ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ମାମଲା: ଜେଲ ଗଲେ ଦୁଇ କାର୍ପଟଦାର

କାର୍, କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ସାର୍ଟିଫିକେଟ ଜବତ

ଭୁବନେଶ୍ବର: ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ବିଜେବି କଲେଜରେ ହୋଇଥିବା ନାମଲେଖା ମାମଲାରେ ଗିରଫ ଦୁଇ କାର୍ପଟଦାର ମାନସ ବେଜ୍ ଓ ନିରଞ୍ଜନ ମହାରଣାଙ୍କୁ ଆଜି ବଡ଼ଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସେମାନଙ୍କଠାରୁ ଗୋଟିଏ କାର୍, କମ୍ପ୍ୟୁଟର୍‌, ସିପିୟୁ, ପ୍ରିଣ୍ଟର୍‌ ଓ ନକଲି ସାର୍ଟିଫିକେଟ୍ ଜବତ କରିଛି। ପୁଲିସ ସୂଚନା ଅନୁସାରେ, ଏହି ଜାଲ୍ ସାର୍ଟିଫିକେଟ୍‌ ରୢାକେଟ୍‌ର ମୁଖ୍ୟ କାର୍ପଟଦାର ଥିଲେ ମାନସ ଓ ନିରଞ୍ଜନ।

ସେମାନେ କମ୍ପ୍ୟୁଟର୍‌ ଦ୍ବାରା ଅସଲି ସାର୍ଟିଫିକେଟ୍‌କୁ ସ୍କାନିଂ କରି ନକଲ ତିଆରି କରୁଥିଲେ ଓ ଛାତ୍ରଛାତ୍ରୀଙ୍କୁ ଦେଉଥିଲେ। ଏଥିପାଇଁ ‌ସେମାନେ ଛାତ୍ରଛାତ୍ରୀମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ। ଏହି ମାମଲାରେ ପୁଲିସ ଜଣେ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଆଉ ୭ ଜଣ ସ୍କାନର୍‌ରେ ଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଘଟଣାର ଯାଞ୍ଚ ହେବା ପରେ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ରେ ୮ ଜଣ ଛାତ୍ରଛାତ୍ରୀ ନାମ‌ ଲେଖାଇଥିବା ଜଣାପଡ଼ିଥିଲା। ଏନେଇ କଲେଜ ଅଧ୍ୟକ୍ଷ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।

ବିଜେବି କଲେଜ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ପ୍ରସଙ୍ଗ: ୮ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ

ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର(ସାର୍ଟିଫିକେଟ୍‌)‌ରେ ନାମ ଲେଖାଇଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ୮ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଭାଗୀୟ ଉପ-ନିର୍ଦେଶକ ରାଜେଶ କୁମାର ସାହୁ ଏନେଇ ଓକାକ୍‌ ସାଧାରଣ ପରିଚାଳକଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ସ୍ନାତକ(ୟୁଜି)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ବିଭାଗ ପକ୍ଷରୁ ଓକାକ୍‌କୁ ପ୍ରଦାନ କରାଯାଇଛି। ଏହି ପିଲାଙ୍କ ନାମଲେଖା ରଦ୍ଦ କରିବା ସହ ତାଲିକା ସାମ୍‌ସ ୱେବ୍‌ସାଇଟ୍‌ରେ ତଥ୍ୟ ପ୍ରଦାନ କର।

ସମ୍ବନ୍ଧିତ ଖବର