ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷକୁ ଆସୁଛି ମିଛ ଫୋନ୍‌ : ଛେଳିକୁ ଥଣ୍ଡାଜ୍ୱର ଆଜ୍ଞା କ’ଣ କରିବି?

ଭୁବନେଶ୍ବର : ମୋ ଛେଳିକୁ ଥଣ୍ଡାଜ୍ବର ହେଉଛି…ଆଜ୍ଞା କ’ଣ କରିବି ?, ଆଜ୍ଞା ଶୋଇବା ବେଳେ କଡ଼ ଲେଉଟିଇବା ବେଳକୁ କଷ୍ଟ ଲାଗୁଛି ? ଏହିଭଳି ହୋକ୍ସ (ମିଛ) କଲରେ ଭରି ଗଲାଣି ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ। କରୋନା ଭୂତାଣୁକୁ ନେଇ ହଇଚଇ ସୃଷ୍ଟି ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ୨ଟି ‌ନମ୍ବର ପ୍ରଦାନ କରାଯାଇଥିଲା। ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭ ନମ୍ବର ଜାରି ହୋଇଥିଲେ। କରୋନା ଭୂତାଣୁ ସଂକ୍ରମଣ ଜନିତ କୌଣସି ସୂଚନା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଥିଲା। ଗତ ୩ଦିନ ଭିତରେ ଏହି ଦୁଇ ନମ୍ବରକୁ ହଜାରରୁ ଅଧିକ କଲ୍ ଆସିଛି। ତହିଁରେ ଅନେକ କଲ୍ କରୋନା ଭୂତାଣୁ ସଂପର୍କରେ ସୂଚନା ପାଇଁ ରହିଥିବା ବେଳେ କେତେକ ଅଯଥା ପ୍ରଶ୍ନ ପଚାରୁଛନ୍ତି।

ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବ୍ୟକ୍ତି ଫୋନ୍ କରି ସେଠାରେ ଥିବା ଏକ ମୋବାଇଲ କମ୍ପାନିରେ ଚୀନ୍‌ର କିଛି କର୍ମଚାରୀ କାର୍ଯ୍ୟ କରୁଥିବା ସୂଚନା ଦେଇଥିଲେ। ଏପରିକି ଚୀନ୍ ନାଗରିକଙ୍କୁ ଥଣ୍ଡାଜ୍ବର ହୋଇଥିବାରୁ ତାଙ୍କୁ ପରୀକ୍ଷା କରାଯିବ କି ନାହିଁ ପ୍ରଶ୍ନ କରିଥିଲେ। ତେବେ ସେମାନଙ୍କ ନିଃଶ୍ବାସ ପ୍ରଶ୍ବାସରେ କୌଣସି ସମସ୍ୟା ନାହିଁ କିମ୍ବା କରୋନା ଭୂତାଣୁ ନେଇ ଅନ୍ୟ ଲକ୍ଷଣ ନ ଥିବାରୁ ତାଙ୍କର ସ୍କ୍ରିନିଂର ଆବଶ୍ୟକତା ନ ଥିବା କୁହାଯାଇଥିଲା। ତେବେ କିଛି ଲୋକ ଏହି ଦୁଇ ନମ୍ବରକୁ ଫୋନ୍ କିଛି ଅବାନ୍ତର ପ୍ରଶ୍ନ ପଚାରୁଛନ୍ତି। ସେମାନଙ୍କ ପାଇଁ ଏହି ଦୁଇ ନମ୍ବର ଅଯଥାରେ ବ୍ୟସ୍ତ ରହୁଛି। ନିୟନ୍ତ୍ରଣ କକ୍ଷରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଭଳି କଲ୍‌କୁ ନେଇ ବିରକ୍ତ ହୋଇଗଲେଣି। ତଥାପି ଲୋକମାନେ ଏଭଳି ପ୍ରଶ୍ନ ପଚାରିବାରୁ ଓହରୁ ନାହାନ୍ତି।

ଉଲ୍ଲେଖ ଯେ, ଚୀନ୍‌ର କିଛି ଇଞ୍ଜିନିୟର ଓ କର୍ମଚାରୀ ରାଜଧାନୀର ଏକ ମଲ୍‌ରେ ଥିବା ମୋବାଇଲ କମ୍ପାନିରେ କାର୍ଯ୍ୟ କରୁଥିବା ନଜରକୁ ଆସିଥିଲା। ଏହି କର୍ମଚାରୀ ଏବେ ସ୍ବାସ୍ଥ୍ୟ ବିଭାଗର ସ୍କାନରରେ ରହିଛନ୍ତି। ଗତ ୧ମାସ ଭିତରେ ସେମାନେ ଚୀନ୍ ଗସ୍ତ କରିଛନ୍ତି କି ନାହିଁ କିମ୍ବା ସେମାନଙ୍କ ନିକଟରେ କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ରହିଛି କି ନାହିଁ ତାହା ସଂପର୍କରେ ବିଭାଗ ପକ୍ଷରୁ ପରୀକ୍ଷା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର