଷାକ ଓ ଅଳଙ୍କାର ଯୋଗାଉଥିବା ବେଳେ ଜନତା ମଇଦାନରେ ‘ବାଣିଜ୍ୟ ମେଳା’ ଦେଶ ବିଦେଶର ହାତ ତିଆରି ଘରସଜ୍ଜା ସାମଗ୍ରୀ ହାତପାହାନ୍ତାକୁ ନେଇ ଆସିଛି। ଏହି ସମୟରେ ରାଜଧାନୀବାସୀ କିଣାକିଣିର ଅବକାଶକୁ ଛାଡ଼ିବାକୁ ଚାହିନାହାନ୍ତି। ଶନିବାର ଓ ରବିବାର ଅବସରରେ ମେଳାରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଛି।

ସ୍ୱଦେଶୀ ମେଳାରେ ଜମୁଛି ଗ୍ରାହକଙ୍କ ଭିଡ଼
ଭୁବନେଶ୍ୱର : ଲୋକଙ୍କ ମଧ୍ୟରେ ସ୍ୱଦେଶୀ ଦ୍ରବ୍ୟର ଚାହିଦା ବଢ଼ାଇବା ନେଇ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ ପଡ଼ିଆରେ ଆରମ୍ଭ ହୋଇଥିବା ସ୍ୱଦେଶୀ ମେଳାରେ ଆଜି ଗ୍ରାହକଙ୍କ ଭିଡ଼ ବେଶ୍‌ ଜମିଥିଲା। ଆଜି ରବିବାର ଛୁଟିଦିନ ଥିବାରୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ଓ ପୁୁରୁଷ ବିଭିନ୍ନ ପ୍ରକାର ପୋଷାକପତ୍ରଠାରୁ ଆରମ୍ଭ କରି ଖାଦ୍ୟ ଦ୍ରବ୍ୟ କିଣି ନେଇଥିଲେ। ବିଶେଷ କରି ମହିଳାମାନେ ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟର ପାରମ୍ପରିକ ଆକର୍ଷଣୀୟ ଶାଢ଼ି କିଣିବାକୁ ଭିଡ଼ ଲଗାଇଥିଲେ। ଗତକାଲି ଉଦ୍‌ଘାଟନୀ ଦିବସ ଅପେକ୍ଷା ଆଜି ଛୁଟି ଦିନ ଥିବାରୁ ବ୍ୟବସାୟ ବେଶ୍‌ ଭଲ ହୋଇଥିବା ବିକ୍ରେତାମାନେ କହିଛନ୍ତି। ଆଜି ମେଳା ପରିସରରେ ଥିବା ମଞ୍ଚରେ ଅନୁଷ୍ଠିତ ସଭାରେ ଭାରତୀୟ ରେଲେଓ୍ଵ ମଜଦୁର ସଂଘର ଓଡ଼ିଶା ସମ୍ପାଦକ ବିଜୟ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିଜେଇଏମ୍‌ ସ୍କୁଲର ଛାତ୍ରଛାତ୍ରୀ ଓଡ଼ିଶୀ ଓ ୟୁନିଟ ୩ ଶିଶୁ ମନ୍ଦିରର ପିଲାମାନେ ଭଜନ ପରିବେଷଣ କରିଥିଲେ।

ହାତ ତିଆରି ଚକୋଲେଟ୍‌ର ଆଦର
କୌଣସି ନାମୀଦାମୀ କମ୍ପାନିର ଇମ୍ପୋଟେଡ୍‌ ଚକୋଲେଟ୍‌ ନୁହେଁ, ରାଜଧାନୀବାସୀଙ୍କୁ ହାତ ତିଆରି ଚକୋଲେଟ୍‌ ଟାଣୁଛି ଜନତା ମଇଦାନକୁ। ଗତ ୫ ତାରିଖରୁ ଆରମ୍ଭ ‘ବାଣିଜ୍ୟ ମେଳା’ ପରିସରରେ ‘ଶ୍ରୀ ସାଇ ନିକେତନ ଟ୍ରଷ୍ଟ’ର ଚକୋଲେଟ୍‌ ପସରା ପାଖରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଛି। ଏଠାରେ ମିଳୁଛି ନଡ଼ିଆ, ପାନ, ଆରୋବିଆନ୍‌ ଡିଲାଇଟ୍‌, କ୍ରଞ୍ଚି, ଚକୋ, ଚକୋ ଅରେଞ୍ଜ ଟ୍ୟୁଷ୍ଟ୍‍, ଚକୋଲେଟ୍‌ ପାନ୍‌, ଦ୍ୱି-ସ୍ତରୀୟ ଚକୋଲେଟ୍‌ ଆଦି ୧୩ଟି ଫ୍ଲେବର୍‌ର ଚକୋଲେଟ୍‌। ପୁଣି ରହିଛି ଡ୍ରାଏ ଫ୍ରୁଟ୍‌, ମିକ୍ସ ଫ୍ରୁଟ୍‌ ଓ ମଧୁମେହ ରୋଗୀଙ୍କ ପାଇଁ ସୁଗାର ଫ୍ରି ଚକୋଲେଟ୍‌ ଆଦି। ସବୁ ଚକୋଲେଟ୍‌ ୧୦୦ ଗ୍ରାମ୍‌କୁ ୧୦୦ରୁ ୧୨୦ ଟଙ୍କା ରହିଛି। କୌଣସି ପ୍ରକାର ରସାୟନ ବ୍ୟବହାର ନ କରି ଏସବୁ ଘରେ ତିଆରି କରାଯାଇଛି ବୋଲି ଟ୍ରଷ୍ଟ୍‍ର ଟ୍ରଷ୍ଟି ସାନ୍ତା ବଳିଆରସିଂହ କହିଛନ୍ତି। ପୁଣି ଏସବୁ ଚକୋଲେଟ୍‌ ବିନା ରେଫ୍ରିଜରେଟରରେ ୬ମାସ ପର୍ଯ୍ୟନ୍ତ ରହିପାରିବ ବୋଲି ସେ କହିଛନ୍ତି। ଚକୋଲେଟ୍‌ ବିକ୍ରିର ସମସ୍ତ ଟଙ୍କା ଦିବ୍ୟାଙ୍ଗ ପିଲା ପାଇଁ ଉଦ୍ଦିଷ୍ଟ ‘ଉଡ୍‌ ଆପଲ୍‌ ସ୍କୁଲ୍‌’କୁ ପ୍ରଦାନ କରାଯିବ ବୋଲି ସ୍କୁଲର ସହପ୍ରତିଷ୍ଠାତା ରୀତା ବଳିଆରସିଂହ କହିଛନ୍ତି।

ଆକ୍ୟୁପ୍ରେସର ଚିକିତ୍ସାକୁ ଆଦରୁଛନ୍ତି ରାଜଧାନୀବାସୀ
ଉଭୟ ମେଳାରେ ଖୋଲିଛି ଆକ୍ୟୁପ୍ରେସର ଉପକରଣର ପସରା। ଆଜିକାଲିର ଦୁନିଆରେ ରକ୍ତଚାପଠାରୁ ଆରମ୍ଭ କରି ମଧୁମେହ, ପକ୍ଷାଘାତ, ମୁଣ୍ଡବିନ୍ଧା, ମାଇଗ୍ରେନ୍‌, ଅଣ୍ଟା ବିନ୍ଧା, ପାଇଲ୍‌ସ୍‌, ହୃଦ୍‌ଘାତ ଆଦି ରୋଗ ବଢ଼ିବାରେ ଲାଗିଛି। ଏସବୁ ସମସ୍ୟାର ସମାଧାନ ତଥା ଶରୀରକୁ ସକ୍ରିୟ ରଖିବା ପାଇଁ ଏହି ଆକ୍ୟୁପ୍ରେସର ଚିକିତ୍ସା ସର୍ବତ୍ର ଆଦୃତ ହେଲାଣି। ତେଣୁ ଏହି ଷ୍ଟଲ୍‌ରେ ରହିଛି ବିଭିନ୍ନ ରୋଗର ନିରାକରଣ ପାଇଁ ଭିନ୍ନ ଭିନ୍ନ ଉପକରଣ ମିଳୁଛି। ଯେମିତିକି ଶରୀରକୁ ସଙ୍ଗେସଙ୍ଗେ ସକ୍ରିୟ କରିବା ତଥା ପାଚନକ୍ରିୟା, ମୁଣ୍ଡବିନ୍ଧା, ଆଖି, କାନ ଓ ହୃତ୍‌ପିଣ୍ଡ ସମସ୍ୟାରୁ ପାଇଁ ରହିଛି ଆକ୍ୟୁପ୍ରେସର ଫୁଟ୍‌ ମ୍ୟାଟ୍‌, ମସ୍ତିଷ୍କକୁ କ୍ରିୟାଶୀଳ କରିବା, ଅଣ୍ଟାବିନ୍ଧା ତଥା ମୋଟାପଣ କମାଇବା ପାଇଁ ଆକ୍ୟୁପ୍ରେସର୍‌ ମ୍ୟାଗ୍ନେଟିକ୍‌ ବେଲ୍ଟ୍‌, ସ୍ନାୟୁଗୁଡ଼ିକୁ ସକ୍ରିୟ କରିବା ତଥା ପକ୍ଷାଘାତରୁ ମୁକ୍ତି ପାଇଁ ହ୍ୟାଣ୍ଡ ରିଙ୍ଗ୍‌, ପାଇଲ୍‌ସ୍‌ ପାଇଁ ଫିଙ୍ଗର୍‌ ରିଙ୍ଗ୍‌, ରକ୍ତ ସଞ୍ଚାଳନ ପାଇଁ ମ୍ୟାଗ୍ନେଟିକ୍‌ ବଲ୍‌, କାର୍‌/ ଚୌକିରେ ବସିଲା ବେଳେ ଅଣ୍ଟା ବିନ୍ଧାରୁ ମୁକ୍ତି ପାଇଁ ବ୍ୟାକ୍‌ ରେଷ୍ଟ୍‍, ମୁଣ୍ଡବିନ୍ଧା ଓ ମାଇଗ୍ରେନ୍‌ ପାଇଁ ହେଡ୍‌ ବେଲ୍ଟ୍‌ ଆଦି ବହୁ ଚିକିତ୍ସା ଉପକରଣ ରହିଛି। ପୂର୍ବରୁ ଲୋକମାନେ ଏହି ଚିକିତ୍ସା ପ୍ରଣାଳୀରେ ବିଶ୍ୱାସ କରୁନଥିବା ବେଳେ ବ୍ୟାପକ ସଚେତନତା ଶିବିର ପରେ ଲୋକମାନେ ଏହାକୁ ଗ୍ରହଣ କଲେଣି। ଗତ ୫ ବର୍ଷ ମଧ୍ୟରେ ରାଜଧାନୀରେ ଏହି ଚିକିତ୍ସା ପ୍ରତି ଲୋକେ ଆଗ୍ରହ ଦେଖାଇଲେଣି ବୋଲି ଷ୍ଟଲ୍‌ର ମାଲିକ ବିଜେନ୍ଦ୍ର ପାଣ୍ଡେ କହିଛନ୍ତି। ପୁଣି ଏସବୁ ଉପକରଣ ପ୍ରାୟ ୧୦୦ରୁ ୬୦୦୦ ଟଙ୍କା ମଧ୍ୟରେ ମିଳି ଯାଉଛି। ତେଣୁ କିଣିବାରେ ଅସୁବିଧା ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର