ଭୁବନେଶ୍ବର : ଅବିବାହିତ ବୋଲି କହି ଯୁବତୀମାନଙ୍କୁ ପ୍ରେମ ଫାଶରେ ଫସାଉଥିବା ଜଣେ ଶଠ ପ୍ରେମିକକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ଜଣେ ଯୁବତୀଙ୍କ ସହ ରଖିଥିବା ଅନୈତିକ ସମ୍ପର୍କର ଭିଡିଓ ଭାଇରାଲ୍‌ କରିବ ବୋଲି ଧମକ ଦେବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲା ଢେଙ୍କାନାଳ ମହାବୀର ବଜାରର ସିତେଶ ପ୍ରଧାନ ଓରଫ୍‌ ମିଲନ୍‌(୩୧)।

Advertisment

ପୁଲିସ ସୂଚନାନୁସାରେ ମିଲନ୍‌ ବିବାହିତ ହୋଇଥିଲେ ବି ନିଜକୁ ଅବିବାହିତ ବୋଲି କହି ଆଚାର୍ଯ୍ୟବିହାରରେ ଏକ ହଷ୍ଟେଲ୍‌ରେ ରହୁଥିବା ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା। ୨୦୧୯ ମସିହାରୁ ସେମାନଙ୍କ ଭିତରେ ସମ୍ପର୍କ ଥିଲେ ବି ସେ ବିବାହିତ ବୋଲି ଯୁବତୀ ଜାଣିପାରିନଥିଲେ। ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ପରିଚୟ ଦେଇ ମିଲନ୍‌ ତାଙ୍କୁ ଫସାଇବା ସହ ବିବାହ କରିବାର ପ୍ରଲୋଭନ ଦେଖାଇଥିଲା। ଫଳରେ ଯୁବତୀଙ୍କ ଭରସା ବଢ଼ିଥିଲା ଓ ଧୀରେଧୀରେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ଶେଷରେ ମିଲନ୍‌ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିଥିଲା। ଏହା ଭିତରେ ମିଲନ୍‌ ଅନ୍ୟ କିଛି ଯୁବତୀଙ୍କ ସହ ବି ଅନୁରୂପ ଭାବେ ଅନୈତିକ ସମ୍ପର୍କ ରଖିଥିଲା। ଅବଶ୍ୟ ପରେ ଯୁବତୀ ଜଣକ ସନ୍ଦେହ କରିଥିଲେ ବି ଧୂର୍ତ୍ତ ମିଲନ୍‌ ତାଙ୍କୁ ବଡ଼ ଚତୁରତାର ସହ ଭୁଲାଇ ଦେଇଥିଲା। ତେବେ କୌଣସି ସୂତ୍ରରୁ ମିଲନ୍‌ଙ୍କ ସ୍ତ୍ରୀ ଏହା ଜାଣିପାରିଥିଲେ। ସେ ଯୁବତୀଙ୍କ ଫୋନ୍‌ ନମ୍ବର ଯୋଗାଡ଼କରି ତାଙ୍କୁ ସବୁ ସତ ଜଣାଇଥିଲେ। ମିଲନ୍‌ ବିବାହିତ ବୋଲି ଜାଣିବା ପରେ ଯୁବତୀଙ୍କ ମୁଣ୍ଡ ଘୁରାଇ ଦେଇଥିଲା। ମିଲନ୍‌ ଜଣେ ଧୋକାବାଜ୍ ବୋଲି ଜାଣିବା ପରେ ସେ ତାଙ୍କଠାରୁ ଦୂରେଇବାକୁ ଉଦ୍ୟମ କ‌ଲେ। ଏଥିରେ ମିଲନ୍‌ ଉତ୍‌କ୍ଷିପ୍ତ ହୋଇଥିଲା ଓ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କରିବ ବୋଲି ଧମକ ଦେଇଥିଲା। ପୂର୍ବ ସମ୍ପର୍କ ନରଖିଲେ, ଯୁବତୀଙ୍କ ଭବିଷ୍ୟତ ଅନ୍ଧାର କରିବ ବୋଲି ସତର୍କବାଣୀ ଶୁଣାଇଥିଲା। ତଥାପି ନିଜ ଭୁଲ୍‌ର ପ୍ରାୟଶ୍ଚିତ କରିବାକୁ ଯାଇ ଯୁବତୀ ଜଣକ ଚୁପ୍‌ ରହି ସବୁ ସହିଯାଇଥିଲେ। କିନ୍ତୁ ଗତ ଡିସେମ୍ବର ୩୧ ତାରିଖ ଦିନ ମିଲନ୍‌ ସବୁ ସୀମା ଟପିଯାଇଥିଲା। ସେ ଆଚାର୍ଯ୍ୟବିହାରସ୍ଥିତ ହଷ୍ଟେଲ୍‌ ନିକଟକୁ ଯାଇ ଯୁବତୀଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲା। ତେଣୁ ବାଧ୍ୟ ହୋଇ ଯୁବତୀ ଜଣକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।