ଭୁବନେଶ୍ବର : କୋର୍ଟରେ ଜାମିନଦାର(ବେଲର୍) ସାଜି ଅଭିଯୁକ୍ତଙ୍କର ଜାମିନ କରାଉଥିଲା। ହଜାର ହଜାର ଟଙ୍କା ରୋଜଗାର ବି କରୁଥିଲା। ଆବଶ୍ୟକ କାଗଜପତ୍ର ଦାଖଲ କରୁଥିଲା। ମୃତ ବ୍ୟକ୍ତିଙ୍କ ନାଁରେ ଥିବା ଜମି ପଟ୍ଟାକୁ ଦାଖଲ କରୁଥିଲା। ବର୍ଷ ବର୍ଷ ଧରି ଏମିତି କୋର୍ଟକୁ ଠକି ଚାଲିଥିଲା। ଶେଷରେ ଧରାପଡ଼ିଛି ଧୂର୍ତ୍ତ। ସିବିଆଇ କୋର୍ଟରେ ମୃତ ବ୍ୟକ୍ତିଙ୍କ ଜମି ପଟ୍ଟା ଦେଇ ଜାମିନଦାର ସାଜିଥିବା ବେଳେ ଉଠାଇ ନେଇଥିଲା ବଡ଼ଗଡ଼ ଥାନା ପୁଲିସ। ଗିରଫ ନକଲି ଜାମିନଦାର ହେଲା ଝାରପଡ଼ା ଦୋଳମଣ୍ଡପ ସାହିର ବାଉରୀବନ୍ଧୁ ପତି(୬୧)। ତା’ ଠାରୁ ଜାଲ୍ ଦସ୍ତାବିଜ୍ ଜବତ କରାଯାଇଛି।
ସୂଚନାନୁସାରେ, ବାଉରୀବନ୍ଧୁ କପିଳପ୍ରସାଦ ଅଞ୍ଚଳର କେଶବ ପ୍ରଧାନଙ୍କ ସମ୍ପର୍କୀୟ ଅଟନ୍ତି। କେଶବ ସୁନ୍ଦରପଦା ଅଞ୍ଚଳରେ ଥିବା ତାଙ୍କର ଏକ ଜମି ବିକ୍ରି କରାଇ ଦେବା ପାଇଁ ବାଉରୀବନ୍ଧୁଙ୍କୁ ପଟ୍ଟା ଦେଇଥିଲେ। କିନ୍ତୁ ପରେ ପଟ୍ଟାଟି ହଜି ଯାଇଥିବା କହି ବାଉରୀବନ୍ଧୁ ଫେରାଇନଥିଲେ। ଏହା ମଧ୍ୟରେ ୨୦୨୨ ସେପ୍ଟେମ୍ବର ମାସରେ କେଶବଙ୍କର ମୃତ୍ୟୁ ହୋଇଯାଇଥିଲା। କିଛି ଦିନ ତଳେ ସିବିଆଇର କିଛି ଅଧିକାରୀ କେଶବଙ୍କ ଘରକୁ ଆସି ଏକ ଚିଟ୍ଫଣ୍ଡ ମାମଲାରେ ସେ ଜାମିନଦାର ହୋଇଥିବା କଥା ପଚାରିଥିଲେ। କିନ୍ତୁ କେଶବଙ୍କ ପରିବାର ଏବାବଦରେ ଜାଣି ନଥିବା କହିବା ସହ ୧୦ ମାସ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଇଥିଲେ। କିନ୍ତୁ ତାଙ୍କ ଜମିର ପଟ୍ଟା ଓ ତାଙ୍କ ଅଧାରକାର୍ଡ଼ ବ୍ୟବହାର କରାଯାଇ ଜାମିନ ପ୍ରଦାନ କରାଯାଇଥିବା ନେଇ ସିବିଆଇ ଅଧିକାରୀମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାର ସତ୍ୟତା ଜାଣିବା ପାଇଁ ତାଙ୍କ ପୁଅ ପ୍ରେମାନନ୍ଦ ପ୍ରଧାନ ଗତକାଲି ତଥା ଜାମିନ ମିଳିବା ଦିନ କୋର୍ଟ ପରିସରକୁ ଯାଇ ଘଟଣାର ଅନୁସନ୍ଧାନ କରିଥିଲେ। ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ବାପା ଦେଇଥିବା ପଟ୍ଟାକୁ ବ୍ୟବହାର କରି ବାଉରୀବନ୍ଧୁ ନକଲି ଆଧାରକାର୍ଡ ମାଧ୍ୟମରେ ଅଭିଯୁକ୍ତମାନଙ୍କର ଜାମିନ କରାଇ ଦେଉଛି। ଏ ନେଇ ପ୍ରେମାନନ୍ଦ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇବା ପରେ କୋର୍ଟ ସମସ୍ତ ଦସ୍ତାବିଜ ଜବତ କରିଥିଲେ। ଏନେଇ ପ୍ରେମାନନ୍ଦ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଗତକାଲି ଏକ ଚିଟ୍ଫଣ୍ଡ ମାମଲାରେ ଅଭିଯୁକ୍ତ ପାଇଁ କୋର୍ଟରେ ହାଜର ହୋଇ ଜାମିନଦାର ସାଜିଥିବା ବେଳେ ପୂର୍ବରୁ ସୂଚନା ପାଇ ସେଠାରେ ଉପସ୍ଥିତ ଥିବା ବଡ଼ଗଡ଼ ଥାନା ପୁଲିସ ବାଉରୀବନ୍ଧୁକୁ ଉଠାଇ ନେଇଥିଲା।
ବାଉରୀବନ୍ଧୁ ପୂର୍ବରୁ ମଧ୍ୟ ବହୁ ମାମଲାରେ ନକଲି ଦସ୍ତାବିଜ୍ ଦାଖଲ କରି ଜାମିନଦାର ହୋଇ ଅପରାଧୀମାନଙ୍କୁ କୋର୍ଟରୁ ଜାମିନ ଦେବାରେ ସାହାଯ୍ୟ କରୁଥିବା ପୁଲିସ ଜାଣିବାକୁ ପାଇଛି। କେବଳ ମୃତ କେଶବ ନୁହଁନ୍ତି, ଆହୁରି କେତେକ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଜାଲ ଦସ୍ତାବିଜ୍ ତିଆରି କରି ସେ ନକଲି ଜାମିନଦାର ସାଜିଥିବା ପୁଲିସ ସନ୍ଦେହ କରୁଛି। ବାଉରୀବନ୍ଧୁଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି। ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା ଚାଲିଛି।