ଭୁବନେଶ୍ବର: ଲୋକସେବା ଭବନରେ ଜୁନିଅର୍‌ ଆସିଷ୍ଟାଣ୍ଟ ଚାକିରି କରାଇବାକୁ କହି ଜଣେ ଯୁବକଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକିନେଇଥିବା ୨ ଧୂର୍ତ୍ତଙ୍କୁ କ୍ୟାପିଟାଲ ଥାନା ପୁଲିସ ଖୋଜୁଛି। ଆଜି ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ଠକଦ୍ବୟଙ୍କ ମୋବାଇଲ୍‌ ଟ୍ରାକ୍‌ କରି ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି। ମାତ୍ର ଠକ ଅମୀୟ ଓ ପ୍ରତୀକଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିବାରୁ ସେମାନେ ଧରାପଡ଼ିନାହାନ୍ତି। ଆଜି ରାତିରେ ସେମାନଙ୍କ ଠିକଣାରେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି। ଠକଦ୍ବୟ ଅଭିଯୋଗକାରୀଙ୍କୁ ନକଲି ନିଯୁକ୍ତିପତ୍ର ଓ ନକଲି ଆଇ-କାର୍ଡ ଧରାଇଥିବାରୁ ସେମାନେ ଆହୁରି କିଛି ଆଶାୟୀଙ୍କୁ ଚୂନ ଲଗାଇଥିବା ସନ୍ଦେହ କରାଯାଉଛି। 
ଅଭିଯୋଗକାରୀଙ୍କ କହିବା କଥା ଲୋକସେବା ଭବନରେ ଜୁନିଅର୍‌ ଆସିଷ୍ଟାଣ୍ଟ ପଦବି ପାଇଁ ପରୀକ୍ଷା ହୋଇଥିଲା। ସେ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ତାଙ୍କ ବାପା ଓ ମାଆ ଜଣେ ସମ୍ପର୍କୀୟଙ୍କ କଥାରେ ଅମୀୟ ଓ ପ୍ରତୀକଙ୍କୁ ଭେଟିଥିଲେ। ସେମାନେ ସରକାରୀ ଚାକିରିଆ ବୋଲି ପରିଚୟ ଦେଇଥିଲେ ଏବଂ ଏହି ଚାକିରି ପାଇଁ ଅଗ୍ରିମ ବାବଦରେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏସବୁ କାମ ଗଳାବାଟରେ ହେବାକୁ ଥିବାରୁ କୌଣସି ଚିଠି ବା କାଗଜପତ୍ର ଅନ୍‌ଲାଇନ୍‌ରେ ମିଳିବନାହିଁ ବୋଲି ଠକମାନେ ଆଶାୟୀଙ୍କୁ ବୁଝାଇଦେଇଥିଲେ। ନିଯୁକ୍ତିପତ୍ର ଓ ଆଇ-କାର୍ଡ ସବୁ ତାଙ୍କୁ ହା‌ତେହାତେ ମିଳିବ ଏବଂ ଆଶାୟୀ ସେମାନଙ୍କଠାରୁ ନେବେ ବୋଲି କହିଥିଲେ। ଚାକିରିରେ ଯୋଗଦେବା ପରେ ବାକି ଟଙ୍କା ଦେବାକୁ ହେବ ବୋଲି କଥା ଛିଡ଼ିଥିଲା। ସେମାନଙ୍କ କଥାରେ ବିଶ୍ବାସ କରି ଆଶାୟୀ ୧୦ ଲକ୍ଷ ଟଙ୍କା ଦେଇଦେଲେ। ଦୁଇ ଦିନ ପୂର୍ବେ ଠକଦ୍ବୟ ଆଶାୟୀଙ୍କୁ ନିଯୁକ୍ତିପତ୍ର ଓ ଆଇ-କାର୍ଡ ଦେଇଥିଲେ ଏବଂ ସୋମବାର ଚାକିରିରେ ଯୋଗ ଦେବାକୁ କହିଥିଲେ। କିନ୍ତୁ ଆଇ-କାର୍ଡରେ ଫଟୋ ଠିକ୍‌ ଥିଲା ସିନା ନାଁ ଭୁଲ୍‌ ଥିଲା। ଏହା ଦେଖି ଆଶାୟୀ ସନ୍ଦେହ କରିଥିଲେ। ତାହା ଆଇକାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥାର ଭୁଲ୍‌ ଏବଂ ନିଯୁକ୍ତିପତ୍ର ଦେଖାଇ ପରେ ତାକୁ ଠିକ୍‌ କରାଇବାକୁ ପଡ଼ିବ ବୋଲି ଆଶାୟୀଙ୍କୁ ବୁଝାଇ ଦେଲେ। ସେମାନଙ୍କ କଥାରେ ଆଜି ଆଶାୟୀଜଣକ ଲୋକସେବା ଭବନ ଯାଇଥିଲେ। ମୁଖ୍ୟ ଫାଟକରେ ସୁରକ୍ଷାକର୍ମଚାରୀ ଆଇ-କାର୍ଡ ଓ ନିଯୁକ୍ତିପତ୍ର ଦେଖିବା ପରେ ନକଲି ବୋଲି ବୁଝିପାରି କ୍ୟାପିଟାଲ୍‌ ଥାନାକୁ ଜଣାଇଥିଲେ। ଆଶାୟୀଙ୍କୁ ପୁଲିସ ଥାନାକୁ ‌ନେଇ ପଚରାଉଚରା କରିବା ପରେ ଠକାମି କଥା ସ୍ପଷ୍ଟ ହୋଇଥିଲା। ଆଶାୟୀ ଓ ପୁଲିସ ବାରମ୍ବାର ଫୋନ୍‌ କରିବା ପରେ ମଧ୍ୟ ଅମୀୟ ଓ ପ୍ରତୀକର ମୋବାଇଲ ସୁଇଚ୍‌ ଅଫ୍ ଦେଖାଇଥିଲା।