ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ନାଁରେ ଜାଲ୍ ନିଯୁକ୍ତିପତ୍ର; ଥାନାରେ ମାମଲା, ତନାଘନା ଆରମ୍ଭ

ଭୁବନେଶ୍ବର : ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ଦସ୍ତଖତ ଓ ସିଲ୍‌କୁ ଜାଲ୍ କରି ଗ୍ରୁପ୍-ଡି ପଦର ନିଯୁକ୍ତିପତ୍ର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନା ନୂଆପାଟଣା କୁକୁଡ଼ିଆ ଅଞ୍ଚଳର ଦିଲ୍ଲୀପ କୁମାର ବେହେରାଙ୍କ ପାଖକୁ ସ୍ପିଡ୍ ପୋଷ୍ଟରେ ଏହି ନିଯୁକ୍ତିପତ୍ର ଯାଇଥିଲା। ଏଥିରେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟର ସିଲ୍ ବ୍ୟବହାର କରାଯାଇଥିଲା। ଠିକଣା ନ ମିଳିବାରୁ ଏହା ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟକୁ ଫେରି ଆସିଥିଲା। ଏହା ଖୋଲାଯିବା ପରେ ନିର୍ଦ୍ଦେଶାଳୟ ପକ୍ଷରୁ ଏପରି କିଛି ନିଯୁକ୍ତିପତ୍ର ତିଆରି ହୋଇ ନଥିବା ଓ ଏହା ଜାଲ୍ ବୋଲି ଜଣାପଡ଼ିଥିଲା। ଏହି ନିଯୁକ୍ତିପତ୍ର କିଏ ତିଆରି କଲା, କିଏ ପଠାଇଲା, ତାହାର ଖୋଳତାଡ଼ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ପୁଲିସରେ ଚାକିରି ନାଁରେ ଦେଢ଼ କୋଟି ଟଙ୍କା ଠକେଇ ପରେ ଏବେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ କିଏ ଏପରି ଜାଲ୍ ନିଯୁକ୍ତିପତ୍ର ତିଆରି କଲା, ଏଥିରେ ବିଭାଗର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି? ଏ ସବୁର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର