କୁକୁରକୁ ୧୦୮ ଆମ୍ବୁଲାନ୍‌ସରେ ନେବାକୁ ଜିଦ୍‌, ମହିଳାଙ୍କ ନାଁରେ ପୁଲିସରେ ଅଭିଯୋଗ

ଭୁବନେଶ୍ବର : ମୋ ମା’କୁ ମୁଁ କାନ୍ଧେଇଛି… କହୁଛନ୍ତି କୁକୁର.. ମୁଁ ସିନା ଅନ୍ଧ…. ଦୁନିଆ କ’ଣ ଅନ୍ଧ।

୧୦୮ ଆମ୍ବୁଲାନ୍‌ସ(କଲ ସେଣ୍ଟର) କର୍ମଚାରୀ, ଆଜ୍ଞା ଆପଣଙ୍କର କ’ଣ ହେଉଛି ନା କ’ଣ କହୁଛନ୍ତି।

ହଁ, ମୋ ବୋଉର… ମୋ ବୋଉର।

୧୦୮ ଆମ୍ବୁଲାନ୍‌ସ(କଲ ସେଣ୍ଟର) କର୍ମଚାରୀ, ଆପଣଙ୍କ ବୋଉ ଆପଣଙ୍କ ସହିତ ନାହାନ୍ତି…

ନା ନା ମୋ ବୋଉକୁ ମୁଁ କାନ୍ଧେଇଛି… ମୁଁ ସିନା ଅନ୍ଧ…. ଦୁନିଆ କ’ଣ ଅନ୍ଧ। ରହ ବୋଉ ରହ.. ମେଡିକାଲ ଗାଡ଼ି ଆଇଚି।

୧୦୮ ଆମ୍ବୁଲାନ୍‌ସ(କଲ ସେଣ୍ଟର) କର୍ମଚାରୀ, ଆଜ୍ଞା.. ଏହା ମେଡିକାଲ ସେବା ପାଇଁ ଉଦ୍ଦିଷ୍ଟ… ଏଥିରେ କୁକୁରକୁ ନେଇ ହେବନି, ଆପଣଙ୍କର କିଛି ହେଇନି ତ?
ମୋର କ’ଣ ହେବ.. ମୋ ବୋଉର ହେଉଛି ମୋର କ’ଣ ହେବ? ମୋ ବୋଉ ମ‌େତ‌ ଜନ୍ମ ଦେଇଛି ଟି?

ଏଭଳି ଢଙ୍ଗରେ ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ୧୦୮ ଆମ୍ବୁଲାନ୍‌ସକୁ ଡାକି ଆମ୍ବୁଲାନ୍‌ସରେ କୁକୁରଙ୍କୁ ନେବା ପାଇଁ ଜିଦ୍ କରି ଜଣେ ମହିଳା ଫସିଛନ୍ତି। ତାଙ୍କ ନାଁରେ ୧୦୮ ଆମ୍ବୁଲାନ୍‌ସ ପକ୍ଷରୁ ମେଣ୍ଢାଶାଳ ଫାଣ୍ଡିରେ ଏତଲା ଦିଆଯାଇଛି। ଅଯଥାରେ ଆମ୍ବୁଲାନ୍‌ସକୁ ଡାକି ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି କରିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କମ୍ପାନି ପକ୍ଷରୁ ଦ‌ାବି କରାଯାଇଛି।

ସୂଚନା ଅନୁସାରେ, ମେଣ୍ଢାଶାଳ ଅଞ୍ଚଳର ଜଣେ ମହିଳା ୧୦୮ ଆମ୍ବୁଲାନ୍‌ସର କଲ ସେଣ୍ଟରକୁ ଦିନ ପ୍ରାୟ ୧୨ଟା ସମୟରେ ଫୋନ୍ କରି ଆମ୍ବୁଲାନ୍‌ସକୁ ଡକାଇଥିଲେ। ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳା ଜଣକ କାନ୍ଧରେ ଧରିଥିବା ଏକ କୁକୁରକୁ ଆମ୍ବୁଲାନ୍‌ସରେ ନେବା ପାଇଁ ଜିଦ୍ କରିଥିଲେ। ମାତ୍ର ଆମ୍ବୁଲାନ୍‌ସ କର୍ମଚାରୀ କୁକୁରକୁ ନେବା ଲାଗି ମନା କରିବା ସତ୍ତ୍ବେ ମହିଳା ଜଣକ କୁକୁରକୁ ନିଜର ମା’ ବୋଲି କହିବା ସହିତ ଆମ୍ବୁଲାନ୍‌ସରେ ଡାକ୍ତରଖାନା ନେବା ପାଇଁ ଜିଦ୍ କରିଥିଲେ। ଏ ସଂପର୍କରେ ୧୦୮ ଆମ୍ବୁଲାନ୍‌ସ ପକ୍ଷରୁ କଲ ସେଣ୍ଟରକୁ ସୂଚନା ଦିଆଯାଇଥିଲା। ‌କଲ ସେଣ୍ଟର କର୍ମଚାରୀ ସଂପୃକ୍ତ ମହିଳାଙ୍କ ମୋବାଇଲ ନମ୍ବରକୁ ଫୋନ୍ କରି ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ହେଲେ କଲ ସେଣ୍ଟର କର୍ମଚାରୀଙ୍କୁ ମଧ୍ୟ ସମାନ ଢଙ୍ଗରେ ମହିଳା ଜଣକ କୁକୁରକୁ ନେବା ପାଇଁ ଜିଦ୍ କରିଥିଲେ। ଶେଷରେ ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରୁ ଫେରି ଆସିଥିଲା।

ପରବର୍ତୀ ସମୟରେ ୧୦୮ ଆମ୍ବୁଲାନ୍‌ସ ମେଣ୍ଢାଶାଳ ଫାଣ୍ଡିରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ୧୦୮ ଆମ୍ବୁଲାନ୍‌ସ ଏକ ଜରୁରୀ ସେବା ‌ହୋଇଥିବା ବେଳେ ଅଯଥାରେ ଆମ୍ବୁଲାନ୍‌ସ ଡାକି ‌ରୋଗୀ ସେବା ବ୍ୟାଘାତ ସୃଷ୍ଟି କରିବା କାରଣରୁ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମ୍ବୁଲାନ୍‌ସ କର୍ମଚାରୀ ଦାବି କରିଛନ୍ତି।

ଉଲ୍ଲେଖ ଯେ, ୧୦୮ ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ଏଭଳି ହୋକ୍ସ କଲ୍ ଆସିବା ନୂଆ କଥା ନୁହେଁ। ଦୀର୍ଘ ବର୍ଷ ଧରି ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ଏଭଳି କଲ ଆସିବାରେ ଲାଗିଛି। ଏପରିକି କିଛି ପୁଅ ଓ ଝିଅ ୧୦୮ ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ଫୋନ୍ କରି ଅଯଥାରେ ଗପିବାର ନଜିର ରହଛି। ଏ ନେଇ କମ୍ପାନି କର୍ତୃପକ୍ଷ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ବି କରିଛନ୍ତି।

ସମ୍ବନ୍ଧିତ ଖବର