ଓଏଲ୍‌ଏକ୍ସରେ ଗାଡ଼ି ବିକ୍ରି ବିଜ୍ଞାପନ ଦେଇ ଠକେଇ ମାମଲା: ମେଡିସିନ୍ ବେପାରରେ ଟଙ୍କା ଲଗେଇଛି ତୃପ୍ତି

ଦିଲ୍ଲୀ ଯିବ କମିସନରେଟ୍‌ ପୁଲିସ, ଖୋଲିଥିଲା ହେଲୋ କ୍ୟାବ୍ ସର୍ଭିସ୍, ପଦାକୁ ଆସୁଛି ଠକ-ପୁଲିସ ସମ୍ପର୍କ ‌

ଭୁବନେଶ୍ବର,୧୭/୪(ଇମିସ): ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ବିଜ୍ଞାପନ ଦେଇ କୋଟି କୋଟି ଟଙ୍କା ଠକିଥିବା ତୃପ୍ତି ଦାସର ଠକେଇ ପେଡ଼ି ଖୋଲିବାରେ ଲାଗିଛି। ୭ ଦିନିଆ ରିମାଣ୍ଡର ଚତୁର୍ଥ ଦିନରେ ମାରାଥନ୍ ଜେରା କରି ତୃପ୍ତିଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି ବଡ଼ଗଡ଼ ଥାନା ପୁଲିସ। ଦିଲ୍ଲୀର ଏକ ମେଡିସିନ୍ ଡିଷ୍ଟ୍ରିବ୍ୟୁସନ ସଂସ୍ଥାରେ ସେ ବିପୁଳ ଅର୍ଥ ବିନିଯୋଗ କରିଛି। ଜଣେ ବ୍ୟବସାୟୀଙ୍କ ସହ ପାର୍ଟନରସିପରେ ସେ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି। ଏଭଳି ତଥ୍ୟ ପୁଲିସ ହାତରେ ଲାଗିବା ପରେ ଯାଞ୍ଚ ଆରମ୍ଭ ହୋଇଛି। ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ କରି ସତ୍ୟାସତ୍ୟ ଜାଣିବାକୁ ପାଇଛି ପୁଲିସ। ତେଣୁ ଖୁବଶୀଘ୍ର ତଦନ୍ତକାରୀ ଟିମ୍ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଭୁବନେଶ୍ବର ଓ ଦିଲ୍ଲୀରେ ଓଲା, ଉବେର ଭଳି ‘ହେଲୋ କ୍ୟାବ୍’ ନାଁରେ ଏକ ସଂସ୍ଥା ଖୋଲିଥିଲା ତୃପ୍ତି। ଇନ୍‌ଫୋସିଟି ଅଞ୍ଚଳରେ ଏହି କ୍ୟାବ୍ ଚାଲୁଥିଲା। ଦିଲ୍ଲୀ ଗୁରୁଗ୍ରାମରେ ମଧ୍ୟ ସଂସ୍ଥା ଖୋଲିଥିଲା, କିନ୍ତୁ ବ୍ୟବସାୟ ଆରମ୍ଭ ହୋଇ ନ ଥିବା ପୁଲିସ ଜାଣିବାକୁ ପାଇଛି। ଅନ୍ୟ କେଉଁଠି ବ୍ୟବସାୟ ରହିଛି ଓ ଆଉ କେଉଁଠି ଟଙ୍କା ବିନିଯୋଗ କରିଛି ସେ ନେଇ ଖୋଳତାଡ଼ ଜାରି ରଖିଛି ପୁଲିସ। ଗତକାଲି ତୃପ୍ତିର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ମିଳିଥିବା ବେଳେ ତା’ର ପତ୍ନୀ ଆକାଉଣ୍ଟରେ ଆଉ ଦେଢ଼ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି। ତେବେ ତୃପ୍ତି ଗିରଫ ହେବା ପରେ ତା’ର ପତ୍ନୀ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ସାରା ରାଜ୍ୟରୁ ଆସୁଛି ମାଳମାଳ ଅଭିଯୋଗ
ପୁଲିସ ଇତିହାସରେ ସବୁଠୁ ଲମ୍ବା ଠ‌କେଇ ମାମଲା
ତୃପ୍ତି ବିରୋଧରେ ସାରା ରାଜ୍ୟରୁ ମାଳମାଳ ଠକେଇ ଅଭିଯୋଗ ଆସିବାରେ ଲାଗିଥିବାବେଳେ କମିସନରେଟ ପୁଲିସ ଇତିହାସରେ ଏହା ସବୁଠାରୁ ଲମ୍ବା ଠକେଇ ମାମଲା ବୋଲି କୁହାଯାଉଛି। ଏବେ ସୁଦ୍ଧା ୬୦ଟି ଅଭିଯୋଗ ପହଞ୍ଚିଥିବା ବେଳେ ତୃପ୍ତି ବିରୋଧରେ ୨୫ରୁ ଅଧିକ ମାମଲା ରୁଜୁ ହୋଇ ସାରିଲାଣି। ଆଜି ଗୋଟିଏ ଦିନରେ ୧୦ରୁ ଅଧିକ ଅଭିଯୋଗ ଆସିଲାଣି। ଅଭିଯୋଗ ସଂଖ୍ୟା ଆହୁରି ବଢ଼ିବ ବୋଲି ଜଣାପଡ଼ିଛି। ଅଭିଯୋଗ ସଂଖ୍ୟା ଦେଢ଼ ଶହ ଛୁଇଁବ ବୋଲି ପୁଲିସ ଅନୁମାନ କରୁଛି।

ପଦାକୁ ଆସୁଛି ଠକ-ପୁଲିସ ସମ୍ପର୍କ
୧୧ବର୍ଷ ତଳେ ଅଭିଯୋଗକୁ ଚାପି ଦିଆ ଯାଇଥିଲା
ତୃପ୍ତି ଏତେ କ୍ଷମତାଶାଳୀ ଥିଲା ଯେ ୧୦ ବର୍ଷ ତଳର ଅଭିଯୋଗ ଥାନାକୁ ଆସିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଥାନାକୁ ନ ଆସି କୋର୍ଟର ଦ୍ବାରସ୍ଥ ହେବା ପାଇଁ ଅଭିଯୋଗକାରୀଙ୍କୁ ପରାମର୍ଶ ଦେଇ ଫେରାଇ ଦେଇଥିଲା। ଆଜି ବଡ଼ଗଡ଼ ଥାନାକୁ ବଡମ୍ବା ଗୋପୀନାଥପୁରରୁ ଆସିଥିବା ଅମରେନ୍ଦ୍ର ପଣ୍ଡା ଏମିତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି; ୨୦୧୦ ମସିହାରେ ତୃପ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଓମ୍ ମାର୍କେଟିଂ ନାଁରେ ଏକ ସଂସ୍ଥା ଖୋଲିଥିଲା। ସେହି ସଂସ୍ଥା ଜରିଆରେ ସେକେଣ୍ଡ ହ୍ୟାଣ୍ଡ ଚାରିଚକିଆ ଗାଡ଼ି ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଥିଲା। ଅମରେନ୍ଦ୍ର ଏହି ବିଜ୍ଞାପନ ଦେଖି ଏକ ବୋଲେରୋ କିଣିବା ଲାଗି ତୃପ୍ତିକୁ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଗାଡ଼ି ନ ମିଳିବାରୁ ସେ ଓମ୍ ମାର୍କେଟିଂ ଅଫିସର ଦ୍ବାରସ୍ଥ ହୋଇଥିଲେ। ପରେ ତୃପ୍ତି ତାଙ୍କୁ ଯେଉଁ ଚେକ୍ ଦେଇଥିଲା ତାହା ବାଉନ୍ସ କରି ଯାଇଥିଲା। ଏ ସଂକ୍ରାନ୍ତରେ ଅମରେନ୍ଦ୍ର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଠକେଇ ମାମଲା କଲେ କିଛି ଲାଭ ହେବନି, ବରଂ କୋର୍ଟକୁ ଯାଇ ଚେକ୍ ବାଉନ୍ସ ମାମଲା କର ବୋଲି ପୁଲିସ ପରାମର୍ଶ ଦେଇଥିଲା।

ସେତେବେଳେ ଥାନାକୁ ଆସୁଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ତୃପ୍ତିର ସାହସ ଧୀରେ ଧୀରେ ବଢ଼ି ଯାଇଥିଲା। ସେ ଠକି ଚାଲିଥିଲା ବୋଲି ଅଭିଯୋଗକାରୀମାନେ କହିଛନ୍ତି। ସେହିପରି ଆଜି ଯାଜପୁର ବିଞ୍ଝାରପୁର ଅଞ୍ଚଳର ସଲମା ବେଗମ୍ ଅଭିଯୋଗ ଆଣିଛନ୍ତି ୨୦୨୦ ସେପ୍ଟେମ୍ବରରେ ବୋଲେରୋ କିଣିବା ପାଇଁ ୩ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କୁ ଗାଡ଼ି ମିଳି ନ ଥିଲା କି ଟଙ୍କା ମଧ୍ୟ ପାଇ ନ ଥିଲେ। ସେହିପରି ବାଲେଶ୍ବର ସୋର ଅଞ୍ଚଳର ରାଜେନ୍ଦ୍ର ପାଣି ମଧ୍ୟ ବୋଲେରୋ ପାଇଁ ତୃପ୍ତିକୁ ଦେଢ଼ ଲକ୍ଷ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ବାଲେଶ୍ବର ସିମୁଳିଆର ଲକ୍ଷ୍ମୀଧର ବେହେରାଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କାର ଚୂନ ଲଗାଇଛି।

ସମ୍ବନ୍ଧିତ ଖବର