ଚନ୍ଦ୍ରଶେଖରପୁର: ବିଏମ୍ସି ଅଧିକାରୀ ବୋଲି ପରିଚୟ ଦେଇ ରାସ୍ତାକଡ଼ ଉଠାଦୋକାନୀଙ୍କଠାରୁ ବିଭିନ୍ନ ବାଟରେ ବଟି ଆଦାୟ କରୁଥିବା ଧୂର୍ତ୍ତ ମହିଳା ଅନୁ ମିଶ୍ରକୁ ଆଜି ଶୈଳଶ୍ରୀବିହାରରେ ଲୋକେ କାବୁ କରିଛନ୍ତି। ସେହିଭଳି ଘଟଣାସ୍ଥଳରୁ ତାକୁ ଖସାଇ ନେବା ପାଇଁ ଭୁଜାଲିରେ ଆକ୍ରମଣ କରିବାକୁ ଗୋଡ଼ାଇଥିବା ଅନୁର ଅଙ୍ଗରକ୍ଷୀ ଓଁକାର୍ ଯାଦବକୁ ମଧ୍ୟ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କ କାର୍ରୁ ଭୁଜାଲି, ଚାପଡ଼ ଓ ଛୁରି ଭଳି ମାରଣାସ୍ତ୍ର ଜବତ କରିଛି। ଠକାମି ଓ ହତ୍ୟା ଉଦ୍ୟମ ଭଳି ସଂଗିନ୍ ଅଭିଯୋଗରେ ପୁଲିସ ଅନୁ ଓ ଅଙ୍ଗରକ୍ଷୀ ଓଁକାର୍କୁ କୋର୍ଟ ଚାଲାଣ କରିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ପ୍ରାୟ ଦୁଇ ବର୍ଷ ହେଲା ଅନୁ ନିଜକୁ ବିଏମ୍ସି ଅଧିକାରୀ ବୋଲି କହି ଶୈଳଶ୍ରୀବିହାର ଓ ଏହାର ଆଖପାଖ ଅଞ୍ଚଳର ରାସ୍ତାକଡ଼ ଉଠାଦୋକାନୀମାନଙ୍କ ଉପରେ ଜୁଲମ କରୁଥିଲା। କେତେବେଳେ ଦୋକାନ ଭାଙ୍ଗିଦେବାର ଧମକ ଦେଇ ଟଙ୍କା ଆଦାୟ କରୁଥିଲା ତ କେତେବେଳେ ଭେଣ୍ଡିଂ ଜୋନ୍ରେ ଥଇଥାନ କରାଇବାକୁ ପ୍ରଲୋଭିତ କରି ଟଙ୍କା ନେଉଥିଲା। ଓଁକାର୍ ଭଳି ଅଣଓଡ଼ିଆ ଅସାମାଜିକ ତତ୍ତ୍ବକୁ ସବୁବେଳେ ସାଙ୍ଗରେ ଧରି ବୁଲୁଥିବା ଅନୁକୁ ବିଚରା ଉଠାଦୋକାନୀମାନେ ଭୟ କରୁଥିଲେ। ତେବେ ପରେ ଉଠାଦୋକାନୀମାନେ ଅନୁର ପ୍ରକୃତ ପରିଚୟ ଜାଣିବା ପରେ ଆଉ ତାକୁ ଟଙ୍କା ଦେଇନଥିଲେ। ଆଜି ଦିଲୀପ ସାହୁ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅନୁ ଜୋର୍ କରି ଟଙ୍କା ମାଗିବା ବେଳେ ସେ ମନା କରିଦେଇଥିଲେ।
ଉତ୍କ୍ଷିପ୍ତ ହୋଇ ଅନୁ ତାଙ୍କୁ ଗାଳିମନ୍ଦ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଏକାଠି ହୋଇ ଦିଲୀପଙ୍କ ସମର୍ଥନରେ ବାହାରିବା ପରେ କାର୍ରୁ ଓହ୍ଲାଇଥିଲା ଅନୁଙ୍କ ବଡିଗାର୍ଡ ଓଁକାର୍। ଦିଲୀପଙ୍କୁ ଏକ ଶକ୍ତ ଧକ୍କା ଦେବା ସହ ସେ ଅନୁଙ୍କୁ କାର୍ରେ ବସାଇ ଖସିଯିବାକୁ ଚେଷ୍ଟା କରିଥିଲା। ମାତ୍ର ଲୋକମାନେ ପୁଲିସକୁ ଫୋନ୍ କରି ଜଣାଇବା ସହ କାର୍କୁ ଛାଡ଼ିନଥିଲେ। ତେଣୁ ଓଁକାର୍ କାର୍ ଭିତରୁ ଏକ ଭୁଜାଲି ଧରି ବାହାରି ଆସିଥିଲା ଏବଂ ଲୋକଙ୍କୁ ଆକ୍ରମଣ କରିବ ବୋଲି ଗୋଡ଼ାଇଥିଲା। ତେବେ ଲୋକମାନେ ଏକାଠି ହୋଇ ତାକୁ କାବୁ କରିଥିଲେ। ଏତିକିବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚିଯାଇଥିଲା।