ରିମାଣ୍ଡରେ ଆସିବ ଛଦ୍ମବେଶୀ ବାଂଲାଦେଶୀ

ଭୁବନେଶ୍ୱର: ନକଲି ପାସ୍‌ପୋର୍ଟରେ ବିମାନ ଯାତ୍ରା ବେଳେ ଭୁବନେଶ୍ବରରୁ ଧରାପଡ଼ିଥିବା ଛଦ୍ମବେଶୀ ବାଂଲାଦେଶୀ ଆୟାନ ଶ୍ରମଣ ଓରଫ ବରୁଆ ରିମାଣ୍ଡରେ ଆସିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଂଲାଦେଶ ହାଇକମିସନର୍‌ଙ୍କୁ କମିସନରେଟ୍‌ ପୁଲିସ ଚିଠି ଲେଖି ତା’ର ଆପରାଧିକ ରେକର୍ଡ ମଗାଇଛି। ତାର ସମ୍ପୂର୍ଣ୍ଣ ବିବରଣୀ ସହ ତା ସହିତ ଆଉ କିଏ ଅଛନ୍ତି ନା ସେ ଏକା ନକଲି ପାସ୍‌ପୋର୍ଟ ବଳରେ ଭାରତ ଅନୁପ୍ରବେଶ କରିଥିଲା ସେ ନେଇ ମଧ୍ୟ ତଥ୍ୟ ମଗାଯାଇଛି। ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ତାକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ। ଓଡ଼ିଶାରେ ସେ କୌଣସି ଅପରାଧରେ ସଂଶ୍ଳିଷ୍ଟ ଅଛିକି ନାହିଁ ତାହା ମଧ୍ୟ ଜଣାପଡ଼ିବ। ଅନ୍ୟପଟେ ତା’ର ମୋବାଇଲ ଫୋନ୍‌ର କଲ୍‌ ଡିଟେଲ୍‌ସ ମଧ୍ୟ ଯାଞ୍ଚ କରାଯାଉଛି। ଏଥିରେ ତା’ର ଆତଙ୍କୀ ସମ୍ପର୍କକୁ ନେଇ ମଧ୍ୟ ଅନୁଧ୍ୟାନ କରାଯିବ। ୧୨ ବର୍ଷ ଧରି ପଶ୍ଚିମବଙ୍ଗରେ ରହୁଥିବାରୁ ତାର ଭାରତର ବିଭିନ୍ନ ଅଞ୍ଚଳରେ ଅନୁପ୍ରବେଶ ରହିଥିବା ନେଇ ପୁଲିସ ଅନୁମାନ କରୁଛି। ଏ ସମସ୍ତ ଦିଗକୁ ନେଇ ତଦନ୍ତ ଆଗକୁ ଯିବ ବୋଲି ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି। ତେବେ ଏହି ଗିରଫଦାରୀ ପରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗିରଫ ବରୁଆ ବାଂଲାଦେଶ ଚିତ୍ତଗାଓଁ ଜିଲ୍ଲା ବଂଶକାଲି ଥାନା ଜଲ୍‌ଦି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ୨୦୧୮ ନଭେମ୍ବର ୨୨ ତାରିଖରେ ବୃନ୍ଦାବନର ଇସ୍କନ ମନ୍ଦିରରୁ ଜଣେ ବାଂଲାଦେଶୀ ଫାଲଗୁନ ବିକାଶ ବୈଧ୍‌ ଗିରଫ ହୋଇଥିଲା। ସେ ମଧ୍ୟ ଏହି ଜିଲ୍ଲା(ଚିତ୍ତଗାଓଁ )ର ବାସିନ୍ଦା ଥିଲା। ସେ ମଧ୍ୟ ଅନୁରୁପ ଢଙ୍ଗରେ ଜଣେ ଦଲାଲ ଜରିଆରେ ଛଦ୍ମନାମ (ପବିତ୍ର ଦାସ)ରେ ନକଲି ପାସ୍‌ପୋର୍ଟ ତିଆରି କରି ପଶ୍ଚିମବଙ୍ଗରେ ରହୁଥିଲା। ପଶ୍ଚିମବଙ୍ଗରୁ ସେ ତାର ନକଲି ଜନ୍ମଗତ ପ୍ରମାଣପତ୍ର ସଂଗ୍ରହ କରିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି କି ନାହିଁ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବ‌ୋଲି ଜଣାପଡ଼ିଛି। ତା’ଠାରୁ ଜବତ ହୋଇଥିବା ଏକ ନୋଟ୍‌ବୁକ୍‌ରୁ ଅନେକ ତଥ୍ୟ ହାସଲ କରାଯିବ ବ‌ୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ବିଶ୍ବନାଥ ମଣ୍ଡଳ ନାମରେ ବାଂଲାଦେଶୀ ବରୁଆ ଭାରତୀୟ ପାସ୍‌ପୋର୍ଟ(ନଂ ପି୫୯୨୧୮୭୪) ପ୍ରସ୍ତୁତ କରି ୧୦ରୁ ୧୨ ବର୍ଷ ଧରି ସେ ପଶ୍ଚିମବଙ୍ଗର ରାମକୃଷ୍ଣ ପଲ୍ଲୀରେ ରହି ଆସୁଥିଲା। ସେ ଏହି ନକଲି ପାସ୍‌ପୋର୍ଟ ବଳରେ ବ୍ୟାଙ୍କକକ୍‌ରୁ ଆସୁଥିବା ଫ୍ଲାଇଟ୍‌ (ନମ୍ବର-ଏଫ୍‌ଡି-୧୨୨)ରୁ ତିନିଦିନ ତଳେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର